ଚେନ୍ ଲୁଟ ପରେ ଲୁଟେରା କରନ୍ତି କ’ଣ? କୁଆଡ଼େ ଯାଏ ଲୁଟ୍ ଚେନ୍ ?

225

କନକ ବ୍ୟୁରୋ: ଚେନ୍ ଲୁଟ ପରେ ଲୁଟେରାମାନେ କେମିତି ସୁନା ଚେନ ଗୁଡ଼ିକ ବିକ୍ରି କରନ୍ତି, ଆଉ ତା ବଦଳରେ କେମିତି ଟଙ୍କା ଆଦାୟ କରନ୍ତି, ତାହା କମିଶନରେଟ୍ ପୋଲିସ୍ ଚେନ୍ ଲୁଟେରାଙ୍କୁ ଧରିବା ପରେ ଏକଥାର ପର୍ଦ୍ଦାଫାସ ହୋଇଛି  ।

ମୁଖାପିନ୍ଧା ଏହି ଅଭିଯୁକ୍ତମାନେ ହେଉଛନ୍ତି ଜଣେ ଜଣେ ଲୁଟେରା  । ଏହି ଅଭିଯୁକ୍ତମାନେ ରାଜଧାନୀରେ ବୁଲି ବୁଲି ଲୁଟ କରନ୍ତି  ।  ବିଶେଷକରି ଏମାନେ ସୁନା ପିନ୍ଧିଥିବା ମହିଳାଙ୍କୁ କରିଥାନ୍ତି ସଫ୍ଟ ଟାର୍ଗେଟ । ଆପଣ କିଛି ବୁଝିବା ଆଗରୁ ଏମାନେ ସ୍ପିଡ ବାଇକରେ ଆସି ଆଖିପିଛୁଳାକେ ବେକରୁ ଚେନ୍ ଝାମ୍ପି ଫେରାର ହୋଇଯାଆନ୍ତି  ।  ଆପଣ ବୁଝିଲା ବେଳକୁ ଏମାନେ ବହୁତ ଦୂରକୁ ଚାଲି ଯାଇଥାନ୍ତି  । ଏହି ଲୁଟେରାଙ୍କୁ ହାତକଡ଼ି ପିନ୍ଧାଇ ଏମାନଙ୍କ ଠାରୁ ଚୋରି ସୁନା ଜବତ କରିରଛି କମିଶନରେଟ ପୋଲିସ୍  ।

ପୋଲିସ୍ ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ, ଏହି ଚୋରି ସୁନାକୁ ଲୁଟେରାମାନେ ଜଣେ ଦଲାଲକୁ ଦିଅନ୍ତି  । ଦଲାଲ ଜଣକ ସେହି ସୁନାକୁ ନେଇ ସୁନା ଦୋକାନୀଙ୍କୁ ଦେଇଥାନ୍ତି  । ଆଉ ସୁନା ଦୋକାନୀ ଚୋରି ସୁନା ଜାଣି ମଧ୍ୟ ଏହାକୁ ଗ୍ରହଣ କରନ୍ତି ଏବଂ ଏଥିପାଇଁ ଅଧା ରେଟରେ କିଣି ନିଅନ୍ତି  । ଆଉ ଏହାକୁ ତରଳାଇ ନୂଆ ଗହଣା ଗଢ଼ିଥାନ୍ତି  । ତେବେ ଦୁଇ ଲୁଟେରାଙ୍କ ସମେତ ସୁନା କିଣିଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ ।

କିଛି ଦିନ ତଳେ ଏନକାଉଣ୍ଟରରେ ଆହତ ହୋଇ ଜେଲରେ ଥିବା ଚକରା ଗ୍ୟାଙ୍ଗର ଏମାନେ ଅନ୍ୟତମ ସଦସ୍ୟ ବୋଲି କୁହାଯାଉଛି  । ପୂର୍ବରୁ ମଧ୍ୟ ଏମାନଙ୍କ ନାଁରେ ବିଭିନ୍ନ ଥାନା ଅଞ୍ଚଳରେ ମାଳ ମାଳ ଅଭିଯୋଗ ରହିଛି  ।