କନକ ବ୍ୟୁରୋ: ଆକାଶରୁ ଖସୁଛି ମୃତ୍ୟୁ ! କିଛି ଦିନ ତଳେ ବିହାରରେ ଗୋଟିଏ ଦିନରେ ବଜ୍ରପାତ କାରଣରୁ ପ୍ରାୟ ଶହେରୁ ଅଧିକ ଲୋକଙ୍କର ଜୀବନହାନୀ ଘଟିଥିଲା । ଯାହା ସମସ୍ତଙ୍କ ସ୍ତବ୍ଧ କରିଦେଇଥିଲା । ଓଡିଶାରେ ମଧ୍ୟ ଏହାର ଭୟାବହତା ଅନେକ ସମୟରେ ଦେଖିବାକୁ ମିଳିଥାଏ । ତେବେ ବିଜୁଳି ମାରିବା ତଥା ବଜ୍ରପାତ ହେବା ଏକ ପ୍ରାକୃତିକ ଘଟଣା ।  ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ପ୍ରତି ସେକେଣ୍ଟରେ ପୃଥିବୀରେ ମାଡ ହୋଇଥାଏ ପ୍ରାୟ ୫୦-୧୦୦ ଥର ବଜ୍ରପାତ । ସେହିଭଳି ସୂର୍ଯ୍ୟ ତୁଳନାରେ ବଜ୍ରପାତର ଉତାପ ବହୁତ ଅଧିକ ହୋଇଥାଏ ।  ବିଜୁଳି ଯେଉଁ ରାସ୍ତା ଦେଇ ଅତିକ୍ରମ କରି ଭୂପୃଷ୍ଠ ଆଡକୁ ମାଡି ଆସିଥାଏ, ସେଠାରେ ଥିବା ବାୟୁ ତଥା ପବନ ୧୫ ହଜାର ଡିଗ୍ରୀ ଫାରେନହାଇଟ୍ ପର୍ଯ୍ୟନ୍ତ ଉତପ୍ତ ହୋଇଥାଏ ।  ତେବେ ଏହି ଉତାପ ସୂର୍ଯ୍ୟର ଉତାପଠାରୁ ବହୁଗୁଣା ଅଧିକ ହୋଇଥାଏ । ତେବେ ଏଠାରେ ପ୍ରଶ୍ନ ଉଠୁଛି କି ଆକାଶରେ କିଭଳି ସୃଷ୍ଟି ହୋଇଥାଏ ବିଜୁଳୀ? ଏବଂ ବଜ୍ରପାତ ସମୟରେ କିଭଳି ସତର୍କତା ଆମକୁ ଅବଲମ୍ବନ କରିବା ଉଚିତ ।

Advertisment

ବଜ୍ରପାତ ବେଳେ କରିବେ କଣ?

• ହଠାତ୍ ଶରୀର ସିତେଇ ଉଠିଲେ କିମ୍ବା ମୁଣ୍ଡ କେଶ ଛିଡା ହୋଇଗଲା ଭଳି ଲାଗିଲେ ତେବେ ତୁରନ୍ତ ତଳେ ବସି କାନ ବନ୍ଦ କରିଦିଅନ୍ତୁ । କାରଣ ଏହା ବଜ୍ରପାତ ହେବାର ଏକ ସଂକେତ ଦେଇଥାଏ ।

• ଆପଣ ଯେଉଁଠାରେ ଅଛନ୍ତି ସେଠାରେ ରୁହନ୍ତୁ । ଯଦି ସମ୍ଭବ ପାଦ ତଳେ କାଠ, ପ୍ଲାଷ୍ଟିକ, ଅଖା କିମ୍ବା ଶୁଖିଲା ପତ୍ର ଭଳି ଶୁଖିଲା ଜିନିଷ ରଖନ୍ତୁ ।

• ଦୁଇ ଗୋଡକୁ ଏକାଠି କରି ରଖନ୍ତୁ, ଦୁଇ ହାତକୁ ଆଣ୍ଠୁରେ ରଖନ୍ତୁ ଏବଂ ମୁଣ୍ଡକୁ ଯଥାସମ୍ଭବ ହେବ ତଳକୁ ନୁଆନ୍ତୁ । ମନେ ରଖିବେ ଆପଣଙ୍କ ମୁଣ୍ଡ ଯେଭଳି ମାଟିରେ ନ ଲାଗେ । ବଜ୍ରପାତ ବେଳେ ଭୂଇଁରେ ଆଦୌ ଶୁଅନ୍ତୁ ନାହିଁ ।

• ବୈଦ୍ୟୁତିକ ଉପକରଣଠାରୁ ଦୂରେଇ ରୁହନ୍ତୁ । ତାର ଯୁକ୍ତ ଟେଲିଫୋନର ବ୍ୟବହାର ମଧ୍ୟ କରନ୍ତୁ ନାହିଁ । ଝରକା, କବାଟ, ବାରଣ୍ଡା ଏବଂ ଛାତଠାରୁ ଦୂରରେ ରୁହନ୍ତୁ ।

• ଗଛ ବଜ୍ରପାତକୁ ବେଶି ଆକର୍ଷିତ କରିଥାଏ, ତେଣୁ ଗଛ ତଳେ ଆଦୌ ଛିଡା ହୁଅନ୍ତୁ ନାହିଁ । ବିଜୁଳୀ ମାରିବା ସମୟରେ ଦଳବନ୍ଧ ହୋଇ ଛିଡା ହୁଅନ୍ତୁ ନାହିଁ । ସର୍ବଦା ଅଲଗା ରୁହନ୍ତୁ ।

• ଯଦି ଆପଣ ଘର ବାହାରେ ଅଛନ୍ତି ତେବେ ଧାତୁ ନିର୍ମିତ କୌଣସି ବି ଜିନିଷକୁ ଆଦୌ ସ୍ପର୍ଶ କରନ୍ତୁ ନାହିଁ ।  ବାଇକ୍, ବିଦ୍ୟୁତ୍ ଖୁଣ୍ଟ  ଏବଂ ବୈଦ୍ୟୁତିକ ଉପକରଣଠାରୁ ସର୍ବଦା ଦୂରେଇ ରୁହନ୍ତୁ ।

ଆକାଶରୁ ବଜ୍ର ପଡେ କାହିଁକି?

ମହାଆକାଶୀୟ ବଜ୍ରପାତ ହେଉଛି ଏକ ବୈଦ୍ୟୁତିକ ନିଷ୍କାସନ । ଯେତେବେଳେ ବାଦଲରେ ଥିବା ହାଲୁକା କିଣିକା ଉପରକୁ ଉଠିଥାଏ ସେତେବେଳେ ସେଥିରେ ଏକ ସକରାତ୍ମକ ଚାର୍ଜ ସୃଷ୍ଟି ହୋଇଥାଏ । ସେହିପରି ଭାରୀ କଣିକା ତଳେ ଜମା ହୋଇ ଏକ ନକରାତ୍ମକ ଚାର୍ଜ ମଧ୍ୟ ସୃଷ୍ଟି କରିଥାଏ ।  ଆଉ ଯେତେବେଳେ ଏହି ସକରାତ୍ମକ ଏବଂ ନକରାତ୍ମକ ଚାର୍ଜ ବଢିଯାଏ ସେତେବେଳେ ସଂପୃକ୍ତ ଅଂଚଳରେ  ଇଲେକ୍ଟ୍ରିକ ଡିସଟାର୍ଜ ବା ବୈଦ୍ୟୁତିକ ନିଷ୍କାସନ ଆରମ୍ଭ ହୋଇଥାଏ । ଅଧିକାଂଶ ବିଜୁଳି ତଥା ବଜ୍ରପାତ ବାଦଲରେ ସୃଷ୍ଟି ହୋଇଥାଏ ଆଉ ବାଦଲରେ ହିଁ ଶେଷ ହୋଇଯାଇଥାଏ ।  କିନ୍ତୁ ଅନେକ ଥର ଭୂପୃଷ୍ଠରେ ମଧ୍ୟ ମାଡ ହୋଇଥାଏ । ସେହିଭଳି ବଜ୍ରପାତରେ ଲକ୍ଷାଧିକ ଭୋଲ୍ଟର ଶକ୍ତିକେନ୍ଦ୍ରିତ ଥାଏ । ବିଜୁଳି ଅତ୍ୟଧିକ ଉତପ୍ତ ଥିବାରୁ ବଜ୍ରପାତ ସମୟରେ ଏହା ଦ୍ରୁତ ଗତିରେ ମାଡ ହେବା ସହ ପ୍ରଚଣ୍ଡ ଶଦ୍ଦ ମଧ୍ୟ ସୃଷ୍ଟି କରିଥାଏ । ଆପଣ ଜାଣି ଚକିତ ହେବେ କି ଏହି ବିଜୁଳି ଆକାଶରୁ ଘଂଟା ପ୍ରତି ୩ ଲକ୍ଷ କିଲୋମିଟର ବେଗରେ ଭୂପୃଷ୍ଠରେ ମାଡ ହୋଇଥାଏ ।

ଆକାଶରେ କିଭଳି ସୃଷ୍ଟି ହୁଏ ବିଜୁଳି?

ସେହିଭଳି ବାଦଲରେ ଯେତେବେଳେ ବିଜୁଳି ସୃଷ୍ଟି ହୋଇଥାଏ ସେତେବେଳେ ଭୂପୃଷ୍ଠିରେ ଥିବା ବସ୍ତୁ ତଥା ପଦାର୍ଥଗୁଡିକରେ ଏକପ୍ରକାରର ଇଲେକ୍ଟ୍ରୋନିକ ଚାର୍ଜର ପରିବର୍ତ୍ତନ ଆସିଥାଏ ।  ଏହିସମୟରେ ଭୂପୃଷ୍ଠର ଉପରି ଭାଗ ଅଂଶ ପଜିଟିଭ ଚାର୍ଜ ସୃଷ୍ଟି ହେବା ସହ ଏହାର ତଳ ଭାଗ ଅଂଶରେ ନକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ଯାହାଫଳରେ  ଉଚ୍ଚ  ତଥା ବଡ ବଡ ଗଛ, ଘର ଏବଂ ମଣିଷ ଯେତେବେଳେ ପଜିଟିଭ ଚାର୍ଜ ହୋଇଯାଆନ୍ତି ସେତେବେଳେ ତାଙ୍କ ପାଖରୁ ପଜିଟିଭ ଇଲେକ୍ଟ୍ରୋନିସିଟି ବାହାରି ଉପରକୁ ଚାଲିଯାଇଥାଏ । ଯାହାକୁ ଷ୍ଟ୍ରିମର ବୋଲି କୁହାଯାଇଥାଏ ।  ତେବେ ବାଦଲରେ ତଳ ଭାଗ ଅଂଶରେ ଥିବା ଏହି ନେଗେଟିଭ୍ ଚାର୍ଜ  ଷ୍ଟ୍ରିମର ଆଡକୁ ଆକର୍ଷିତ ହେବା ଫଳରେ ଭୁପୃଷ୍ଠରେ ମାଡ ହୋଇଥାଏ ବିଜୁଳି । ଯଦି ବିଜୁଳି ମାରିବା ସମୟରେ ଆଖପାଖ ଅଂଚଳରେ କୌଣସି ଉଚ୍ଚ ଜିନିଷ ନଥାଏ, ତେବେ ମଣିଷ କିମ୍ବା ଭୂମିରେ ବଜ୍ରାଘାତ ହୋଇଥାଏ ।