କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଦେଶବାସୀଙ୍କୁ ଚକିତ କରି ୩ ବିବାଦୀୟ କୃଷି ଆଇନକୁ ଉଚ୍ଛେଦ କରିବା ଲାଗି ଘୋଷଣା କରିଛନ୍ତି। ସଂସଦରେ ଏ ସଂକ୍ରାନ୍ତରେ ପଦକ୍ଷେପ ଚଳିତମାସରେ ହିଁ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ଚଳିତବର୍ଷ ଫେବ୍ରୁଆରୀ ୮ ତାରିଖରେ ବଜେଟ ଅଧବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ରଖିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ଆଇନ ସପକ୍ଷରେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ଆଲୋଚନା ପାଇଁ ସରକାରଙ୍କ ଦ୍ବାର ଉନ୍ମୁକ୍ତ ରହିଛି। କିନ୍ତୁ ଆଇନ ଉଚ୍ଛେଦ ହେବନାହିଁ ବୋଲି ସେ ଦୃଢ଼ଭାବେ କହିଥିଲେ।
ସଂସଦରେ ମୋଦୀ ପ୍ରାୟ ୧ ଘଣ୍ଟା ୭ ମିନିଟ୍ର ଦୀର୍ଘ ଭାଷଣ ଦେଇଥିଲେ। ସେଥିରୁ ପାଖାପାଖି ୨୫ ମିନିଟ କୃଷି ସଂସ୍କାର ଉପରେ ମତ ରଖିଥିଲେ। ଷଷ୍ଠ ଦଶକର ମଧ୍ୟଭାଗରେ ଦେଶରେ ଆରମ୍ଭ ହୋଇଥିବା ସବୁଜ ବିପ୍ଳବ ସହିତ ନୂଆ କୃଷି ଆଇନକୁ ତୁଳନା କରିଥିଲେ। କୃଷି ଆଇନ ସପକ୍ଷରେ ଶକ୍ତ ଯୁକ୍ତି ବାଢ଼ିବାକୁ ଯାଇ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ, ଚୌଧୁରୀ ଚରଣ ସିଂହ ଏବଂ ଡ. ମନମୋହନ ସିଂହଙ୍କ ଉଦାହରଣ ଦେଇଥିଲେ। ଷଷ୍ଠ ଦଶକରେ ଦେଶର ଖାଦ୍ୟାଭାବ ଏବଂ ଆମେରିକାର ପିଏଲ ୪୮୦ ଯୋଜନା ସଂପର୍କରେ ସେ କହିଥିଲେ। ନୂଆ ପଦ୍ଧତିରେ ଚାଷ, ସାର, ଜଳସେଚନ ଆଦି ବ୍ୟବସ୍ଥା ଯୋଗୁ ସବୁଜ ବିପ୍ଳବ ସମ୍ଭବ ହୋଇପାରିଥିଲା ବୋଲି ମୋଦୀ କହିଥିଲେ। ଶାସ୍ତ୍ରୀ ସେତେବେଳେ କୃଷି କ୍ଷେତ୍ରରେ ସଂସ୍କାର ପାଇଁ ଯେଉଁ ଉଦ୍ୟମ କରିଥିଲେ ସେହି ସମୟରେ କୃଷିମନ୍ତ୍ରୀ ହେବା ପାଇଁ ତାଙ୍କ ଦଳରେ କେହି ଆଗ୍ରହ ପ୍ରକାଶ କରି ନଥିଲେ ମୋଦୀ ମନେ ପକାଇ ଦେଇଥିଲେ। ବର୍ତ୍ତମାନ ନୂଆ କୃଷି ଆଇନକୁ ଯେଭଳି ବିରୋଧ କରାଯାଉଛି ସେହି ସମୟରେ ସବୁଜ ବିପ୍ଳବକୁ ମଧ୍ୟ ବିରୋଧ କରାଯାଉଥିଲା। ବାମଦଳଗୁଡ଼ିକ ବର୍ତ୍ତମାନ କୃଷି ସଂସ୍କାର ବିରୋଧରେ ଯେଉଁ ଭାଷା ପ୍ରୟୋଗ କରୁଛନ୍ତି ସେତେବେଳେ ମଧ୍ୟ ସେୟା କରୁଥିଲେ। କୃଷି ଆଇନକୁ ଯଥାର୍ଥ ବୋଲି ଦର୍ଶାଇବା ପାଇଁ ପ୍ରଧାନମନ୍ତ୍ରୀ ଡାଇରୀ କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର କିଭଳି ଲାଭଦାୟକ ହୋଇଛି ତାହାର ଉଦାହରଣ ଦେଇଥିଲେ। ଭାରତରେ ବର୍ତ୍ତମାନ ବର୍ଷକୁ ୮ ଲକ୍ଷ କୋଟି ଟଙ୍କାର ମାଂସ ଉତ୍ପାଦନ ହେଉଛି। ଏହାର ମୂଲ୍ୟ ଗହମ, ଚାଉଳ ଏବଂ ଅନ୍ୟ ଖାଦ୍ୟଶସ୍ୟର ମୂଲ୍ୟଠାରୁ ଅଧିକ ବୋଲି ମୋଦୀ କହିଥିଲେ।
୧୯୭୧ ଜନଗଣନାରେ କ୍ଷୁଦ୍ରଚାଷୀମାନଙ୍କ ଜମି ପରିମାଣ କଥା ଉଲ୍ଲେଖ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ ସେତେବେଥଳର କ୍ଷୁଦ୍ରଚାଷୀମାନଙ୍କ ଦୟନୀୟ ସ୍ଥିତି ସଂପର୍କରେ ଯାହା କହିଥିଲେ ମୋଦୀ ତାହାର ସୂଚନା ଦେଇଥିଲେ। ଏତେ କମ୍ ଜମିରେ ଚାଷୀମାନଙ୍କ ଆୟ କିଭଳି ବୃଦ୍ଧି ପାଇବ ବୋଲି ମୋଦୀ ପ୍ରଶ୍ନ କରିଥିଲେ। ମୋଦୀ ମନମୋହନଙ୍କ ମନ୍ତବ୍ୟକୁ ମଧ୍ୟ ଉଦ୍ଧାର କରିଥିଲେ। ସେ କହିଥିଲେ ଭାରତୀୟ କୃଷିର ସାମର୍ଥ୍ୟକୁ ଅନୁଭବ କରିବା ପାଇଁ ହେଲେ ଏହାକୁ ବୃହତ ମୁକ୍ତ ବଜାରର ନିକଟତର କରିବାକୁ ହେବ। ବର୍ତ୍ତମାନ ମୁଁ ତାହା ହିଁ କରୁଛି। କଂଗ୍ରେସ କାହିଁକି ବିରୋଧ କରୁଛି ବୋଲି ସେ ପଚାରିଥିଲେ।
କୃଷି ଆନ୍ଦୋଳନ ସଂପର୍କରେ ମୋଦୀ କହିଥିଲେ ଦେଶରେ କିଛି ଲୋକ ସେମାନଙ୍କ ଶ୍ରମ ଏବଂ କଠିନ ପରିଶ୍ରମ ବଳରେ ବଞ୍ଚନ୍ତି। କିଛି ଲୋକ ସେମାନଙ୍କ ମେଧା ଏବଂ କିଛି ଲୋକ ଆନ୍ଦୋଳନ ମାଧ୍ୟମରେ ବଞ୍ଚନ୍ତି। ଏହି ପେସାଦାର ଆନ୍ଦୋଳନକାରୀଙ୍କୁ ମୋଦୀ ଆନ୍ଦୋଳନଜୀବୀ ବୋଲି କହିବା ସହିତ ସେମାନଙ୍କୁ ପରାଙ୍ଗପୁଷ୍ଟ ଆଖ୍ୟା ଦେଇଥିଲେ। କିନ୍ତୁ ୧୯ ନଭେମ୍ବର ୨୦୨୧, ଶୁକ୍ରବାର ୩ କୃଷି ଆଇନ ପ୍ରତ୍ୟାହାର କରାଯାଉଥିବା ନେଇ ଘୋଷଣା କରିଥିଲେ ମୋଦୀ । ଏହାସହ କିଛି ଚାଷୀଙ୍କୁ ଆମେ ବୁଝାଇବାରେ ବିଫଳ ହେଲୁ ବୋଲି କହିଥିଲେ ମୋଦୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/2021_2largeimg_851505865.jpg)