ତୈଳ ଦରବୃଦ୍ଧି ନେଇ ମୁହଁ ଖୋଲିଲେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ । କେମିତି କମିବ ଦର ଦେଲେ ଉପଦେଶ

1,053

କନକ ବ୍ୟୁରୋ : ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଥିବା ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଦରକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା  ସିତାରମଣ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି ଏଭଳି ଭାବେ ତୈଳଦର ବୃଦ୍ଧି ହେବା ଦେଶ ପାଇଁ ଏକ ଚିନ୍ତାଜନକ ବିଷୟ । ଏହି ସମସ୍ୟାର ସମାଧାନ ପାଇଁ କେବଳ ଦର ହ୍ରାସ କରିବା ବ୍ୟତିତ ଅନ୍ୟ କିଛି କରି ଲୋକମାନଙ୍କୁ ସନ୍ତୁଷ୍ଟ କରାଯାଇ ପାରିବ ନାହିଁ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କିଭଳି ଖୁଚୁରା ଉପଭୋକ୍ତାଙ୍କୁ କମ ଦାମରେ ତେଲ ଯୋଗାଇ ଦେଇ ପାରିବେ ସେ ନେଇ ଆଲୋଚନା କରିବା ଜରୁରୀ ବୋଲି ସେ ମତ ଦେଇଛନ୍ତି ।

ଏହାସହ ସେ କହିଛନ୍ତି କି ଓପିଇସି (ଅର୍ଗାନାଇଜେସନ୍ ଅଫ୍ ପେଟ୍ରୋଲିୟମ ଏକ୍ସପୋର୍ଟିଂ କଣ୍ଟ୍ରି)  ଦେଶ ସମୁହ ମାନେ ଇନ୍ଧନ ଉତ୍ପାଦନକୁ ନେଇ ଯେଉଁ ଅନୁମାନ କରୁଥିଲେ ତାହା ହ୍ରାସ ପାଇବାରେ ଲାଗିଛି । ଯାହାକି ଚିନ୍ତାର ବିଷୟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ତେଲର ଦାମ ସରକାରଙ୍କ ନିୟନ୍ତ୍ରଣରେ ନଥିବା ବେଳେ ଏହାକୁ ଟେକନିକ୍ ଆଧାରରେ ମୁକ୍ତ କରାଯାଇଛି । ଫଳରେ ତୈଳ କମ୍ପାନୀ ମାନେ କଚ୍ଚା ତେଲ କିଣି ତାହାକୁ ବିଶୋଧିତ କରି ବିକ୍ରି କରୁଛନ୍ତି । ତେଣୁ ଏହାର ଦାମ  ନିୟନ୍ତ୍ରଣ ସେମାନଙ୍କ ଉପରେ ନିର୍ଭର କରୁଛି ।

କହିରଖୁ କି ଅର୍ଥମନ୍ତ୍ରୀଙ୍କ ପ୍ରତିକ୍ରିୟା ସେହି ସମୟରେ ଆସିଛି ଯେତେବେଳେ ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ ଆକାଶଛୁଆଁ ହୋଇଛି । ଏହାକୁ ନେଇ କେନ୍ଦ୍ରସରକାର ବିରୋଧୀଦଳଙ୍କ ଟାର୍ଗେଟ୍ କୁ ଚାଲି ଆସିଛନ୍ତି । ଶନିବାର ଦିନ ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୯୭ ଟଙ୍କା ପାର କରିଛି । ଏହାସହ ଡିଜେଲ ଲିଟର ପିଛା ବି ୮୮ ଟଙ୍କାରେ ପହଂଚିଛି । ସାର୍ବଜନୀକ ସ୍ତରରେ ଶନିବାର ଦିନ ତୈଳ କମ୍ପାନୀ ମାନେ ପେଟ୍ରୋଲ ଲିଟର ପିଛା ଦାମ ୩୯ ପଇଷା ବୃଦ୍ଧି କରିଥିବା ବେଳେ ଡିଜେଲ ଲିଟର ପିଛା ଦାମ ୩୭ ପଇଷା ବୃଦ୍ଧି କରିଛନ୍ତି ।