ପାକିସ୍ତାନରୁ ପୁଣି ହରାଇଲା ଭାରତ : ପଲ୍ଲୀରୁ ଦିଲ୍ଲୀ ଉତ୍ସବ ପାଳିଲେ ଦେଶବାସୀ; ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

112

କନକ ବ୍ୟୁରୋ : ଅହମ୍ମଦାବାଦ ମ୍ୟାଚରେ ଭାରତର ବଡ ବିଜୟ । ପାକିସ୍ତାନକୁ ୭ ୱିକେଟର ହରାଇଲା ଟିମ୍ ଇଣ୍ଡିଆ । ଆଉ ଭାରତର ଏହି ବିଜୟ ପରେ ସାରା ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଗାଁଠୁ ସହର ସବୁଠି ଦେଖବାକୁ ମିଳିଛି ଭାରତ ବିଜୟ ପରେ ଖୁସିର ଆସର । ଅହମ୍ମଦାବାଦରେ ପ୍ରଥମେ ଭାରତୀୟ ବୋଲରଙ୍କ କମାଲ ପରେ ରୋହିତ ଶର୍ମାଙ୍କ ବିସ୍ଫୋରଣ ଭାରତକୁ ବୃହତ ବିଜୟ ଆଣି ଦେଇଛି । ୧୧୭ ବଲ ଓ ୭ ୱିକେଟରେ ବିଜୟୀ ହୋଇଛି ରୋହିତ ବାହିନୀ । ଆଉ ଏହି ବିଜୟ ସହ ଭାରତ ସମସ୍ତ ଦଳକୁ ପଛରେ ପକାଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଅକ୍ତିଆର କରିଛି । ବୁମରା ମ୍ୟାନ ଅଫ ଦ ମ୍ୟାଚ ହୋଇଛନ୍ତି ।

ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୮୬ ରନ କରିଥିଲେ । ୬୩ ବଲରୁ ବିସ୍ଫୋରକ ଖେଳ ଖେଳି ୮୬ ରନ କରିଥିଲେ ରୋହିତ, ଯେଉଁଥିଲେ ଥିଲା ବିଶାଳ ୬ଟି ଛକା । ଏଥିସହ ଦିନିକିଆରେ ରୋହିତ ଶର୍ମା ୩୦୦ ଛକାର ରେକର୍ଡ କରିଛନ୍ତି । ଶ୍ରେୟସ ଅୟର ୬୩ ବଲରୁ ଅପରାଜିତ ୫୩ ରନ କରି ଦଳକୁ ବିଜୟୀ କରାଇଥିଲେ । ଏହି ଅର୍ଦ୍ଧଶତକୀୟ ପାଳିରେ ଅୟର ୩ ଚୌକା ଓ ୨ଟି ଛକା ମାରିଥିଲେ । କେଏଲ ରାହୁଲ ୧୯ ରନ କରି ଅପରାଜିତ ରହିଥିବା ବେଳେ ବିରାଟ କୋହଲି ଓ ଶୁବମନ ଗିଲ ୧୬ ରନ ଲେଖାଏଁ କରିଥିଲେ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲେ ଅଧିନାୟକ ରୋହିତ ଶର୍ମା । ପ୍ରଥମରୁ ପାକିସ୍ତାନର ଦୁଇ ଓପନର ବ୍ୟାଟର ଚମକ୍ରାର ଢ଼ଙ୍ଗରେ ପାଳି ଆରମ୍ଭ କରିଥିଲେ ।

ଦଳର ସ୍କୋର ୪୧ ରନ୍ ଥିବା ବେଳେ ଅଷ୍ଟମ ଓଭରର ଶେଷ ବଲରେ ଅବଦୁଲ୍ଲା ସାଫିକଙ୍କୁ ଏଲବିଡବ୍ଲୁ କରି ପ୍ୟାଭିୟଲିନକୁ ଫେରାଇ ଦେଇଥିଲେ ମହମ୍ମଦ ସିରାଜ । ଇମାମ୍ ଉଲ୍ ହକଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ କରିଦେବା ପରେ ପାଳି ସମ୍ଭାଳିଥିଲେ ପାକ୍ ଅଧିନାୟକ ବାବର ଆଜମ୍ ଓ ମହମ୍ମଦ ରିଜୱାନ୍ । ଅର୍ଦ୍ଧଶତକ କରିଥିବା ବେଳେ ବାବର ଆଜମଙ୍କୁ ବୋଲ୍ଡ କରି ଦେଇଥିଲେ ସିରାଜ । ସେହିପରି ୪୯ ରନ୍ କରିଥିବା ବେଳେ ରିଜୱାନଙ୍କୁ ବୋଲ୍ଡ କରି ପ୍ୟାଭିଲିୟନକୁ ଫେରାଇ ଦେଇଥିଲେ ଯଶପ୍ରୀତ ବୁମରା ।

ଏହାପରେ ପାକିସ୍ତାନର ବ୍ୟାଟିଂ ଅର୍ଡର ଭୁଶୁଡି ପଡ଼ିଥିଲା, ଗୋଟିଏ ପରେ ଗୋଟିଏ ବ୍ୟାଟର ପ୍ୟାଭିଲିୟନକୁ ଫେରିଥିଲେ । ବୁମରା, ସିରାଜ ଓ ପାଣ୍ଡ୍ୟାଙ୍କ ପେସ୍ ଏବଂ କୁଳଦୀପ ଯାଦବ, ରବୀନ୍ଦ୍ର ଯାଦବଙ୍କ ସ୍ପିନ୍ ଆଗରେ ଆତ୍ମ ସମର୍ପଣ କରି ଦେଇଥିଲା ପାକ୍ ବାହିନୀ । ଭାରତର ୫ ଜଣ ବୋଲରଙ୍କୁ ୨ଟି ଲେଖାଁଏ ୱିକେଟ୍ ମିଳିଥିଲା । ୪୨ ଓଭର ୫ଟି ବଲ୍ ଖେଳି ସମସ୍ତ ୱିକେଟ୍ ହରାଇ ମାତ୍ର ୧୯୧ ରନ୍ କରିବାକୁ ସମର୍ଥ ହୋଇଥିଲା ପାକିସ୍ତାନ ।