ଗଲୱାନ ଘାଟିର ଗୁମର ! ୧୫ ତାରିଖ ରାତିରେ ହୋଇଥିଲା କ’ଣ ? କାହିଁକି ଦୁଇ ଦେଶର ସେନାଙ୍କ ମଧ୍ୟରେ ଉପୁଜିଥିଲା ସାଂଘାତିକ ସ୍ଥିତି? ପଢ଼ନ୍ତୁ ପୂରା ଘଟଣାବଳୀ…

4,011

କନକ ବ୍ୟୁରୋ: ଭାରତ-ଚୀନ୍ ମଧ୍ୟରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ମୁହାଁମୁହିଁ ହୋଇଗଲେ ଭାରତୀୟ ସେନା ଓ ଚୀନ୍ର ପିପୁଲ ଲିବରେସନ ଆର୍ମି । ଏଭଳି ଭୟଙ୍କର ଭାବେ ମୁହାଁମୁହିଁ ଗତ ୪୫ ବର୍ଷ ଭିତରେ ଦେଖିବାକୁ ମିଳିନଥିଲା । ପରସ୍ପର ଉପରେ ଲୁହା ଛଡ ଓ ପଥରରେ ଆକ୍ରମଣ କରୁଥିଲେ । ଗତ ଜୁନ୍ ୬ ତାରିଖରେ ଉଭୟ ସେନା ଗଲୱାନ ଘାଟିରୁ ପଛକୁ ଘୁଂଚିଯିବେ ବୋଲି କମାଣ୍ଡର ସ୍ତରୀୟ ବୈଠକରେ ସହମତି ହୋଇଥିଲେ ମଧ୍ୟ ପଛକୁ ହଟିନଥିଲା ଚୀନ୍ ସେନା । ରାତିରେ ଚୀନ୍ ସେନା ପୁଣି ଗଲୱାନ ଘାଟିରେ ଠୁଳ ହେବାକୁ ଲାଗିଥିଲେ । ଭାରତୀୟ ସେନାର କମାଣ୍ଡିଂ ଅଫିସର କର୍ଣ୍ଣେଲ ସନ୍ତୋଷ ବାବୁ ପାଖକୁ ଯାଇ ଏହାର ବିରୋଧ କରିଥିଲେ । କିନ୍ତୁ ଚୀନ୍ ସେନାର କିଛି ଯବାନ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଦେଲେ । ଏଥିରେ ସନ୍ତୋଷ ବାବୁଙ୍କ ମୃତ୍ୟୁ ହୋଇଗଲା । ଆଉ ଏହି ଘଟଣା ପରେ ଚୀନ୍ ସେନା ଉପରେ ଡେଇଁ ପଡିଲେ ଭାରତୀୟ ସେନା । ଉଭୟଙ୍କ ଭିତରେ ରକ୍ତାକ୍ତ ସଂଘର୍ଷ ହେଲା । ଏବଂ ନିକଟରେ ଥିବା ଜଳସ୍ରୋତ ଭିତରେ ଅନେକ ଯବାନ ପଡିଯାଇଥିଲେ । ଏବଂ ଜଳସ୍ରୋତରେ ପଡି ଅନେକଙ୍କ ଜୀବନ ଚାଲିଯାଇଥିଲା । ..

ସୀମାରେ ହୋଇଥିବା ଏହି ସଂଘର୍ଷରେ ଭାରତୀୟ ସେନାର ୨୦ ଜଣ ଯବାନ ସହିଦ ହୋଇଯାଇଛନ୍ତି । ହେଲେ ଚୀନ୍ ସେନାକୁ ମୁହଁତୋଡ୍ ଜବାବ ଦେଇଛି ଭାରତୀୟ ସେନା । ପ୍ରତିଆକ୍ରମଣରେ ଚୀନ୍ ସେନାର କମାଣ୍ଡିଂ ଅଫିସର ପ୍ରାଣ ହରାଇଥିବା ବେଳେ ୪୩ ଜଣ ଯବାନ ମୃତାହତ ହୋଇଥିବା ସୂଚନା ମିଳିଛି । ହେଲେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଚୀନ୍ କହିଛି, ସେମାନେ ମୃତାହତଙ୍କ ସଂଖ୍ୟା କହିବେ ନାହିଁ । ତେବେ ସୀମାରୁ ଏୟାର ଆମ୍ବୁଲାନ୍ସ ଜରିଆରେ ଚୀନ୍ ମୃତଦେହ ନେଇଥିବା ସୂଚନା ମିଳିଛି । ..

ଭାରତ ଓ ଚୀନ୍ ସେନା ଭିତରେ ହୋଇଥିବା ସଂଘର୍ଷରେ ଚୀନ୍ର ୩୫ ଜଣ ଯବାନ ପ୍ରାଣ ହରାଇଥିବା ଆମେରିକା ଗୁଇନ୍ଦା ସଂସ୍ଥା ସୂଚନା ଦେଇଛି । ସ୍ଥିତି ଉପରେ ଆମେରିକା ନଜର ରଖିଛି । ତେବେ ଉଭୟ ଦେଶ ଶାନ୍ତି ବଜାୟ ରଖନ୍ତୁ ବୋଲି ନିବେଦନ କରିଛି ଆମେରିକା ବୈଦେଶିକ ମନ୍ତ୍ରାଳୟ ।..