ପ୍ରାକୃତିକ ଉପାୟରେ ନା କାର୍ବାଇଡ଼୍ ଦ୍ୱାରା ପଚାଯାଇଛି କଦଳୀ ? କେମିତି ଜାଣିବେ

693

ସ୍ୱାସ୍ଥ୍ୟ ପ୍ରତି କଦଳୀ କେତେ ହିତକର ତାହା ତ ଆପଣ ଜାଣିଥିବେ । ନିଜେ ଡ଼ାକ୍ତର କୁହନ୍ତି , ପ୍ରତିଦିନ ଗୋଟିଏ ଲେଖାଏଁ କଦଳୀ ଖାଇଲେ ଆମ ପାଖକୁ ଆଉ ରୋଗୀ ଆସିବେନି । ପୋଷକ ତତ୍ତ୍ୱରେ ଭରପୂର କଦଳୀରେ ଭିଟାମିନ୍-ଏ ରୁ ଆରମ୍ଭ କରି ବି-୬ , ଭିଟାମିନ୍-ସି , ଆୟରନ୍ , କ୍ୟାଲସିୟମ୍ ,ମ୍ୟାଗ୍ନେସିୟମ୍ , ଜିଙ୍କ୍ ,ସୋଡ଼ିୟମ୍ ଏବଂ ପଟାସିୟମ୍ ଆଦି ଭରପୂର ରହିଥାଏ । ପ୍ରତିଦିନ ଗୋଟିଏ କଦଳୀ ଖାଇବା ଦେହ ପ୍ରତି ଅତ୍ୟନ୍ତ ଲାଭଦାୟକ ।

ପେଟ ଏବଂ ହୃଦୟକୁ ଛାଡ଼ିଦେଲେ ଶରୀରକୁ ଫୁର୍ତ୍ତିବାନ୍ ରଖିବାରେ ମଧ୍ୟ ଏହି ଫଳ ସହାୟକ ହୁଏ । କିନ୍ତୁ ବର୍ତ୍ତମାନ ସମୟରେ କାର୍ବାଇଡ଼୍ ଉପାୟରେ କଦଳୀ ପଚା ଯାଉଥିବାରୁ ଏହା ଶରୀର ଉପରେ ସେତେଟା ଭଲ ପ୍ରଭାବ ପକାଇନଥାଏ । ଆପଣ ଯଦି ପ୍ରାକୃତିକ ଉପାୟରେ ପାଚିଥିବା କଦଳୀ ବଜାରରେ ଖାଇବାକୁ ପାଉଛନ୍ତି ତେବେ ଆମେ ଆପଣଙ୍କୁ ଭାଗ୍ୟବାନ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ତେବେ ପ୍ରଶ୍ନ ଉଠୁଛି , କିଭଳି ଭାବେ ଆମେ ପ୍ରାକୃତିକ ଉପାୟରେ ପାଚିଥିବା କଦଳୀ ଏବଂ କାର୍ବାଇଡ଼ରେ ପଚାଯାଇଥିବା କଦଳୀକୁ ଚିହ୍ନିବା?

କାର୍ବାଇଡ଼ରେ ପଚାଯାଇଥିବା କଦଳୀ :

ପ୍ରାକୃତିକ ଉପାୟରେ ପାଚିଥିବା କଦଳୀରେ ହାଲକା ମାଟିଆ ତଥା କଳା ରଙ୍ଗର ଦାଗ ପଡ଼ିଥିବା ଦେଖାଯାଏ । ଏହାର ଚୋପା ଗହରା ହଳଦିଆ ଏବଂ ଦାଗ ପଡ଼ିଥିବା ବେଳେ ଏହି କଦଳୀ ଖାଇବାକୁ ବହୁତ ମିଠା ଲାଗିଥାଏ । ଅନ୍ୟପକ୍ଷରେ କାର୍ବାଇଡ଼ରେ ପଚାଯାଇଥିବା କଦଳୀ ହାଲକା ହଳଦିଆ ହୋଇଥିବା ବେଳେ ଚୋପାର ତଳଭାଗ କଳା ବଦଳରେ ସବୁଜ ରଙ୍ଗର ହୋଇଥାଏ । ଏଭଳି କଦଳୀ ଖାଇବାରେ ସେତେ ଭଲ ଲାଗେନାହିଁ ଏବଂ ଶୀଘ୍ର ଖରାପ ମଧ୍ୟ ହୋଇଯାଏ । ସରଳ ଶବ୍ଦରେ କହିବାକୁ ଗଲେ ପ୍ରାକୃତିକ ଉପାୟରେ ପାଚିଥିବା କଦଳୀ ସବୁଭାଗରୁ ପାଚିଥିବା ବେଳେ କାର୍ବାଇଡ଼ କଦଳୀ ଗୋଟିଏ ଭାଗରୁ ପାଚିଥିଲେ ଅନ୍ୟପଟେ କଂଚା ଥାଏ । କିଛି ଲୋକଙ୍କ କହିବାନୁସାରେ ପାଣିରେ ଯେଉଁ କଦଳୀ ଭାସିବ ତାହା କାର୍ବାଇଡ଼୍ ଏବଂ ବୁଡ଼ିଗଲେ ତାହା ପ୍ରାକୃତିକ କଦଳୀ ବୋଲି ଜାଣିହେବ । ତେବେ ଏହି କ୍ୟାମିକାଲ୍ ଯୁକ୍ତ କଦଳୀ ଅଧିକ ଖାଇଲେ ପେଟ, ଯକୃତ ରୋଗ ଭଳି ସମସ୍ୟା ଦେଖାଯାଏ ।