କନକ ବ୍ୟୁରୋ : ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କୁ ଦମନ କରିବାକୁ ଦଳୀୟ ନେତାଙ୍କ ନୂଆ ଷ୍ଟ୍ରାଟେଜି । ଦାମଙ୍କ ବେଲଗାମ ମୁହଁରେ ଲଗାମ ଲଗାଇବାକୁ ନୂଆ ଅଙ୍କ କଷିଛନ୍ତି ଜଗତସିଂହପୁର ଜିଲ୍ଲାର ଦୁଇ ବରିଷ୍ଠ ନେତା । ଏଣିକି ଗଣମାଧ୍ୟମ ସାମ୍ନାରେ ଆରୋପ ଓ ପ୍ରତ୍ୟାରୋପ ମଧ୍ୟରେ ସୀମିତ ନ ରହି ସିଧାସଳଖ ଦାମଙ୍କ ବିରୋଧରେ ଅଭିଯୋଗଫର୍ଦ୍ଦ ଧରି ବିଜେଡି ସୁପ୍ରିମୋ ନିକଟରେ ହାଜର ହୋଇଛନ୍ତି ଦଳୀୟ ନେତା । ଏଥର ଯାହା ନିଷ୍ପତି କରିବେ ନବୀନ ଏହି ଆଶା ବାନ୍ଧି ନବୀନ ନିବାସରେ ଆଜି ଲମ୍ବା ଅଭିଯୋଗଫର୍ଦ୍ଦ ଧରି ପହଞ୍ଚିଥିଲେ ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି । ଦଳର ମୁଖିଆଙ୍କୁ ଭେଟି ଅଭିଯୋଗଫର୍ଦ୍ଦ ଦେବା ସହ ତୁରନ୍ତ ଦାମଙ୍କୁ ଦଳରୁ ନିଲମ୍ବନ କରିବାକୁ କହିଛନ୍ତି ଏହି ଦୁଇ ନେତା । ତେବେ ଦାମଙ୍କ ବିରୋଧରେ ଏମିତି କେଉଁ ଅଭିଯୋଗ ଥିଲା ଯେ, ଯାହା ପାଇଁ ତାଙ୍କୁ ଦଳରୁ ନିଲମ୍ବନ କରିବାକୁ ନବୀନଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଷ୍ଣୁ ଓ ପ୍ରଶାନ୍ତ । ଦାମଙ୍କ ବିରୋଧରେ ଆସିଥିବା ଅଭିଯୋଗଫର୍ଦ୍ଦ ଉପରେ ଥରେ ନଜର ପକାନ୍ତୁ:

Advertisment

- ଟିଟୋ ଲିଙ୍କରେ ଗିରଫ ହୋଇଥିବା ବାପୁ ପରିଡା ସପକ୍ଷରେ ମନ୍ତବ୍ୟ ଦେବା ଓ ଗଣମାଧ୍ୟମରେ ମତ ପ୍ରକାଶ କରିବା
- ବିଜୁ ବାବୁଙ୍କ ନୀତି ଏବଂ ଆଦର୍ଶରେ ପାରାଦ୍ୱୀପ ବନ୍ଦର ଅଞ୍ଚଳରେ ବାସ କରୁଥିବା ଶ୍ରମିକ ସଂଗଠନ ଓ ସେମାନଙ୍କ ଉପରେ ନିଜର ସମର୍ଥକଙ୍କ ମାଧ୍ୟମରେ ଜୁଲୁମ କରିବା
- ଜଗତସିଂହପୁରର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ପୁରୁଣା କର୍ମୀଙ୍କୁ ବିଜୁ ମହିଳା ଜନତା ଦଳରେ ଅବସ୍ଥାପିତ କରାଇବା ଓ ଦଳର ସର୍ବୋଚ୍ଚ ନେତା ନବୀନ ପଟ୍ଟନାୟକଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେବା ଭଳି କାର୍ଯ୍ୟ ଦାମ ରାଉତ କରିଛନ୍ତି ।
- ଜଗତସିଂହପୁର ସାଂସଦ କୁଳମଣୀ ସାମଲଙ୍କୁ ପ୍ରଭାବିତ କରି ଜଗତସିଂହପୁର ଏବଂ ନାଉଗାଁ ଅଞ୍ଚଳରେ କୌଣସି ଉନ୍ନତିମୂଳକ କାର୍ଯ୍ୟକଳାପରେ ସହଯୋଗ ନକରିବାକୁ ପ୍ରବର୍ତ୍ତାଇ ଦଳକୁ ଭୁଲ ମାର୍ଗରେ ପରିଚାଳିତ କରୁଛନ୍ତି

publive-imageଦାମଙ୍କ ବିରୋଧରେ ଏଭଳି କିଛି ସଙ୍ଗୀନ ଅଭିଯୋଗ ନେଇ ଦଳର ମୁଖିଆଙ୍କ ନିକଟରେ ଫେରାଦ ହୋଇଥିଲେ ବିଷ୍ଣୁ । ଦଳ ବିରୋଧୀ କାମରେ ଦାମ ଲିପ୍ତ ଥିଲେ ବୋଲି ଏହି ଅଭିଯୋଗ ହିଁ ସ୍ପଷ୍ଟ ଦର୍ଶାଉଛି । ଏପରିକି ସେ ଦଳ ଓ ଦଳର ମୁଖିଆଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇ ଦଳୀୟ ଅନୁଶାସନ ଭାଙ୍ଗିଥିବା ଅଭିଯୋଗ ଫର୍ଦ୍ଦରେ ଦର୍ଶାଯାଇଛି । ଦାମଙ୍କ ଏଭଳି କାର୍ଯ୍ୟକଳାପ ଦ୍ୱାରା ଦଳର ଶୃଙ୍ଖଳା ଭଙ୍ଗ ହେଉଛି ତେଣୁ ତାଙ୍କୁ ନିଲମ୍ବନ କରାଯାଉ । ଏହାଦ୍ୱାରା ଜଗତସିଂହପୁରରେ ଦଳ ଏକ ବଡ କ୍ଷତିରୁ ରକ୍ଷା ପାଇଯିବ ବୋଲି ଅଭିଯୋଗଫର୍ଦ୍ଦରେ ଦର୍ଶାଇଛନ୍ତି ବିଷ୍ଣୁ ।

publive-imageଗତ କିଛିଦିନ ହେବ ଦାମ ଦଳ ବିରୋଧରେ ସିଧାସଳଖ ଗଣମାଧ୍ୟମରେ ବୟାନ ଦେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରୁଛନ୍ତି । ଏପରିକି ବିଜେଡି ଶାସନ କାଳରେ ସମବାୟ, ଓମଫେଡ, ଚାରା ଓ ସ୍ୱାସ୍ଥ୍ୟ ଦୁର୍ନୀତି ହୋଇଥିବା କଥା କହି ଦଳୀୟ ନେତାଙ୍କୁ ଟାର୍ଗେଟ କରିବାକୁ ପଛାଉନାହାନ୍ତି ଦାମ । ଆଉ ଦାମଙ୍କର ଏଭଳି ବୟାନ ଏବେ ବିଜେଡି ପାଇଁ ଘାତକ ହେଉଛି । କାରଣ ଆଗକୁ ଅଛି ସାଧାରଣ ନିର୍ବାଚନ । ଆଉ ଏଭଳି ସ୍ଥିତିରେ ଦଳରେ ରହି ଦଳବିରୋଧୀ ବୟାନ ଦେଉଥିବାରୁ ଏହା ବିଜେଡି ଦଳକୁ ଅଡୁଆରେ ପକାଉଥିବା ବେଳେ ବିରୋଧୀ ଦଳ ଗୁଡିକ ପାଇଁ ବଡ ବଡ ମୁଦ୍ଦା ପାଲଟୁଛି ।
ପୂର୍ବରୁ ଅନେକ ଥର ଦାମ ବିବାଦୀୟ ମନ୍ତବ୍ୟ ଦେଇ ଦଳକୁ ଅଡୁଆରେ ପକାଇଛନ୍ତି ।

ସ୍ୱାମୀଛାଡି ଅଙ୍ଗନବାଡିରୁ ଆରମ୍ଭ କରି ବ୍ରାହ୍ମଣ ଭିକ ମାଗନ୍ତି ଏଭଳି ଅନେକ ବିବାଦୀୟ ବୟାନ ଦେଇ ଦାମ ଦଳକୁ ଅଡୁଆରେ ପକାଇଛନ୍ତି । କିନ୍ତୁ ସବୁ ସମୟରେ ଚୁପ୍ ରହିଛି ଦଳ । ଏବେ କିନ୍ତୁ ବିଜେଡି ନେତାଙ୍କୁ ନେଇ ଦାମ ଯେଉଁ ବାଣ ମାରୁଛନ୍ତି ତାହା ତାଙ୍କ ପାଇଁ ବୁମେରାଂ ପାଲଟିପାରେ । ମନ୍ତ୍ରୀପଦ, ଦଳୀୟ ପଦ ପରେ ଏବେ ଦାମଙ୍କୁ ଦଳରୁ ନିଲମ୍ବନ କରିବା କଥା ଉଠିଲାଣି । ତେଣୁ ଆଗାମୀ ଦିନରେ ବୈଜୟନ୍ତଙ୍କ ଭଳି ଦାମଙ୍କୁ ନେଇ ନବୀନ କେଉଁ ନିଷ୍ପତି ନେଉଛନ୍ତି ତାହା ଦେଖିବା ବାକି ରହିଲା ।