ରାଜ୍ୟର ୨୦ ଜିଲ୍ଲାରୁ ସୃଷ୍ଟି ହେଲା ୩୪ ନୂଆ ଏନଏସି । ଜାଣନ୍ତୁ, ଗୋଟିଏ ଅଞ୍ଚଳ ଏନଏସି ମାନ୍ୟତା ପାଇଲେ ଲାଭ କଣ?

4,175

କନକ ବ୍ୟୁରୋ: ଗ୍ରାମାଞ୍ଚଳ ରୂପାନ୍ତରିତ ହୋଇ ସହରର ପ୍ରଥମ ସୋପାନରେ ପହଞ୍ଚିଲେ ଏହାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନଏସି ଘୋଷଣା କରିଥାନ୍ତି ସରକାର । ଲୋକସଂଖ୍ୟା ଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ଆଧାରକୁ ବିଚାର କରି ଏପରି ଘୋଷଣା କରାଯାଏ । ରାଜ୍ୟରେ ୩୪ଟି ନୂଆ ଏନଏସି ହେବା ପରେ ଏବେ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଠୁଛି ଏନଏସି ହେଲେ ଲାଭ କ’ଣ?

  • ପଞ୍ଚାୟତିରାଜ ବିଭାଗ ଅଧୀନରୁ ଏହା ନଗର ଉନ୍ନୟନ ବିଭାଗ ଅଧୀନକୁ ଚାଲିଯାଏ
  • ସହରାଞ୍ଚଳ ଭଳି ବିଭିନ୍ନ ସୁବିଧା ପାଇଥାନ୍ତି ଅଞ୍ଚଳବାସୀ
  • ପାନୀୟ ଜଳ ଯୋଗାଣ, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା, ଜନସ୍ୱାସ୍ଥ୍ୟର ଦାୟିତ୍ୱ ନେଇଥାଏ ଏନଏସି

ତେବେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, ଏବେ ବିକାଶମୂଳକ କାର୍ଯ୍ୟ ପାଇଁ ପଞ୍ଚାୟତକୁ ବିପୁଳ ପରିମାଣର ଅର୍ଥ ଆସୁଛି । ତାଙ୍କ କହିବା କଥା ପଞ୍ଚାୟତରେ ଯେଉଁ ସେବା ମାଗଣାରେ ମିଳୁଛି, ଏନଏସି ଅଞ୍ଚଳରେ ସେଥିପାଇଁ ଟିକସ ଦେବାକୁ ପଡିପାରେ । ବରିଷ୍ଠ ସାମ୍ବାଦିକ ରବି ଦାସ ମଧ୍ୟ ସମାନ ମତ ଦେଇଛନ୍ତି । ତେବେ ବିଜେଡି ବିଧାୟକ ରାଜକିଶୋର ଦାସ କହିଛନ୍ତି, ଏନଏସି ଘୋଷଣା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲା, ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ସଂପୃକ୍ତ ଅଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବ ।

ଅନ୍ୟପଟେ ବ୍ଲକ ସ୍ତରରେ ଅଧିକାରୀ ଓ କର୍ମଚାରୀଙ୍କ ଅଭାବ ରହିଥିବା ନେଇ ଅନେକ ସମୟରେ ଅଭିଯୋଗ ହୋଇଥାଏ । ଏବେ ୩୪ଟି ନୂଆ ଏନଏସି ପାଇଁ ନୂଆ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଅଧିକାରୀ ଓ କର୍ମଚାରୀ ଆବଶ୍ୟକ ହେବେ ।