ନବୀନ କେୟାର ବନାମ ମୋଦି କେୟାର, କେଉଁ ଯୋଜନାରେ ମିଳିବ କଣ? ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ଅଧିକ କ’ଣ ଫାଇଦା ପାଇବେ ରାଜ୍ୟବାସୀ

105

କନକ ବ୍ୟୁରୋ : ରାଜ୍ୟବାସୀଙ୍କୁ ଉନ୍ନତ ମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ସ୍ୱାଧୀନତା ଦିବସରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଘୋଷଣା କରି ନୂଆ ଇତିହାସ ସୃଷ୍ଟି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁଠୁ ବଡ କଥା ହେଲା ମୋଦି କେୟାର ଅଥାର୍ତ କେନ୍ଦ୍ରର ଆୟୁଷ୍ମାନ ଯୋଜନାକୁ ପ୍ରତ୍ୟାଖାନ କରି ନବୀନ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଘୋଷଣା କରିଥିଲେ । କେନ୍ଦ୍ରର ଏଭଳି ଯୋଜନାକୁ ପ୍ରତ୍ୟାଖାନ କରିବା ପଛରେ ମଧ୍ୟ ଏକ ବଡ କାରଣ ଥିଲା । କେନ୍ଦ୍ରର ଆୟୁଷ୍ମାନ ଯୋଜନାରେ ରାଜ୍ୟ ସାମିଲ ହୋଇଥିଲେ ପ୍ରାୟ ୯ ଲକ୍ଷ ରାଜ୍ୟବାସୀ ଏଥିରୁ ବାଦ୍ ପଡିଥାନ୍ତେ । ତେଣୁ ଏହାକୁ ଦୃଷ୍ଟିରେ ରଖି ଘୋଷଣା ହୋଇଥିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । କେବଳ ଏହି ଗୋଟିଏ କାରଣ ନୁହେଁ ବରଂ ଏମିତି ଅନେକ କିଛି କାରଣ ରହିଥିଲା ଯାହା ରାଜ୍ୟ ସରକାରଙ୍କୁ ବାଧ୍ୟ କରିଥିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଘୋଷଣା କରିବା ପାଇଁ । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଓ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମଧ୍ୟରେ କଣ ଥିଲା ଫରକ ତାହାର ଉତ୍ତର ବିଧାନସଭାରେ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

୧. ଆୟୁଷ୍ମାନ ଭାରତ ଯୋଜନାରେ ଓଡିଶାର ୬୦ ଲକ୍ଷ ପରିବାର ଚିହ୍ନିତ ହୋଇଥିବା ସ୍ଥଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୦ ଲକ୍ଷରୁ ଉର୍ଦ୍ଧ୍ୱ ପରିବାରଙ୍କୁ ମିଳିବ ସୁବିଧା

୨. ଆୟୁଷ୍ମାନ ଭାରତ ଯୋଜନାରେ କେବଳ ଅନ୍ତଃରୋଗୀ- ଇନଡୋର ପେସେଣ୍ଟଙ୍କୁ ଫାଇଦା ମିଳିବ କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉଭୟ ଅନ୍ତଃରୋଗୀ ଓ ବାହ୍ୟରୋଗୀ ଅର୍ଥାତ ଇନଡୋର ଓ ଆଉଟଡୋର ପେସେଣ୍ଟ ଲାଭ ପାଇବେ

୩. ଆୟୁଷ୍ମାନ ଭାରତ ଯୋଜନାର ସୁବିଧା ପାଇବା ପାଇଁ ଆଧାର କାର୍ଡ ବାଧ୍ୟତା ମୂଳକ ଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ କୌଣସି ବାଧ୍ୟବାଧକତା ନାହିଁ

୪. ଆୟୁଷ୍ମାନ ଭାରତ ଯୋଜନାରେ ପରିବାର ପିଛା ୫ ଲକ୍ଷ ଟଙ୍କାରେ ସୀମିତ ଥିବା ସ୍ଥଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପରିବାରର ମହିଳା ସଦସ୍ୟଙ୍କ ପାଇଁ ଅତିରିକ୍ତ ୨ ଲକ୍ଷ ଟଙ୍କାର ସୁବିଧା

୫. ଆୟୁଷ୍ମାନ ଭାରତ ଯୋଜନାରେ କେବଳ କାର୍ଡଧାରୀଙ୍କ ଲାଗି ଉଦ୍ଦିଷ୍ଟ କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମଗ୍ର ରାଜ୍ୟର ସାମାଜିକ, ଆର୍ଥିକ ପରିସ୍ଥିତି ନିର୍ବିଶେଷରେ ସମସ୍ତଙ୍କ ଲାଗି ସବୁ ପ୍ରକାର ଚିକିତ୍ସା ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଦେୟମୁକ୍ତ