ନିରାମୟରେ ରୋଗୀଙ୍କୁ ଦିଆଯାଉଛି ଏକ୍ସପାଏରୀ ଔଷଧ : ଖାଇଲେ କ’ଣ ପଡ଼ିବ ପ୍ରଭାବ ? ବିଶେଷଜ୍ଞ ରଖିଲେ ମତ

ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରୁ ଆସିଲା ସାଂଘାତିକ ଚିତ୍ର ; ବିଶେଷଜ୍ଞ ଡାକ୍ତର କହିଲେ ଦେଖାଦେଇପାରେ ସାଂଘାତିକ୍ ପ୍ରତିକ୍ରିୟା

182

କନକ ବ୍ୟୁରୋ : ଏକ୍ସପାଏରୀ ଔଷଧ ଖାଇଲେ କ’ଣ ପ୍ରଭାବ ପଡ଼ିବ ଏନେଇ ବିଶେଷଜ୍ଞ ଡ଼ାକ୍ତର ପ୍ରତିକ୍ରିୟା ରଖିଛନ୍ତି । ମେଡ଼ିସିନ ଏକ୍ସପାରି ହେଲେ ତାର ଗୁଣ ସରିଯାଏ । ଔଷଧ ବିଶେଷ ଭାବରେ ଲାଭଜନକ ହୁଏ ନାହିଁ ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ ନୀରଂଜନ ତ୍ରିପାଠୀ । ଅନେକ ସମୟରେ ମସ୍ତିଷ୍କ ଓ ମନ ଉନରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ ।

ଏକ୍ସପାଏରୀ ଔଷଧର ଦୁଇଟି ପ୍ରଭବ ରହିଥାଏ । ଗୋଟିଏ ହେଲା ଔଷଧର ଗୁଣ ନଥାଏ । ଯାହା ଫଳରେ ଯେଉଁ ରୋଗପାଇଁ ମେଡ଼ିସିନ୍ ଦିଆଯାଇଥାଏ ସେଥିପାଇଁ କାମ କରିନଥାଏ । ଦ୍ୱିତୀୟ କଥା ହେଉଛି ଏହାର ରିଆକ୍ସନ୍ ମଧ୍ୟ ରହିଥାଏ । କିଡ଼ନୀ ଦ୍ୱାରା ଏହା ବହିଷ୍କୃତ ହୋଇପାରେନାହିଁ । ଏବଂ କିଡ଼ନୀ ଉପରେ ଏହାର ପ୍ରଭାବ ପଡ଼ି କିଡ଼ନୀ ରୋଗ ହେବାର ସମ୍ଭାବନା ଥାଏ । ବେଳେବେଳେ ଅଗିଆବାତ ଭଳି ଅନେକ ସ୍କିନ୍ ଡ଼ିଜିଜ୍ ମଧ୍ୟ ହୋଇଥାଏ ।

ଡାକ୍ତରଖାନା ଗୁଡିକରେ ନିରାମୟ ଔଷଧ ମାଗଣାରେ ଦିଆଯାଉଛି । ହେଲେ ନିରାମୟରେ ନିରୋଗ ହେବାକୁ ଆସୁଥିବା ରୋଗୀଙ୍କୁ ଦିଆଯାଉଛି ଏକ୍ସପାଏରୀ ଔଷଧ । ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଏଭଳି ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି । ପୁଇଁତଳା ବ୍ଲକ ପୁଡାପାଲି ଗାଁର ସନ୍ତୋଷ ସାହୁ ଥଣ୍ଡା, ଜ୍ୱର ହେଉଥିବାରୁ ଚିକିତ୍ସା ପାଇଁ ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଯାଇଥିଲେ । ଏହାପରେ ସନ୍ତୋଷ ନିରାମୟ କେନ୍ଦ୍ରକୁ ଯାଇ ମାଗଣାରେ ସରକାରୀ ଔଷଧ ଆଣିଥିଲେ । ସେଥିରୁ ଗୋଟିଏ ଔଷଧ ଏକ୍ସପାଏରୀ ହୋଇସାରିଥିବା ଜାଣିବାକୁ ପାଇଲେ । ଅଗଷ୍ଟ ମାସରୁ ଔଷଧଟି ଏକ୍ସପାଏରୀ ହୋଇସାରିଥିବାବେଳେ ଏହାକୁ ରୋଗୀଙ୍କୁ ଦିଆଯାଇଥିଲା ।

ତେବେ ଏହାକୁ ଖାଇନଥିଲେ ସନ୍ତୋଷ । ବରଂ ଅଭିଯୋଗ କରିବା ପରେ ହସ୍ପିଟାଲ ଅଧିକ୍ଷକ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ନିରାମୟ କେନ୍ଦ୍ରକୁ ଆସିଥିବା ଏକ ଔଷଧ ତାଲିକା ଆମର ହସ୍ତଗତ ହୋଇଛି । ସେପ୍ଟେମ୍ବର ୨ ତାରିଖରେ ଏହି ତାଲିକା ଅନୁସାରେ ନିରାମୟ କେନ୍ଦ୍ରକୁ ଔଷଧ ଆସିଛି । ହେଲେ ଗୋଟିଏ ଔଷଧରେ ସେପ୍ଟେମ୍ବର ୩୦ ତାରିଖ ଏକ୍ସପାଏରୀ ତାରିଖ ରହିଛି । ଅର୍ଥାତ ୨୮ ଦିନ ଭିତରେ ଏହି ଔଷଧ ବିକ୍ରି କରିବାକୁ ନିର୍ଦ୍ଦେଶ ରହିଛି । ତେଣୁ ନିରାମୟ କେନ୍ଦ୍ର ପକ୍ଷରୁ ରୋଗୀଙ୍କ ଜୀବନ ସହ ଖେଳଖେଳି, ଏକ୍ସପାଏରୀ ଚାଲିଯିବା ପରେ ମଧ୍ୟ ରୋଗୀଙ୍କୁ ଔଷଧ ବିକ୍ରି ଚାଲିଛି ।