କନକ ବ୍ୟୁରୋ: ମାର୍ଚ୍ଚ ୫ତାରିଖରୁ ବିଜେଡି-ବିଜେପି ମେଣ୍ଟକୁ ନେଇ, ଅନେକ ଚର୍ଚ୍ଚା ଓ ହଟଚମଟ ଦେଖିବା ପାଇଁ ମିଳିଲା । ଏପରିକି ଆସନ ଭାଗବଣ୍ଟା ନେଇ ଜାତୀୟ ଗଣମାଧ୍ୟମରେ ଅନେକ ରିପୋର୍ଟ ଆସିଲା । ଏଥିରେ କୁହାଗଲା, ଲୋକସଭାରେ ବିଜେପି ଅଧିକ ଆସନ ଓ ବିଧାନସଭାରେ ବିଜେଡି ଅଧିକ ଆସନରେ ଲଢ଼ିବ । କିନ୍ତୁ ନିର୍ବାଚନ ତାରିଖ ଘୋଷଣା ପରେ ପରେ ମେଣ୍ଟ ଚର୍ଚ୍ଚାର ଜବନିକା ପଡିଛି ।

Advertisment
  • ମେଣ୍ଟ ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ! 
  • ଏକାଠି ନୁହେଁ ଏକା ଏକା ଲଢ଼ିବେ ବିଜେଡି-ବିଜେପି 

ଶୁକ୍ରବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସୋସିଆଲ ମିଡିଆ ପୋଷ୍ଟ ଚର୍ଚ୍ଚାର ଅନ୍ତ ଘଟାଇଛି । କିନ୍ତୁ ଦୁଇ ଦଳର ନେତାଙ୍କ ଘନ ଘନ ବୈଠକ, ଶୀର୍ଷ ନେତାଙ୍କ ବୟାନ ପରେ କାହିଁକି ଅଧାରେ ଅଟକିଗଲା ମେଣ୍ଟ? ଯାହାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ମେଣ୍ଟ ଅଟକିବା ପଛରେ ଏକାଧିକ କାରଣ ଅଛି ବୋଲି କହୁଛନ୍ତି ।

ମେଣ୍ଟ ଅଟକିବା ପଛର କାରଣ? 

  • କାରଣ ୧ - ଆସନ ବୁଝାମଣାରେ ରାଜି ହେଲେନି ଦୁଇ ଦଳ 
  • କାରଣ- ୨ - ବିଜେପି ବିଧାନସଭାରେ ଯେତିକି ଆସନ ମାଗୁଥିଲା, ସେତିକି ଆସନ ଦେବାକୁ ରାଜି ହେଲାନି ବିଜେଡି 
  • କାରଣ- ୩ - ପୁରୀ, ଭୁବନେଶ୍ୱର ଭଳି ଗୁରୁତ୍ୱପୂର୍ଣ୍ଣ ଆସନକୁ ଉଭୟ ଦଳ ନିଜ ପାଖରେ ରଖିବାକୁ ଚାହୁଁଥିଲେ 
  • କାରଣ- ୪ - ଆସନ ବୁଝାମଣା ସହ କ୍ଷମତା ବୁଝାମଣା ମଧ୍ୟ ମେଣ୍ଟରେ ଏକ କଣ୍ଟା ଥିଲା 
  • କାରଣ- ୫ - ରାଜ୍ୟ ବିଜେପି ନେତୃତ୍ୱ ମେଣ୍ଟ ପାଇଁ ରାଜି ହୋଇନଥିଲେ, ଏକା ଲଢ଼ିବାକୁ ଦାବି ରଖିଥିଲେ 
  • କାରଣ- ୬ – ମେଣ୍ଟକୁ ନେଇ ତୃଣମୂଳ ସ୍ତରର ନେତା ରାଜି ନଥିଲେ 

ମେଣ୍ଟ ହେବ ନାହିଁ ବୋଲି ଦୁଇ ଦଳର ନେତା କହିବା ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବିଜେଡି- ବିଜେପି ସଫେଇ ରଖିଥିବାବେଳେ. ଉଭୟ ଦଳକୁ କଟାକ୍ଷ କରିଛି କଂଗ୍ରେସ । ତେବେ କୌଣସି ନେତା ମେଣ୍ଟ ହେବନି ବୋଲି କହି ନଥିଲେ, ବି ଅଲଗା ଅଲଗା ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି । ହେଲେ, ବିଜେପି ବିଜେଡି ପୂର୍ବଭଳି ଜବରଦସ୍ତ ଲଢ଼େଇ କରିବେ ନା ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ କରିବେ? ସେ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ରାଜନୀତି ସମୀକ୍ଷକ ।