ଭିନ୍ନ ଭିନ୍ନ ଟିକାର ଦୁଇଟି ଡୋଜ ନେଲେ କଣ ରହିବ ଏହାର ପାର୍ଶ୍ୱ ପ୍ରତିକ୍ରିୟା ? ପଢନ୍ତୁ କଣ କହୁଛି ଗବେଷଣା

285

କନକ ବ୍ୟୁରୋ: ଦୁଇଟି ଭିନ୍ନ ଭିନ୍ନ ଟିକାର ଦୁଇଟି ଡୋଜ ନେଲେ କଣ ରହିବ ଏହାର ପାର୍ଶ୍ୱ ପ୍ରତିକ୍ରିୟା, ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ଅନୁଯାୟୀ ଦୁଇଟି ଅଲଗା ଅଲଗା ଟିକାର ଦୁଇଟି ଡୋଜ ନେଇଥିବା ୧୦% ଲୋକଙ୍କ ମଧ୍ୟରେ ଗମ୍ଭୀର ଭାବେ ଥକ୍କା ଲାଗିବା ଭଳି ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଇଛି। ତେବେ କିଛି ଦିନ ପରେ ଆଉ କୌଣସି ପାର୍ଶ୍ୱ ପ୍ରତିକିୟା ଦେଖାଯାଇନି। ତେବେ ଏହି ଗବେଷଣା କେତେ ସୁରକ୍ଷିତ ସେ ନେଇ କୌଣସି ତଥ୍ୟ ମିଳିନାହିଁ।

କୋଭିଡ ମହାମାରୀ ବିରୋଧରେ ଟିକା ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ଭାବେ କାମ କରୁଛି। ସାରା ବିଶ୍ୱରେ ଏବେ ଟୀକାକରଣକୁ ବେଶ ଗୁରୁତ୍ୱ ଦିଆଯାଇଛି। ସଂକ୍ରମଣର ମୁକାବିଲା ପାଇଁ ଟିକାର ଦୁଇଟି ଲେଖାଏଁ ଡୋଜ ଦିଆଯାଉଛି। ଏପରି ସମୟରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, ଭିନ୍ନ ଭିନ୍ନ ଦୁଇଟି ଟିକାଟ ଦୁଇଟି ଡୋଜ ନେଲେ ଏହା ଶରୀର ଉପରେ କଣ ପ୍ରଭାବ ପକାଇବ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ଗବେଷଣାର ପ୍ରାଥମିକ ଅଧ୍ୟୟନରୁ ମିଳିଥିବା ତଥ୍ୟ ଅନୁସାରେ, ଭିନ୍ନ ଭିନ୍ନ ଭ୍ୟାକସିନର ଡୋଜ ନେବା ପରେ ଗମ୍ଭୀର ଭାବେ ଥକା ଲାଗିବା ସହ ମୁଣ୍ଡ ବିଧା ହେବା ଭଳି ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ତେବେ ଦୁଇଟି ଅଲଗା ଟିକାର ଦୁଇଟି ଡୋଜ ନେବା ପରେ ଏହା ଭୁତାଣୁ ଉପରେ କଣ ପ୍ରଭାଵ ପକାଇବ ସେନେଇ ତଥ୍ୟ ମିଳିନାହିଁ।

ଯେଉଁ ମାନେ ପ୍ରଥମ ଡୋଜରେ ଆଷ୍ଟ୍ରାଜେନେକାର ଟିକା ଏବଂ ୪ସପ୍ତାହ ପରେ ଫାଇଜରର ଦ୍ଵିତୀୟ ଡୋଜ ଟିକା ନେଇଛନ୍ତି ସେମାନଙ୍କ ମଧ୍ୟରେ କିଛି ସମୟ ପାଇଁ ହାଲୁକା ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏନେଇ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ବିଶେଷଜ୍ଞ ମାନେ ସ୍ୱାସ୍ଥ୍ୟ ପତ୍ରିକା ଦ ଲ୍ୟାନସେଟରେ ଉଲ୍ଲେଖ କରିଛନ୍ତି।

ବ୍ଲୁମବର୍ଗର ରିପୋର୍ଟ ମୁତାବକ, ମଧ୍ୟ ଓ କମ ଆୟ ଦେଶ ଗୁଡିକର ଟିକା ଅଭାବକୁ ଦୂର କରିବା ପାଇଁ ବିଶେଷଜ୍ଞ ଓ ସ୍ୱାସ୍ଥ୍ୟ ଅଧିକାରୀ ମାନେ ଏପରି ଗବେଷଣା ଉପରେ ଗୁରୁତ୍ୱ ଦେଉଛନ୍ତି। ଦୁଇଟି ଭିନ୍ନ ଭିନ୍ନ ଟିକାର ଦୁଇଟି ଡୋଜ ନେଲେ ଏହା ସୁରକ୍ଷିତ ଓ ପ୍ରଭାବୀ ବୋଲି ସେମାନେ କହିଛନ୍ତି। ଫ୍ରାନ୍ସରେ ବୟସ୍କ ଲୋକଙ୍କ ପାଇଁ ଏବେ ଆଷ୍ଟ୍ରାଜେନେକା ଟିକାକୁ ବାରଣ କରାଯାଇଛି। ତେବେ ଯେଉଁମାନେ ଆଷ୍ଟ୍ରାଜେନେକାର ପ୍ରଥମ ଡୋଜ ନେଇଥିଲେ ତାଙ୍କୁ ଫାଇଜରର ଦ୍ଵିତୀୟ ଡୋଜ ଦିଆଯାଇଛି। ଫ୍ରାନ୍ସରେ ଆଷ୍ଟ୍ରାଜେନେକା ଟିକା ନେଲା ପରେ ରକ୍ତ ଜମାଟ ବାନ୍ଧିବା ଭଳି ଅଭିଯୋଗ ଆସିବା ପରେ ଏହି ଟିକାକୁ ବାରଣ କରାଯାଇଛି।

ଏହି ପରୀକ୍ଷଣର ନେତୃତ୍ୟ ନେଉଥିବା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ମେଥୟୁ ସ୍ପେନଙ୍କ କହିବା କଥା ହେଲା, ଏହା ଏକ ରୋଚକପୂର୍ଣ୍ଣ ଗବେଷଣା। ଏମିତି ନୁହଁ ଯେ ଆମେ ଏପରି ଫଳର ଆଶା କରିଥିଲୁ। ତେବେ ଏହା ରୋଗ ପ୍ରତିରୋଧକ ବଢାଇବାରେ ସଫଳ ହେବ ନା ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ। ଗବେଷଣାରୁ ଜଣାପଡିଛି ଯେ ପାର୍ଶ୍ଵ ପ୍ରତିକ୍ରିୟା କିଛି ଦିନ ମଧ୍ୟରେ ବନ୍ଦ ହୋଇଯାଇଛି। ତେବେ ଏହା ସୁରକ୍ଷିତ ନା ନାହିଁ ସେ ନେଇ କିଛି କହିହେବ ନାହିଁ। ମିଶ୍ରିତ ଡୋଜ ନେଇଥିବା ୧୦% ଲୋକ ଗମ୍ଭୀର ଭାବେ ଥକ୍କା ଅନୁଭବ କରିଥିଲେ। କୌଣସି ଗୋଟିଏ ଟିକାର ଦୁଇଟି ଡୋଜ ନେଲେ ପ୍ରାୟ ୩% ଲୋକଙ୍କୁ ଏପରି ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ। ଗତ ଫେବୃଆରୀ ମାସରେ ଏହି ଗବେଷଣା ଆରମ୍ବ କରାଯାଇଥିଲା।