କନକ ବ୍ୟୁରୋ: ପୂର୍ବରୁ ଦୁଇ ଦୁଇ ଥର କରୋନାକୁ ନେଇ ସଠିକ୍ ଭବିଷ୍ୟବାଣୀ କରିସାରିଥିବା କାନପୁରର ଆଇଆଇଟି ପ୍ରଫେସର ଏପରି କିଛି କହିଛନ୍ତି ଯାହାକୁ ନେଇ ସାରା ଦେଶ ଆଶ୍ୱସ୍ତ ହୋଇଛି । ପ୍ରଫେସର ମଣୀନ୍ଦ୍ର ଅଗ୍ରୱାଲ ଗଣିତୀୟ ସୂତ୍ର ମଡେଲକୁ ଆଧାର କରି ଏହି ମନ୍ତବ୍ୟ ଦେଇଛନ୍ତି ।

Advertisment

ଦିଲ୍ଲୀ ଏନସିଆର ସମେତ ଦେଶର ଏକାଧିକ ରାଜ୍ୟରେ କରୋନାର ବର୍ଦ୍ଧିତ ସଂଖ୍ୟାକୁ ଦେଖି ପୁଣି ଥରେ ଲୋକଙ୍କ ମଧ୍ୟରେ ଛନକା ସୃଷ୍ଟି ହୋଇଥିବାବେଳେ କରୋନାର ଚତୁର୍ଥ ଲହର ଆସିବାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଅନ୍ୟପଟେ କରୋନାକୁ ନେଇ ପୂର୍ବରୁ ଏକାଧିକ ଥର ସଠିକ୍ ଭବିଷ୍ୟବାଣୀ କରିସାରିଥିବା କାନପୁର ଆଇଆଇଟି ପ୍ରଫେସର ମଣୀନ୍ଦ୍ର ଅଗ୍ରୱାଲ କିନ୍ତୁ ଏହି ଆଶଙ୍କାରେ ଜବନିକା ଟାଣିଦେବା ପରି କଥା କହିଛନ୍ତି । ସେ କହିଛନ୍ତି ଯେ, କରୋନାର ଏହି ଲହରର ସମ୍ଭାବନା ଖୁବ୍ କମ୍ । କାରଣ ଏଯାଏଁ କୌଣସି ନୂଆଁ ମ୍ୟୁଟେଣ୍ଟ ଆସିନାହିଁ । ଏହାବ୍ୟତୀତ ଏବେ ଲୋକଙ୍କଠାରେ ପୂର୍ବାପେକ୍ଷା ରୋଗ ପ୍ରତିଷେଧକ ଶକ୍ତିି ବୃଦ୍ଧି ପାଇଛି । ଅଧିକାଂଶ ଲୋକଙ୍କ ଠାରେ ଇମ୍ୟୁନିଟି ସିଷ୍ଟମ୍ ୯୦ ପ୍ରତିଶତ ଯାଏଁ ବୃଦ୍ଧି ପାଇଛି । କିନ୍ତୁ ଏହାର ଅର୍ଥ ନୁହେଁ କରୋନାକୁ ଆମେ ସମ୍ପୂର୍ଣ୍ଣ ଅଣଦେଖା କରି କିଛି ନିୟମ ପାଳିବା ନାହିଁ । ଅବେହେଳା କଲେ କିଛି ନୂଆଁ ମ୍ୟୁଟେଣ୍ଟ ପୁଣିଥରେ ଆସିପାରେ ବୋଲି ପ୍ରଫେସର ଅଗ୍ରୱାଲ ସୂଚନା ଦେଇଛନ୍ତି ।

ଦିଲ୍ଲୀ ଏନସିଆରରେ ବଢୁଥିବା ମାମଲା ଗୁଡିକୁ ନେଇ ସେ କହିଛନ୍ତି ଯେ, ଦିଲ୍ଲୀ ଭଳି ଏକ ଜନବହୁଳ ସ୍ଥାନରେ ସରକାର କରୋନାକୁ ନେଇ ସମ୍ପୂର୍ଣ୍ଣ ବେପରୁଆ ମନୋଭାବ ଆପଣାଇବା ହିଁ ଏବେ ଏହି ସଂଖ୍ୟାରେ ବୃଦ୍ଧିର କାରରଣ ହୋଇଛି । ବିଦ୍ୟାଳୟ ଗୁଡିକ ଖୋଲି ଯାଇଛି । ସବୁ ଦୋକାନ ବଜାର ଖୋଲି ଯାଇଛି । ହେଲେ କାହାରିକୁ ଆଉ ମାସ୍କ ବ୍ୟବହାର କରୁଥିବା ଦେଖିବାକୁ ମିଳୁନାହିଁ । ଏହା ହିଁ ଲୋକଙ୍କ ସ୍ୱାସ୍ଥ୍ୟୃ ଉପରେ ପ୍ରଭାବ ପକାଇଛି । ଯେଉଁ ପୁରୁଣା ମ୍ୟଟେଣ୍ଟ ରହିଛି ତାହା ନିଜର ପ୍ରଭାବ ଦେଖାଉଛି ।ତେଣୁ ଲୋକେ ବ୍ୟକ୍ତିଗତ ସ୍ତରରେ ସତର୍କତା ଅବଲମ୍ବନ କରିବା ହିଁ ଏହି ସମସ୍ୟାକୁ ଦୂରେଇ ପାରିବ ବୋଲି ପ୍ରଫେସର କହିଛନ୍ତି ।