କନକ ବ୍ୟୁରୋ: କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା ଘଟଣା ପ୍ରତିବାଦରେ ଦେଶବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ। ଭାରତୀୟ ମେଡିକାଲ ସଂଘ ପକ୍ଷରୁ ୨୪ ଘଣ୍ଟା କାର୍ୟ୍ୟବନ୍ଦ ଆନ୍ଦୋଳନ କରାଯାଉଛି। ଦେଶର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ଧର୍ମଘଟ ହେଉଛି। ଓପିଡି ଓ ଡାକ୍ତରଖାନାରେ ନିୟମିତ ଅସ୍ତ୍ରୋପଚାର ବନ୍ଦ କରାଯାଇଛି। ଏମରଜେନ୍ସି ବ୍ୟତୀତ ଅନ୍ୟ କୌଣସି ଅସ୍ତ୍ରୋପଚାର ହୋଇପାରିବ ନାହିଁ। ହସ୍ପିଟାଲ ଗୁଡ଼ିକୁ ସେଫ୍ ଜୋନ୍ ଭାବେ ଘୋଷଣା ସହ ବିମାନବନ୍ଦର ଭଳି ସୁରକ୍ଷା ଯୋଗାଇ ଦେବାକୁ ଆଇଏମଏ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ପର୍ୟ୍ୟାପ୍ତ ସୁରକ୍ଷାକର୍ମୀ ମୁତୟନ, ସୁରକ୍ଷା ଯାଞ୍ଚର ପ୍ରୋଟୋକଲ୍ ପାଳନ କରିବାକୁ ଅପିଲ ହୋଇଛି। ଏହାସହ ହସ୍ପିଟାଲରେ ରେସିଡେଣ୍ଟ ଡାକ୍ତରଙ୍କ କାର୍ୟ୍ୟ ସମୟ ନିର୍ଦ୍ଧାରଣ କରିବାକୁ ମଧ୍ୟ ଦାବି କରିଛି ସଂଘ। ଗତ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜରେ କାର୍ୟ୍ୟରତ ଜଣେ ପୋଷ୍ଟ ଗ୍ରାଜୁଏଟ ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ କରାଯାଇ ପରେ ହତ୍ୟା କରିଦିଆଯାଇଥିଲା। ଘଟଣା ପରେ ଦେଶବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ ଓ ବିରୋଧ ପ୍ରଦର୍ଶନ ଜାରି ରହିଛି। ଆଉ ଏସବୁ ଭିତରେ ଆରଜି କର ହସ୍ପିଟାଲରେ ପହଞ୍ଚି ଘଟଣା ଘଟିଥିବା ରାତିରେ ଡ୍ୟୁଟିରେ ଥିବା ଅନ୍ୟ ଡାକ୍ତରଙ୍କୁ ପଚରାଉଚରା କରିଛି ସିବିଆଇ। ଘଟଣା ରାତିରେ କଣ ଘଟିଥିଲା ସେ ନେଇ ଖୋଳତାଡ଼ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା।
କାଳରାତ୍ରୀରେ କ’ଣ ଘଟିଥିଲା?
- ଘଟଣା ରାତିରେ କଣ ଘଟିଥିଲା ସିବିଆଇର ପଚରାଉଚରା
- ଡ୍ୟୁଟିରେ ଥିବା ଅନ୍ୟ ୩ଡାକ୍ତରଙ୍କୁ ସିବିଆଇର ପଚରାଉଚରା
- ଘଟଣା ସମ୍ପର୍କରେ ଡାକ୍ତରଙ୍କ ପାଖରେ କ’ଣ ତଥ୍ୟ ଅଛି?
- ଡାକ୍ତରଙ୍କ ରାତ୍ର ଭୋଜନ ସମୟରେ କ’ଣ ଘଟିଥିଲା?
- ସମସ୍ତଙ୍କ ବୟାନ ରେକର୍ଡ କଲା ସିବିଆଇ
- ମୃତ ଡାକ୍ତରଙ୍କୁ ଶେଷ ଥର ପାଇଁ କିଏ ଓ କେଉଁ ସ୍ଥାନରେ ଦେଖିଥିଲେ?
- ସିକ୍ୟୁରିଟି ସୁପରଭାଇଜର ସମେତ ୧୦ଜଣଙ୍କୁ ତଲବ କରିଛି ସିବିଆଇ