ଛତିଶଗଡର ଛାତିଥରା ଘଟଣା ପରେ କି ଶିକ୍ଷା ପାଇଲୁ ଆମେ ? ରିପିଟ୍ ହେବନି ତ ରାହୁଲ ରେସ୍କ୍ୟୁ ଘଟଣା ? ଦେଶକୁ ପୁଣି ଦୋହଲାଇ ନଦେଉ ଏମିତି ଅଘଟଣ…

411

ଜୟ ଜଗନ୍ନାଥ… ଜୟ ଜଗନ୍ନାଥ… ଜୟ ଜଗନ୍ନାଥ…
ଯେତେବେଳେ ମୃତ୍ୟୁର ଗାତ ଭିତରେ ଗଳିପଡିଥିଲା ଜୀବନ । ସେତେବେଳେ ଜୀବନ ରକ୍ଷା ପାଇଁ ଏହି ପଦିଏ ଡାକ ହିଁ ସମସ୍ତଙ୍କ ମନରେ ଶତ ସିଂହର ବଳ ଭରିଦେଇଥିଲା । ଟାଣ ପଥରର ଛାତିକୁ ବି ତରଳେଇ ଦେଇଥିଲା । ଆଉ ପଥରର ଛାତି ଫାଡି ଛୁଆକୁ ବଞ୍ଚାଇବାକୁ ଆତ୍ମବଳ ଆଣିଦେଇଥିଲା । ବାସ୍ ତା ପରେ ଆରମ୍ଭ ହୋଇଥିଲା ଅପରେସନ ରାହୁଲ । ୬୦ ଫୁଟର ବୋରୱେଲ, ବୋରୱେଲ ଭିତରେ ଜୀବନ । ସରକାର, ପ୍ରଶାସନ ଓ ଉଦ୍ଧାରକାରୀ ଟିମ୍ ସାମ୍ନାରେ ବିରାଟ ଚାଲେଞ୍ଜ । ରାହୁଲକୁ ସୁରକ୍ଷିତ ଉଦ୍ଧାର ପାଇଁ ଚାଲିଲା ପ୍ରାଣ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ।

ଖୋଳାଗଲା ସୁଡଙ୍ଗ, ଆରମ୍ଭ ହେଲା ଅପରେସନ । ମାଟି, ପଥରକୁ କାଟି କାଟି ରାହୁଲ ପାଖରେ ପହଞ୍ଚିଥିଲେ ଦେବଦୂତ । ଶୁକ୍ରବାରଠୁ ମଙ୍ଗଳବାର ବିଳମ୍ବିତ ରାତ୍ରି । ଦୀର୍ଘ ୫ ଦିନ ଧରି ମୃତ୍ୟୁର ଆଁ ଭିତରେ କିଟମିଟ ଅନ୍ଧାରରେ ରହିଥିଲା ରାହୁଲ । ଆଉ ତାକୁ ଉଦ୍ଧାର ପାଇଁ, ବୋରୱେଲ ବାହାରର ଆଲୁଅ ଦେଖାଇବା ପାଇଁ ୧୦୫ ଘଣ୍ଟାର ନନଷ୍ଟପ୍ ଅପରେସନ କରିଥିଲେ ଉଦ୍ଧାରକାରୀ ଦଳ । ଦେଶବାସୀଙ୍କ ପ୍ରାର୍ଥନା ଥିଲେ ରାହୁଲ ଭଲରେ ଭଲରେ ଉଦ୍ଧାର ହେଉ… ସେଇୟା ହେଲା ସମସ୍ତଙ୍କ ପରିଶ୍ରମ ଫଳପ୍ରଦ ହେଲା, ରାହୁଲ ଜଗନ୍ନାଥଙ୍କ କୃପାରୁ ମୃତ୍ୟୁର ଗାତରୁ ମାଆ କୋଳକୁ ଫେରିବାରେ ସକ୍ଷମ ହେଲା ।

ଛତିଶଗଡର ଏ ଛାତିଥରା ଘଟଣା, ଓଡିଶାର ଛାତିକୁ ଦୋହଲାଇ ଦେଇଥିଲା । ଛତିଶଗଡରେ ରାହୁଲର ରେସ୍କ୍ୟୁ ଚାଲିଥିଲା ସତ, ରାହୁଲର ଆସିବା ବାଟକୁ ତା ମାଆବାପା ଚାତକ ପରି ଚାହିଁ ରହିଥିଲେ ସତ । ହେଲେ ରାହୁଲ ଘଟଣା ଦେଖି ଓଡିଶା ସମେତ ଦେଶର ଅନେକ ବାପାମାଆ ସତର୍କ ହୋଇଯାଇଥିବେ ନିଶ୍ଚିତ । ଟିଭି ପରଦାରେ ହେଉ କି ମୋବାଇଲ ସ୍କ୍ରିନରେ, ରାହୁଲର ରେସ୍କ୍ୟୁ ଦେଖିଲା ବେଳେ ନିଜ ପିଲାକୁ ସେମାନେ ନିହାତି କହୁଥିବେ, ବାବାରେ ଖେଳିଲା ବେଳେ ଟିକେ ଦେଖିଚାହିଁ ଖେଳୁଥିବୁ । ଯାଆସ କଲାବେଳେ ସତର୍କ ରହୁଥିବୁ । ସମ୍ପର୍କୀୟମାନେ କଥା ହେଳା ବେଳେ କିମ୍ବା ଫୋନରେ ବାର୍ତ୍ତଳାପ କଲା ବେଳେ ରାହୁଲର କଥା ପକାଇଥିବେ ନିଶ୍ଚିତ । ଆଉ ସେହି ସମୟରେ ସେମାନେ ବୋଧହୁଏ ରାହୁଲର ଘଟଣାକୁ ଉଦାହରଣ ରୂପେ ନେଇ ନିଜ ନିଜ ପିଲାଙ୍କ ସୁରକ୍ଷା କଥା କହୁଥାଇପାରନ୍ତି । ରାହୁଲ ଘଟଣା ଅନ୍ତନ ଅନେକ ଅଭିଭାବକଙ୍କୁ ଶିକ୍ଷା ଦେଇଦେଲା ।

ସାରା ଦେଶରେ ଯେତେବଳେ ଏହି ଘଟଣା ଚହଳ ପକାଇଥିଲା । ସେତେବେଳେ ବିଭିନ୍ନ ସମୟରେ ବୋରୱେଲ ଦୁର୍ଘଟଣା ନେଇ ଅନେକ ଚିତ୍ର ଆଖିରେ ନାଚିଯାଉଥିଲା । ଆଉ ବିଭିନ୍ନ ସ୍ଥାନରେ ଖୋଳା ହୋଇଥିବା ବୋରୱେଲ କଥା ବି ସାମ୍ନାକୁ ଆସିଥିଲା । ଓଡିଶା ସମେତ ଦେଶର ଅନେକ ସ୍ଥାନରେ ଏବେ ବି କିଛି ସ୍ଥାନ ଥାଇପାରେ ଯେଉଁଠି ବୋରୱେଲ ଖୋଳା ପରେ ଲୋକେ ଖାମଖିଆଲି ଭାବେ ଉପରେ ବନ୍ଦ କରିବାକୁ ଭୁଲି ଯାଆନ୍ତି । ଗର୍ତ୍ତ ଉପରେ ପଲିଥିନ ଢାଙ୍କି କାମ ସାରି ଦିଅନ୍ତି । ଯାହା ପରବର୍ତ୍ତୀ ସମୟରେ ଏମିତି ଅଘଟଣର କାରଣ ସାଜେ । ଆଉ ତାପରେ ସାମ୍ନାକୁ ଆସେ ପ୍ରିନ୍ସ, ରାହୁଲ ଭଳି ଖବର । ବୋରୱେଲ ଖୋଳା ପରେ ଏସବୁ ଦିଗ ପ୍ରତି ଯଦି ଧ୍ୟାନ ଦିଅନ୍ତେ ତେବେ ଅଘଟଣକୁ ଏଡାଇ ହୁଅନ୍ତା ।