ଚିନ୍ତା ବଢ଼ାଇଲା ସୁରତ : ୨ ଦିନରେ ୫ଶହ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜାରି ହେଲା ନାଇଟ କର୍ଫ୍ୟୁ

ଓଡ଼ିଆ ଶ୍ରମିକ ଆତଙ୍କିତ; ଗଂଜାମରେ ସଂକ୍ରମଣ ବଢ଼ିବା ଆଶଙ୍କା

442

କନକ ବ୍ୟୁରୋ : ଗୁଜୁରାଟର ସୁରତ ଏବେ ୨ ଦିନରେ ପୁଣି କରୋନା ହଟସ୍ପଟ ପାଲଟିଯାଇଛି । ‘ମିନି ଓଡ଼ିଶା’ ରୂପେ ପରିଚିତ ସୁରତରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବା ପରେ ରାତ୍ରୀ କର୍ଫ୍ୟୁ ଜାରି କରାଯାଇଛି । ଅଧିକାଂଶ ଅଂଚଳକୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି । ସୁରତ ସହରରୁ ପ୍ରତ୍ୟହ ୨ଶହରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଲଗାତାର ୨ ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ଟପିଯାଇଛି ।

ସୁରତରେ କରୋନା ପ୍ରକୋପ ବୃଦ୍ଧି ଗଂଜାମ ପ୍ରତି ପୁଣି ବିପଦ ସୃଷ୍ଟି କରିଛି । ପ୍ରବାସୀମାନେ ପୁଣି ଭିଟାମାଟି ମୁହାଁ ହେବାକୁ ପ୍ରସ୍ତୁତ ଚଳାଇଥିବା ସୂଚନା ମିଳିଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ଉଚିତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି । ସୁରତ ହେଉଛି ସୂତାକଳ ଓ ହୀରାକଟା ଶିଳ୍ପର ହବ୍ । ଏଠାରେ ଓଡ଼ିଶାର ୫ରୁ ୬ଲକ୍ଷ ଶ୍ରମିକ ରହୁଛନ୍ତି । ଗଂଜାମରୁ ସର୍ବାଧିକ, ଅର୍ଥାତ ୩ଲକ୍ଷରୁ ଅଧିକ ସୁରତରେ ରହୁଛନ୍ତି ।

ଗତବର୍ଷ ଲକଡାଉନ ଯୋଗୁଁ ସୁରତ ସୂତାକଳ ଓ ହୀରା ଶିଳ୍ପ ବନ୍ଦ ହେବାରୁ ଜୀବିକା ହରାଇ ଏପ୍ରିଲ ୨୮ରୁ ପ୍ରବାସୀ ଗଂଜାମକୁ ଫେରିବା ଆରମ୍ଭ କରିଥିଲେ । ମେ ୨ ତାରିଖରେ ଗଂଜାମରୁ ୨ଜଣ କରୋନା ସଂକ୍ରମିତ ଜିହ୍ନଟ ହୋଇଥିଲେ ଏହା ପରେ ଗଂଜାମ କରୋନା ହଟସ୍ପଟ ପାଲଟିଥିଲା ।

ଗୁଜରାଟ, ମହାରାଷ୍ଟ୍ର ପୁଣି କରୋନା ହଟ୍‌ସ୍ପଟ୍‌ ପାଲଟିଥିବା ବେଳେ ସେଠାରୁ ଟ୍ରେନ୍‌ ଓଡ଼ିଶା ଆସୁଛି । ଉକ୍ତ ଟ୍ରେନ୍‌ ଗୁଡ଼ିକ ସମସ୍ତ ପ୍ରମୁଖ ଷ୍ଟେସନ୍‌ରେ ରହଣି କରୁଛି । ସେଠାରୁ ପ୍ରତ୍ୟହ ଶହ ଶହ ଯାତ୍ରୀ ଆସୁଛନ୍ତି। ସୋମବାର, ମଙ୍ଗଳବାର, ବୁଧବାର ଓ ଶନିବାର ଅହମ୍ମଦାବାଦ୍‌-ପୁରୀ ଟ୍ରେନ୍‌ ଆସୁଛି । ଭୋର୍‌ ୪ଟା ୧୭ମିନିଟ୍‌ରେ ଏହି ଟ୍ରେନ୍‌ ବ୍ରହ୍ମପୁର ଷ୍ଟେସନ୍‌ରେ ଲାଗୁଛି।। ସେହିପରି ଶୁକ୍ରବାର ଗାନ୍ଧୀଧାମ-ପୁରୀ ଏବଂ ଓଖା-ପୁରୀ ସୁରତରୁ ଆସୁଛି ।

ସେହିପରି ମୁମ୍ବାଇରୁ ପ୍ରତ୍ୟହ କୋଣାର୍କ ସୁପର୍‌ଫାଷ୍ଟ୍‌ ଏକ୍ସପ୍ରେସ୍‌ ଆସୁଛି । ଏହି ଟ୍ରେନ୍‌ ବ୍ରହ୍ମପୁରରେ ପ୍ରତ୍ୟହ ରାତି ୮ଟାରେ ପହଞ୍ଚୁଛି । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମହାରାଷ୍ଟ୍ର, ଗୁଜରାଟରୁ ଆସୁଥିବା ଟ୍ରେନ୍‌ରେ ଯାତ୍ରୀଙ୍କ ସ୍କ୍ରିନିଂ ଲାଗି ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି । ସଂକ୍ରମିତଙ୍କୁ ନେଇ ଆସୁଥିବା ଟ୍ରେନ୍‌କୁ ରୋକାଯାଉନାହିଁ । ରାଜ୍ୟ ସରକାର ବେଳ ଥାଉଥାଉ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଥିବା ସାଧାରଣରେ ମତ ପ୍ରକାଶ ପାଇଛି ।