ହଇଜା କ’ଣ ? ଏହାର ଲକ୍ଷଣ କ’ଣ ? କିପରି ରହିବେ ସତର୍କ

314

କନକ ବ୍ୟୁରୋ : ଇଂଟେଷ୍ଟାଇନ୍ ବା ଅନ୍ତଃନଳୀ ସଂକ୍ରମିତ ହେଲେ ହଇଜା ହୋଇଥାଏ । ବ୍ୟାକ୍ଟେରିଆ ବା ଜୀବାଣୁ ଦ୍ୱାରା ସଂକ୍ରମଣ ହୋଇଥାଏ । ହଇଜାର ଲକ୍ଷଣ ହେଉଛି ପତଳା ଝାଡ଼, ବାନ୍ତି ଏବଂ ଗୋଡ଼ ମାଂସପେଶୀ ଟାଣିଧରିବା । ହଇଜା ହେଲେ ଶରୀରର ଜଳୀୟ ଅଂଶ ଦ୍ରୁତ ଗତିରେ ହ୍ରାସ ପାଇଥାଏ । ଠିକ୍ ସମୟରେ ଚିକିତ୍ସା ନହେଲେ କିଛି ଘଣ୍ଟା ମଧ୍ୟରେ ରୋଗୀ ମୃତ୍ୟୁମୁଖରେ ପଡ଼ିଥାଏ । ହଇଜା ଜୀବାଣୁ ମୁଖ୍ୟତଃ ସଂକ୍ରମିତ ହୋଇଥିବା ଖାଦ୍ୟ ଓ ଦୂଷିତ ପାଣି ଯୋଗୁଁ ବ୍ୟାପିଥାଏ ।

ପୂର୍ବରୁ ଏହା ବିଶ୍ୱ ମହାମାରୀ ରୂପେ ବିବେଚିତ ହୋଇଥିଲା । ଏବେବି କିଛି ଅଞ୍ଚଳରେ ଏହା ମହାମାରୀ ଭାବେ ଦେଖାଦେଉଛି । ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଓ ଦୂଷିତ ଜଳ ଯୋଗୁଁ ଏହା ବ୍ୟାପିଥାଏ । ପ୍ରଥମେ ସାଧାରଣ କିମ୍ବା ଆଦୌ ଲକ୍ଷଣ ଜଣାପଡ଼େ ନାହିଁ । କିନ୍ତୁ କିଛି ଘଣ୍ଟା ଭିତରେ ରୋଗୀ ଗୁରୁତର ହୋଇପଡ଼ିଥାନ୍ତି । ୧୦ ଜଣଙ୍କ ମଧ୍ୟରୁ ଜଣଙ୍କ ନିକଟରେ ଅଧିକ ମାତ୍ରାରେ ଲକ୍ଷଣ ପ୍ରକାଶ ପାଇଥାଏ । ଜଣେ ସଂକ୍ରମିତ ହେଲେ ଦୁଇ ତିନି ଦିନ ମଧ୍ୟରେ ଲକ୍ଷଣ ଆସିଥାଏ ।

ହଇଜା ଆକ୍ରାନ୍ତ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ଓଆରଏସ୍ ପ୍ରଚୁର ମାତ୍ରାରେ ପିଇବା ଜରୁରୀ । ପାଣିକୁ ଫୁଟାଇବା ସହ ଛାଣତ ପିଇବା ଆବଶ୍ୟକ । ହାତକୁ ବାରମ୍ବାର ସାବୁନ ଓ ବିଶୁଦ୍ଧ ପାଣିରେ ଧୋଇବା ଜରୁରୀ । ହାତ ସଫା ରଖିବାକୁ ସାନିଟାଇଜର ବ୍ୟବହାର କରାଯାଇ ପାରିବ । ଗରମ ଖାଦ୍ୟ ଖାଇବା ଉଚିତ୍ । ଦୂଷିତ ପାଣି ପିଇବା ଓ ବାସି ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ୍ । ପରିମଳ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବା ଜରୁରୀ ।