କନକ ବ୍ୟୁରୋ : କୋର୍ଟରେ ଦୋଷ ସ୍ୱୀକାର କରିଛି ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ । କିନ୍ତୁ ପରବର୍ତୀ ଶୁଣାଣି ଯାଏଁ ଅପେକ୍ଷା କରିବାକୁ ଜଜ୍ କହିଛନ୍ତି । ଆଜି କୋର୍ଟରୁମରେ ଏଭଳି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଗୋପାଳ ବିରୋଧରେ ଚାର୍ଜଫ୍ରେମ କରିବା ପାଇଁ ଝାରସୁଗୁଡା ଜିଲ୍ଲା ସେସନ୍ସ କୋର୍ଟରେ ହାଜର କରିଥିଲା ପୋଲିସ । କାଠଗଡାରେ ଛିଡା ହୋଇଥିବା ବେଳେ ଅଭିଯୁକ୍ତର କେହି ଓକିଲ ଅଛନ୍ତି କି ବୋଲି ପ୍ରଶ୍ନ କରିଥିଲେ ବିଚାରପତି । ଉତ୍ତରରେ ଗୋପାଳ କହିଥିଲା, ମୁଁ ଓକିଲ ଦେଇନାହିଁ ।
ଜଜ୍ - ଆପଣ ଓକିଲ କାହାକୁ ଦେଇଛନ୍ତି?
ଗୋପାଳ - ମୁଁ ଓକିଲ ଦେଇନାହିଁ ।
ଜଜ୍- ତା' ହେଲେ ସରକାରଙ୍କ ତରଫରୁ ଜଣେ ଓକିଲ ଦେଉଛୁ
ଡିଫେନ୍ସ କାଉନସିଲଙ୍କ ତାଲିକାରୁ ନରେଶ ନାୟକଙ୍କୁ ଆପଣଙ୍କ ଓକିଲ ନିଯୁକ୍ତ କରାଗଲା ।
ମାମଲା ଅତିରିକ୍ତ ଜିଲ୍ଲା ସେସନ୍ସ କୋର୍ଟକୁ ଗଲା ।
ଅଗଷ୍ଟ ୯ତାରିଖରେ ଶୁଣାଣି ହେବ ।
ଗୋପାଳ - ମୁଁ ଦୋଷ ସ୍ୱୀକାର କରୁଛି ।
ଜଜ୍ - ବର୍ତ୍ତମାନ ଦୋଷ ସ୍ୱୀକାର କରିବାର ସମୟ ନୁହେଁ । ଯାହା କହିବ, ପରବର୍ତ୍ତି ଶୁଣାଣିରେ କହିବ ।
ପରେ ସରକାରଙ୍କ ତରଫରୁ ଜଣେ ଓକିଲ ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡିଫେନ୍ସ କାଉନସିଲଙ୍କ ତାଲିକାରୁ ନରେଶ ନାୟକଙ୍କୁ ଗୋପାଳର ଓକିଲ ଭାବେ କୋର୍ଟ ନିଯୁକ୍ତ କରିଛନ୍ତି । ଏଥିସହ ମାମଲାକୁ ଅତିରିକ୍ତ ଜିଲ୍ଲା ସେସନ୍ସ କୋର୍ଟକୁ ପଠାଇ ଦେଇଥିଲେ ଏବଂ ଅଗଷ୍ଟ ୯ରେ ପରବର୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । ଏତିକି ବେଳେ କାଠଗଡାରେ ଛିଡା ହୋଇଥିବା ଗୋପାଳ ପାଟି କରି ଦୋଷ ସ୍ୱୀକାର କରିଛି । ହେଲେ ବିଚାରପତି ବର୍ତ୍ତମାନ ଦୋଷ ସ୍ୱୀକାର କରିବାର ସମୟ ନୁହେଁ, ଏବଂ ଯାହା କହିବାର ଅଛି ପରବର୍ତ୍ତୀ ଶୁଣାଣିରେ କହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।