କନକ ବ୍ୟୁରୋ: ସୋସିଆଲ ମିଡିଆରେ ଘୁରିବୁଲୁଛି ପରୀକ୍ଷା ପ୍ରଶ୍ନପତ୍ର । ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ଚାଲିଥିବା ବେଳେ ଏହିଭଳି କିଛି ସୋସିଆଲ ଚ୍ୟାନେଲ ପ୍ଲାଟଫର୍ମରେ ଘୁରିବୁଲୁଛି ପ୍ରଶ୍ନପତ୍ର । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଅପଲୋଡ ହେଉଛି । ଲିକ୍ ହୋଇଥିବା ପ୍ରଶ୍ନ ସୋସିଆଲ ମିଡିଆରେ ଘୁରିବୁଲୁଥିବା କହିଛନ୍ତି ପରୀକ୍ଷାର୍ଥୀ । କନକ ନ୍ୟୁଜ୍ ହାତରେ ଏହାର ପ୍ରମାଣ ଲାଗିଛି । ସବୁଠାରୁ ବଡ କଥା ହେଲା, ଏ ନେଇ ଖାମଖିଆଲି ପ୍ରତିକ୍ରିୟା ରଖିଛନ୍ତି ବୋର୍ଡ କର୍ତୃପକ୍ଷ ।

Advertisment

ଏଜୁକେସନାଲ ଜ୍ଞାନ
ଓଏଭି କ୍ଲାସେସ୍
ଲର୍ଣ୍ଣ ଓଡି଼ଶା ଲର୍ଣ୍ଣ
ମ୍ୟାଥ୍ ଏଜୁକେସନ କ୍ୟାମ୍ପ
ଆମ ଓଡି଼ଆ ସ୍କୁଲ୍
ଏସ୍ପି ଏଜୁକେସନ
ୟୁଟ୍ୟୁବ୍ରେ ଏସବୁ ଚ୍ୟାନେଲର ଏବେ ଭାରି ଡିମାଣ୍ଡ । ଭିଡିଓ ଅପଲୋଡ ହେବାର ମାତ୍ର କେଇ ମିନିଟରେ ହଜାର ହଜାର ଭିଉ । କିଛି ସମୟରେ ବଢୁଛି ସବସ୍କ୍ରାଇବରଙ୍କ ସଂଖ୍ୟା । କମେଂଟ୍ ବକ୍ସରେ ବ୍ୟବହାରକାରୀଙ୍କ ମାଳ ମାଳ କମେଂଟ୍ । ହେଲେ କୌଣସି ଭଲ କଂଟେଂଟ୍ ପାଇଁ ଏସବୁ ଚ୍ୟାନେଲକୁ ଲୋକେ ଖୋଜୁନାହାନ୍ତି । ବରଂ ପରୀକ୍ଷା ପ୍ରଶ୍ନ ପତ୍ର ଖୋଜିବା ପାଇଁ ଏଗୁଡିକର ଚାହିଦା ବଢିଯାଇଛି । ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ଚାଲିଥିବା ବେଳେ ଏହିଭଳି କିଛି ନିର୍ଦ୍ଦିଷ୍ଟ ଚ୍ୟାନେଲରେ ମିଳୁଛି ପ୍ରଶ୍ନପତ୍ର । ପରୀକ୍ଷା ପୂର୍ବରୁ ଏଥିରେ ଅପଲୋଡ ହେଉଛି ପ୍ରଶ୍ନ । କନକ ନ୍ୟୁଜ୍ ହାତରେ ଏହାର ପ୍ରମାଣ ଲାଗିଛି । ଲିକ୍ ହୋଇଥିବା ପ୍ରଶ୍ନ ସୋସିଆଲ ମିଡିଆରେ ଘୁରିବୁଲୁଥିବା କହିଛନ୍ତି ପରୀକ୍ଷାର୍ଥୀ ।

ପ୍ରଥମ ଦିନ ଦୁଇଟି ସିଟିଂରେ ସାହିତ୍ୟ ଓ ଇଂରାଜୀ ବିଷୟରେ ପରୀକ୍ଷା ହୋଇଥିଲା । ଦ୍ୱିତୀୟ ଦିନରେ ଗଣିତ ପରୀକ୍ଷା ଥିଲା । କିନ୍ତୁ ଏହି ପରୀକ୍ଷା ଆରମ୍ଭ ହେବାର ଦିନକୁ ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ପ୍ରଘଟ ହୋଇଗଲା । ଫଳରେ ପରୀକ୍ଷାର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହି ବିଭ୍ରାଟ ନେଇ ବୋର୍ଡ କର୍ତୃପକ୍ଷଙ୍କୁ ପଚାରିବାରୁ ଖାମଖିଆଲି ଭାବେ ପ୍ରତିକ୍ରିୟା ରଖିଛନ୍ତି । ପ୍ରଶ୍ନପତ୍ର ଛପାଇ ଦେଇ ଦେଇଛୁ । ଆମର ଆଉ ଦାୟିତ୍ୱ ନାହିଁ ବୋଲି କହିଛନ୍ତି ବୋର୍ଡ ଉପସଭାପତି ।

ବଡକଥା ହେଉଛି, ଷାଣ୍ମାସିକ ପରୀକ୍ଷାରେ ସ୍ୱଚ୍ଛତା ରଖିବା ପାଇଁ ରାଜ୍ୟର ୯ ହଜାରରୁ ଅଧିକ ସ୍କୁଲରେ ପ୍ରାୟ ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କୁ ସମାନ ପ୍ରଶ୍ନପତ୍ର ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତି ନେଇଥିଲା । ଆଉ ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ ପ୍ରଶ୍ନପତ୍ର ତିଆରି କରିଥିଲା । ତଥାପି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ହେବା ମାଟ୍ରିକରେ ମେଧାବୀ ଛାତ୍ରଛାତ୍ରୀଙ୍କ ମନୋବଳ ଦୁର୍ବଳ ହୋଇପଡିବ ବୋଲି ଶିକ୍ଷାବିତ୍ କହିଛନ୍ତି ।