ସଂକଟ କାଳରେ ବି ସୁଧୁରୁନି ବ୍ୟାଙ୍କ ! ଗ୍ରାହକଙ୍କୁ ନଜଣାଇ ଆକାଉଂଟରୁ ଟଙ୍କା ଖାଲି କରିନେଉଛି ବ୍ୟାଙ୍କ: ପଢନ୍ତୁ କିଭଳି ବିଭିନ୍ନ ଆଳ ଦେଖାଇ ଗ୍ରାହକଙ୍କୁ ଲୁଟୁଛନ୍ତି ବ୍ୟାଙ୍କ

998

କନକ ବ୍ୟୁରୋ: ବର୍ତ୍ତମାନ ପରିସ୍ଥିତିରେ ବ୍ୟାଙ୍କରେ ଖାତାଟିଏ କାହାର ବା ନାହିଁ । ଚାକିରିଠାରୁ ଆରମ୍ଭ କରି ସରକାରୀ ଯୋଜନା ପର୍ଯ୍ୟନ୍ତ ସବୁ କାମ ପାଇଁ ଏବେ ବ୍ୟାଙ୍କ ଆକାଉଂଟ ରହିବା ଅତ୍ୟନ୍ତ ଜରୁରୀ ହୋଇପଡିଛି । କିନ୍ତୁ ଆପଣ ଜାଣିଛନ୍ତି କି ବ୍ୟାଙ୍କ ଆପଣଙ୍କ ଖାତା ଚାଲୁ ରଖିବା ପାଇଁ ବିଭିନ୍ନ ପ୍ରକାରର ଶୁଳ୍କ ଆଦି ଆଦାୟ କରିଥାଏ ଏବଂ ନିଜର ପ୍ରତିଟି ସେବା ପାଇଁ ମୋଟା ଅଙ୍କର ଚାର୍ଜ ବ୍ୟାଙ୍କ ନିଜ ଗ୍ରାହକଙ୍କଠାରୁ ଆଦାୟ କରିଥାଏ । ତେବେ ନଜର ପକାନ୍ତୁ ବ୍ୟାଙ୍କର ଏଭଳି କିଛି ଚାର୍ଜେସ୍ ଉପରେ ଯାହା ବ।।ଙ୍କ ଆପଣଙ୍କଠାରୁ ଆଦାୟ କରିଥାଏ ସତ କିନ୍ତୁ ତାର ସୂଚନା ଆପଣଙ୍କ ନିକଟରେ ନଥାଏ ।

ଟଙ୍କା ଜମା କଲେ ଲାଗିଥାଏ ଚାର୍ଜ

କିଛି ବ୍ୟାଙ୍କରେ ଯେଉଁଠି ଧାର୍ଯ୍ୟ ସୀମାଠାରୁ ଅଧିକ କ୍ୟାସ ଡିପୋଜିଟ୍ କରିବା ଦ୍ୱାରା ବ୍ୟାଙ୍କ ଏଥିପାଇଁ ଗ୍ରାହକଙ୍କଠାରୁ ଶୁଳ୍କ ଆଦାୟ କରିଥାଏ । ପୂର୍ବରୁ କିଛି ବ୍ୟାଙ୍କରେ ଟ୍ରାନଜାକସନ ଫ୍ରି ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଟଙ୍କା ଦେଣନେଣ ଉପରେ ଗ୍ରାହକଙ୍କୁ ଏବେ ଏକ ନିର୍ଦ୍ଦିଷ୍ଟ ଚାର୍ଜ ଦେବାକୁ ପଡୁଛି । ଅର୍ଥାତ୍ ଟଙ୍କା କାରବାର ଉପରେ ଗ୍ରାହକଙ୍କୁ ୫୦ରୁ ୧୫୦ ଟଙ୍କା ପ୍ରତି ଟ୍ରାନଜାକସନ ପିଛା ବର୍ତ୍ତମାନ ଦେବାକୁ ପଡୁଛି ।

ସର୍ବନିମ୍ନ ଜମାରାଶି ରଖିବାକୁ ବାଧ୍ୟ

ବ୍ୟାଙ୍କ ଆକାଉଂଟରେ ଏକ ମାସିକ ସର୍ବନିମ୍ନ ବାଲାନ୍ସ ରଖିବାକୁ ପଡିଥାଏ । ଯାହାକି ୫୦୦ ଟଙ୍କାରୁ ଆରମ୍ଭ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବି ହୋଇପାରେ । ମାତ୍ର ଏହି ମନଥଲି ଆଭରେଜ ବାଲାନ୍ସ ନରଖିଲେ ବ୍ୟାଙ୍କ ନିଜ ପଲିସି ହିସାବରେ ଗ୍ରାହକଙ୍କ ଖାତାରୁ ଟଙ୍କା କାଟିନେଇଥାଏ ।

ଚାକିରି ଛାଡିବା ମାତ୍ରକେ ବନ୍ଦ କର ଆକାଉଂଟ

ଜିରୋ ବାଲାନ୍ସ ବିଶିଷ୍ଟ ଆପଣଙ୍କ ସାଲାରୀ ଆକାଉଂଟରେ ବି ଯଦି ଲଗାତାର ୩ ମାସ ଯାଏଁ କୌମସି ପ୍ରକାର ଅର୍ଥ ଦେଣନେଣ କାରବାର ନହୁଏ ତେବେ ତାହା ସଂଚୟ ଖାତାରେ ରୂପାନ୍ତରିତ ହୋଇଯାଏ । ଏଭଳି ପରିସ୍ଥିତିରେ ଆପଣଙ୍କୁ ଏହି ଖାତାରେ ସାଧାରଣ ସେଭିଂ ଆକାଉଂଟ ଭଳି ହିଁ ସର୍ବନିମ୍ନ ରାଶି ରଖିବାକୁ ହେବ ।

ଡେବିଡ୍ କାର୍ଡ ପାଇଁ ଲାଗିଥାଏ ଶୁଳ୍କ

ବ୍ୟାଙ୍କରେ ଖାତା ଖୋଲିବା ପାଇଁ ଅନ୍ୟ କୌଣସି ଅଲଗା ଚାର୍ଜ ଲାଗିନଥାଏ ସତ କିନ୍ତୁ ଅନେକ ବ୍ୟାଙ୍କ ନିଜ ଡେବିଡ କାର୍ଡ ପାଇଁ କିଛି ଫିସ୍ ମଧ୍ୟ ନେଇଥାନ୍ତି । ଆଉ ଫିସ୍ ବାର୍ଷିକ ୧୦୦ ଟଙ୍କାରୁ ଆରମ୍ଭ କରି ୧ ହଜାର ଟଙ୍କା ପର୍ଯ୍ୟନ୍ତ ବି ହୋଇପାରେ । ତେବେ ଏହି ଚାର୍ଜ ଆପଣଙ୍କ ଆକାଉଂଟରୁ ବ୍ୟାଙ୍କ ଆପଣା ଛାଏଁ କାଟି ନେଇଥାଏ । ଏପରିକି ଆପଣ ଏହି ବ୍ୟାଙ୍କ ଖାତା ବ୍ୟବହାର କରୁନଥିଲେ ମଧ୍ୟ ଆପଣଙ୍କୁ ଡେବିଟ କାର୍ଡ ବାବଦକୁ ଫିସ୍ ଦେବାକୁ ପଡିବ ।

ଏସଏମଏସ ପାଇଁ ବି ଲାଗିଥାଏ ଟଙ୍କା

ବ୍ୟାଙ୍କ ଆପଣଙ୍କ ମୋବାଇଲ ନମ୍ବରକୁ ପଠାଉଥିବା ଏସଏମଏସ ପାଇଁ ବି ମାସିକ ୩୦ ଟଙ୍କା ଶୁଳ୍କ ବାବଦକୁ ଆଦାୟ କରିଥାଏ । ଏହାଛଡା ଫୋନ କରି ବାଲାନ୍ସ ଜାଣିବା ଭଳି ସୁବିଧା ପାଇଁ ମଧ୍ୟ ବ୍ୟାଙ୍କ ନିଜ ଗ୍ରାହକଙ୍କ ଠାରୁ ଶୁଳ୍କ ଆଦାୟ କରିଥାଏ ।