ମହାଲିଙ୍ଗ କଲେଜରେ ଚାଲିଥିଲା ସେକ୍ସ ସ୍କାଣ୍ଡାଲ, ଦିଆଯାଉଥିଲା ଯୌନ ନିର୍ଯାତନା । ପଢନ୍ତୁ, ମମିତା ମେହେର ମୃତ୍ୟୁ ମାମଲାରେ କ’ଣ କହିଲେ ବିଜୟ ମହାପାତ୍ର?

393

କନକ ବ୍ୟୁରୋ: ମମିତା ମେହେର୍ ହତ୍ୟା ମାମଲାରେ ଦାଖଲ ହୋଇଥିବା କେସ୍ ଡାଏରୀ ଆଧାରରେରେ ସାମ୍ନାକୁ ଆସିଥିବା ତଥ୍ୟ ସାଂଘାତିକ ଦିଗ ସାମ୍ନାକୁ ଆଣିଛି । ଯାହା ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି । କେସ୍ ଡାଏରୀ ଅନୁସାରେ, ମହାଲିଙ୍ଗ କଲେଜ ଏବଂ ସ୍କୁଲରେ ଛାତ୍ରୀ ଓ ମହିଳା କର୍ମଚାରୀଙ୍କୁ ଦିଆଯାଉଥିଲା ଯୌନ ନିର୍ଯ୍ୟାତନା । ଆଉ ଏନେଇ ଯେତେବେଳେ ମମିତା ମେହେର୍ ତଥ୍ୟ ପ୍ରଘଟ କରିଦେବେ ବୋଲି କହିଲେ, ସେତେବେଳେ ଗୋବିନ୍ଦ ତାଙ୍କୁ ହତ୍ୟା କରିବାକୁ ମସୁଧା କରିଥିଲା । ପୂର୍ବରୁ ହତ୍ୟା ପଛରେ ପରକୀୟା ପ୍ରୀତି ହିଁ କାରଣ ବୋଲି କହୁଥିବା ପୋଲିସ ସେକ୍ସ ସ୍କାଣ୍ଡାଲର ଦିଗ ପ୍ରତି କାହିଁକି ଚୁପ୍ ରହିଥିଲା, ସେନେଇ ପ୍ରଶ୍ନ ଉଠିଛି ।

ତେବେ ମମିତା ହତ୍ୟା ମାମଲାରେ ସାରାରାଜ୍ୟ ହୁଲୁସ୍ତୁଲ ହେଉଥିବାବେଳେ, ପୋଲିସର କେସ୍ ଡାଏରୀ ସମ୍ପୂର୍ଣ୍ଣ ମାମଲାର ମୋଡ ବଦଳାଇ ଦେଇଛି । କେସ ଡାଏରୀକୁ ଦେଖାଇ ପୁଲିସର ତଦନ୍ତ ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇବା ସହ ବର୍ଷିଛନ୍ତି ବିଜେପି ନେତା ବିଜୟ ମହାପାତ୍ର । ମହାଲିଙ୍ଗ କଲେଜରେ ଚାଲିଥିବା ସେକ୍ସ ସ୍କାଣ୍ଡାଲ ନେଇ ପୁଲିସ କାହିିଁକି ତଦନ୍ତ କରୁନାହିଁ ସେ ନେଇ ପ୍ରଶ୍ନ କରିଛନ୍ତି ଓ ଜବାବ ମାଗିଛନ୍ତି ବିଜୟ । ଆଉ ବିଜେଡି କହିଛି, ତଦନ୍ତ ନେଇ ଉତ୍ତର ଦେବ ପୁଲିସ୍ ।

କଲେଜରେ ଚାଲିଥିଲା ସେକ୍ସ ସ୍କାଣ୍ଡାଲ । କଲେଜ ଛାତ୍ରୀ ଏବଂ ମହିଳା କର୍ମଚାରୀଙ୍କୁ ଦିଆଯାଉଥିଲା ଯୌନ ନିର୍ଯ୍ୟାତନା ଆଉ ଏହାର ଖଳନାୟକ ଥିଲା ନିଜେ ଗୋବିନ୍ଦ ସାହୁ । ହତ୍ୟାର ଶିକାର ହୋଇଥିବା ମମିତା ମେହେର୍ ଏହି ଅନୈତିକ କାର୍ଯ୍ୟର ବିରୋଧ କରିଥିଲେ । ନିଜ ଅପକର୍ମର କାଳେ ଖୁଲାସା ହୋଇଯିବ, ତେଣୁ ମମିତାଙ୍କୁ ରାସ୍ତାରୁ ହଟାଇଥିଲା ଗୋବିନ୍ଦ । ମମିତା ହତ୍ୟା ମାମଲାରେ ଦାଖଲ ହୋଇଥିଲା କେସ୍ ଡାଏରୀକୁ ଦେଖାଇ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ବଙ୍ଗମୁଣ୍ଡା ଜେଏମଏଫସି କୋର୍ଟରେ ପୋଲିସ ଦାଖଲ କରିଥିବା ପ୍ରାଥମିକ ତଦନ୍ତ ରିପୋର୍ଟ ସାମ୍ନାକୁ ଆସିବା ପରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

  • କାହିଁକି ସେକ୍ସ ସ୍କାଣ୍ଡାଲ ବାବଦରେ ପୁଲିସ ଆଜିଯାଏଁ ଚୁପ୍ ରହିଥିଲା?
  • ହତ୍ୟା ପାଇଁ ପରକୀୟା ପ୍ରୀତିକୁ କାରଣ ଦର୍ଶାଇ ଏହାକୁ ଲୁଚାଯାଇଥିଲା କି?
  • ଡିଆଇଜି ଅଳ୍ପ ତଥ୍ୟ ଦେଇ ବେଶୀ ତଥ୍ୟ ଲୁଚାଇଥିଲେ କି?
  • ଯୌନ ନିର୍ଯ୍ୟାତନାର ଶିକାର ଛାତ୍ରୀ, କର୍ମଚାରୀଙ୍କୁ ପଚରାଉଚୁରା କରିବ କି?

ଅନ୍ୟପଟେ ବିଜୟଙ୍କ ଅଭିଯୋଗକୁ ସମର୍ଥନ କରିଛନ୍ତି ପୂର୍ବତନ ପୋଲିସ ଡିଜି ସଂଜୀବ ମାରିକ । ହତ୍ୟାକାଣ୍ଡର ମୂଳ କାରଣ ସେକ୍ସ ସ୍କାଣ୍ଡାଲ ହୋଇଥିବା ବେଳେ ପୋଲିସ କାହିଁକି ସେ ଦିଗରେ ତଦନ୍ତ କରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଆଉ ଏପଟେ ତଦନ୍ତକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ପୋଲିସ ଦେବ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ୍ ପାତ୍ର । ମମିତା ମାମଲାରେ ପୋଲିସ ଚାପଗ୍ରସ୍ତ ହୋଇ କାର୍ଯ୍ୟ କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି ବିଜୟ । ଏଫଆଇଆର ରୁଜୁୁ ଏବଂ କେସ୍ ଡାଏରୀ ଦାଖଲ ମଧ୍ୟରେ ଥିବା ସମୟର ଫରକକୁ ନେଇ ସେ ସନ୍ଦେହ ମଧ୍ୟ ପ୍ରକଟ କରିଛନ୍ତି ।