ଜେଲର କୋଠରୀରେ ବିତିଲା ଅନୁପ ସାଏଙ୍କ ରାତି । ଶୁଖିଲା ରୁଟି-ତରକାରୀ ଖାଇ ଶୋଇଲେ ପୂର୍ବତନ ବିଧାୟକ, ସକାଳୁ ମିଳିଲା ଚା’ ଆଉ ହାଲୱା

ଏପଟେ କଳ୍ପନା ହତ୍ୟାକାଣ୍ଡ ନେଇ ଅଧିକ ଛାନଭିନ୍ ପାଇଁ ଓଡ଼ିଶା ଆସିବ ଛତିଶଗଡ଼ ପୋଲିସ

1,618

କନକ ବ୍ୟୁରୋ: ହତ୍ୟା ଅଭିଯୋଗରେ ଛତିଶଗଡ଼ ଜେଲରେ ବିତିଛି ପୂର୍ବତନ ବିଧାୟକ ଅନୁପ ସାଏଙ୍କ ରାତି । ଘରେ ରାଜା ଭଳି ବଂଚୁଥିବା ଅନୁପ ସାଏଙ୍କୁ ଖାଇବାକୁ ପଡ଼ିଛି ଶୁଖିଲା ରୁଟି ଏବଂ ତରକାରୀ । ଆଜି ସକାଳେ ତାଙ୍କୁ ଖାଇବା ପାଇଁ ହାଲୱା ଦିଆଯାଇଥିବା ବେଳେ ଗତକାଲି ମଧ୍ୟାହ୍ନରେ ଭାତ, ଡାଲି ଏବଂ ତରକାରୀ ପରସା ଯାଇଥିଲା । ଆଉ ରାତିରେ ରୁଟି ଓ ତରକାରୀ ଖାଇ ଶୋଇଥିଲେ ହତ୍ୟା ଅଭିଯୋଗରେ ଜେଲରେ ଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ।

ଏପଟେ ଡବଲ୍ ମର୍ଡର ଘଟଣାର ଅଧିକ ଛାନ୍ବିନ୍ ପାଇଁ ଓଡ଼ିଶା ଆସିବ ଛତିଶଗଡ଼ ପୁଲିସ୍ର ୩ଟି ଟିମ୍ । ଆଜି ଏହି ୩ଟି ଟିମ୍ ଓଡ଼ିଶାର ପୃଥକ୍ ପୃଥକ୍ ସ୍ଥାନରେ ଖୋଳତାଡ଼ କରିବା ନେଇ ସୂଚନା ମିଳିଛି । ତେବେ ଏହି ଘଟଣାରେ କେବଳ ଅନୁପ ସାଏ କିମ୍ବା ଡାଇଭର ବର୍ଦ୍ଧନ ଟପ୍ପୋଙ୍କ ବ୍ୟତୀତ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ନେଇ ସନ୍ଦେହ କରୁଛି ରାୟଗଡ଼ ପୁଲିସ୍ । ସେହିପରି ଏହି ହତ୍ୟାକାଣ୍ଡରେ ରାଜନୈତିକ ସଂପୃକ୍ତି ଥାଇପାରେ ବୋଲି ସୂଚନା ଦେଇଛନ୍ତି ରାୟଗଡ଼ ଏସ୍ପି । ଏପଟେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପୋଲିସ ଗିରଫ କରିଛି । କୌଣସି ଏକ ଅଜ୍ଞାତ ସ୍ଥାନରେ ରଖି ଡ୍ରାଇଭରକୁ ପଚରାଉଚରା କରୁଛି ରାୟଗଡ ପୁଲିସ ।

ଅନୁପଙ୍କ ଡ୍ରାଇଭରକୁ ଜେରା କରି ପୁଲିସ ପ୍ରାୟ ୪ ବର୍ଷ ତଳର ରହସ୍ୟମୟ ହତ୍ୟାକାଣ୍ଡ ଉପରୁ ଆଉ କିଛି ପରଦା ହଟାଇବା ସମ୍ଭାବନା ରହିଛି । ହତ୍ୟାରେ ବ୍ୟବହୃତ ଲୁହା ରଡ୍ ଓ ବୋଲେରୋ ଗାଡି ଏବେ କେଉଁଠି, ତାର ଅନୁସନ୍ଧାନ ଚଳାଇଛି ପୋଲିସ । ଅନୁମାନ କରାଯାଉଛି, ଛତିଶଗଡ ପୋଲିସ କବଜାରେ ଡ୍ରାଇଭର ପଡିବା ପରେ ଏହି ରହସ୍ୟ ଉପରୁ ପରଦା ହଟିପାରେ । ସେପଟେ ଖୁବଶୀଘ୍ର ଛତିଶଗଡ ପୋଲିସ ପୁଣି ଓଡିଶା ଆସି ଘଟଣାର ଅଧିକ ଛାନଭିନ କରିବ ବୋଲି ଜଣାପଡିଛି ।