କନକ ବ୍ୟୁରୋ: ୨୦୧୯ର ଚର୍ଚ୍ଚିତ ଘଟଣାବଳୀ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲା କାଶ୍ମୀର ପ୍ରସଙ୍ଗ । ଜମ୍ମୁ-କାଶ୍ମୀରକୁ ନେଇ ମୋଦି ସରକାର ଏକ ଐତିହାସିକ ନିଷ୍ପତି ନେଇଥିଲେ । ସ୍ୱାଧୀନତାର ଦୀର୍ଘ ୭୦ ବର୍ଷ ପରେ ଜମ୍ମୁ-କାଶ୍ମୀରରୁ ହଟିଥିଲା ଧାରା ୩୭୦ । କେବଳ ଧାରା ୩୭୦ ହଟିନି ବରଂ ଜମ୍ମୁ-କାଶ୍ମୀରକୁ ଭାଗ ଭାଗ ମଧ୍ୟ କରିଥିଲେ କେନ୍ଦ୍ର ସରକାର । ଲଦାଖକୁ ଜମ୍ମୁ-କାଶ୍ମୀର ଠାରୁ ଅଲଗା କରିବା ସହ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରିଥିଲେ । ଏହି ଘୋଷଣା ସହ ଜମ୍ମୁ-କାଶ୍ମୀର ମଧ୍ୟ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ହରାଇଥିଲା । ଜମ୍ମୁ-କାଶ୍ମୀର ମଧ୍ୟ ରାଜ୍ୟ ମାନ୍ୟତା ହରାଇଥିବା ବେଳେ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରିଥିଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ।

Advertisment

ତେବେ ରାଜ୍ୟସଭାରେ ଘୋଷଣା କରିବା ପରେ ମୋଦି ସରକାରଙ୍କ ଏହି ନିଷ୍ପତି ନେଇ ପୂରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଯାହାକୁ ନେଇ ଗୃହରେ ବିରୋଧୀ ହଙ୍ଗମା କରୁଥିବା ବେଳେ କାଶ୍ମୀର ଘାଟିରେ ଏହାର ପ୍ରଭାବ କଣ ପଡିବ ତାହା ସବୁଠୁ ବଡ ପ୍ରଶ୍ନବାଚୀ ଭାବେ ଛିଡା ହୋଇଥିଲା । ଧାରା ୩୭୦କୁ ଉଚ୍ଛେଦ କରିବା ପୂର୍ବରୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । କୌଣସି ହିଂସା, ଦଙ୍ଗା ଭଳି ଘଟଣାକୁ ଏଡାଇବା ପାଇଁ କାଶ୍ମୀର ୧୪୪ ଧାରା ଜାରି କରାଯାଇ କାଶ୍ମୀର କିଛି ନେତାଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଇଥିଲା । କାଶ୍ମୀର ଘାଟିରେ ଅଧିକ ସଂଖ୍ୟକ କେନ୍ଦ୍ରୀୟ ସୁରକ୍ଷାବଳଙ୍କୁ ନିୟୋଜିତ କରାଯାଇ କେନ୍ଦ୍ର କ୍ୟାବିନେଟ ବୈଠକ ପରେ ରାଜ୍ୟସଭାରେ ଧାରା ୩୭୦ ଉଚ୍ଛେଦ ନେଇ ଘୋଷଣା କରିଥିଲେ ଗୃହମନ୍ତ୍ରୀ ଅମିତ ଶାହା ।

ଧାରା ୩୭୦ରେ ଥିଲା କଣ?
- ଜମ୍ମୁ-କାଶ୍ମୀରବାସୀଙ୍କ ପାଖରେ ଭାରତ ସମେତ କାଶ୍ମୀର ନାଗରିକତା ରହୁଥିଲା
- ଜମ୍ମୁ-କାଶ୍ମୀରର କୌଣସି ମହିଳା ଯଦି ଅନ୍ୟ କୌଣସି ରାଜ୍ୟର ପୁରୁଷଙ୍କୁ ବିବାହ କରୁଥିଲେ ତେବେ ସେହି ମହିଳାଙ୍କର ଜମ୍ମୁ-କାଶ୍ମୀର ନାଗରିକତା ସମାପ୍ତ କରାଯାଉଥିଲା ।
- ଯଦି ଜମ୍ମୁ-କାଶ୍ମୀରର ମହିଳା ପାକିସ୍ତାନର ଯୁବକଙ୍କୁ ବିବାହ କରନ୍ତି ,ତେବେ ତାଙ୍କ ସ୍ୱାମୀଙ୍କୁ ଜମ୍ମୁ-କାଶ୍ମୀରର ନାଗରିକତା ମିଳୁଥିଲା
- ଧାରା ୩୭୦ କାରଣରୁ କାଶ୍ମୀରରେ ରହୁଥିବା ପାକିସ୍ତାନୀଙ୍କୁ ଭାରତୀୟ ନାଗରିକତା ମଧ୍ୟ ମିଳୁଥିଲା
- ଏଠାରେ ଭାରତର ସର୍ବୋଚ୍ଚ ଅଦାଲତର ରାୟକୁ ଗ୍ରହଣ କରାଯାଏ ନାହିଁ । ଏପରିକି ଏଠାରେ ଭାରତର ରାଷ୍ଟ୍ରୀୟ ଧ୍ୱଜକୁ ଅପମାନ କଲେ ମଧ୍ୟ ଏହାକୁ ଅପରାଧ ବୋଲି ବିବେଚନା କରାଯାଏ ନାହିଁ ।
- ଜମ୍ମୁ-କାଶ୍ମୀରର ସ୍ୱତନ୍ତ୍ର ପତାକା ରହିଛି
- ଜମ୍ମୁ-କାଶ୍ମୀରରେ ରାଜ୍ୟ ବାହାରର ଲୋକ ଜମି କିଣିପାରିବେ ନାହିଁ
- କାଶ୍ମୀରରେ ଥିବା ଅଳ୍ପସଂଖ୍ୟକ ହିନ୍ଦୁ ଓ ଶିଖଙ୍କୁ ସଂରକ୍ଷଣ ମିଳିନଥାଏ
- ଜମ୍ମୁ-କାଶ୍ମୀରରେ ଆରଟିଆଇ ନିୟମ ଲାଗୁ ହୁଏ ନାହିଁ
- ଜମ୍ମୁ-କାଶ୍ମୀରରେ ପଞ୍ଚାୟତ ପାଖରେ କୌଣସି ଅଧିକାର ନଥାଏ
- ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଜମ୍ମୁ-କାଶ୍ମୀର ପାଇଁ କେନ୍ଦ୍ର ସରକାରଙ୍କୁ ଆଇନ ଆଣିବାକୁ ପଡିଥାଏ