ଆଜି ସେମିଫାଇନାଲ ମ୍ୟାଚରେ ବର୍ଷା ଆଶଙ୍କା ! ଜାଣନ୍ତୁ ବର୍ଷା ହେଲେ କ’ଣ ହେବ ଭାରତ-ନ୍ୟୁଜିଲାଣ୍ଡର ଭାଗ୍ୟ ।

972

କନକ ବ୍ୟୁରୋ : ବିଶ୍ବକପ୍‌ର ସେମିଫାଇନାଲ୍ ଏବଂ ଫାଇନାଲ୍ ପାଇଁ ଆଇସିସି ସଂରକ୍ଷିତ ଦିବସର ବ୍ୟବସ୍ଥା କରିଛି । ଏଣୁ ମଙ୍ଗଳବାର ଯଦି ବର୍ଷା ପାଇଁ ଆଦୌ ଖେଳ ହୋଇ ନପାରେ କିମ୍ବା ଅଧା ରହେ, ତେବେ ଏହାକୁ ବୁଧବାର ପୂରଣ କରାଯିବ । ଉଭୟ ଦିନରେ ଯଦି ମ୍ୟାଚ୍ ସଂପୂର୍ଣ୍ଣ ନହୁଏ, ତାହାଲେ ପଏଣ୍ଟ୍‌ ତାଲିକାର ଉଚ୍ଚ ସ୍ଥାନରେ ରହି ସେମିଫାଇନାଲ୍ ଖେଳିଥିବା ଦଳକୁ ବିଜୟୀ ଘୋଷଣା କରାଯିବ । ଏଭଳି ସ୍ଥିତିରେ ଭାରତ ଆଗକୁ ବଢ଼ିବ । ଲିଗ୍ ପର୍ଯ୍ୟାୟର ପ୍ରଥମ ସ୍ଥାନରେ ରହିଥିବାରୁ ଫାଇନାଲ୍ ଖେଳିବ ଭାରତ । ଅନ୍ୟପକ୍ଷରେ ଚତୁର୍ଥ ସ୍ଥାନରେ ରହି ସେମିଫାଇନାଲ୍ ଆସିଥିବା ନ୍ୟୁଜିଲାଣ୍ଡ ବିଦାୟ ନେବ । ପ୍ରଥମ ଦିନରେ ମ୍ୟାଚ୍ ଟାଇ ରହିଲେ ସୁପରଓଭର ଜରିଆରେ ବିଜୟୀ ଦଳ ବଛାଯିବ । ପ୍ରଥମ ଦିନରେ ସୁପର ଓଭର ନହୋଇ ପାରିଲେ, ସଂରକ୍ଷିତ ଦିନରେ ଏହା ‌ଶେଷ ହେବ ।

ତେବେ ପ୍ରଥମ ଦିନରେ ହିଁ ମ୍ୟାଚ୍ ଶେଷ କରାଯିବାକୁ ସବୁ ଚେଷ୍ଟା କରାଯିବ । ଡକୱର୍ଥ/ଲୁଇସ୍ ନିୟମ ବ୍ୟବହାର କରି ଓଭରକୁ କମ୍ ବେଶି କରାଯିବ । ଏହା ସତ୍ତ୍ବେ ଯଦି ମ୍ୟାଚ୍ ଅସପୂର୍ଣ୍ଣ ରହେ, ସଂରକ୍ଷିତ ଦିବସ ଖେଳ ପ୍ରଥମ ଦିନର ଖେଳ ଯେଉଁଠାରେ ଅଟକି ଥିବ ସେହିଠାରୁ ହିଁ ଆରମ୍ଭ କରାଯିବ । ଚିନ୍ତାର କଥା ହେଉଛି, ମାଞ୍ଚେଷ୍ଟରରେ ମଙ୍ଗଳବାର ଭଳି ବୁଧବାର ମଧ୍ୟ ବର୍ଷା ହେବାର ପୂର୍ବାନୁମାନ ରହିଛି । ଫଳରେ ସଂରକ୍ଷିତ ଦିବସକୁ ମ୍ୟାଚ୍ ଗଲେ, ସେଠାରେ ମଧ୍ୟ ଏହା ବାଧାପ୍ରାପ୍ତ ହୋଇପା‌ରେ । ସଂଯୋଗବଶତଃ ଭାରତ-ନ୍ୟୁଜିଲାଣ୍ଡ ଲିଗ୍ ମ୍ୟାଚ୍ ଲଗାଣ ବର୍ଷା ପାଇଁ ବାତିଲ ହୋଇ ଯାଇଥିଲା । ସେ‌ତେବେଳେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ୍‌ ବାଣ୍ଟିଥିଲେ । ସେମିଫାଇନାଲ୍‌ରେ କିନ୍ତୁ ଏହି ନୀତି ବଦଳିବ । ନିର୍ଧାରିତ ନୀତି ନିୟମରେ ଫାଇନାଲିଷ୍ଟ ନିର୍ଣ୍ଣୟ ହେବ ।