ଅସ୍ୱାଭାବିକ ମୃତ୍ୟୁର ହେବ ତଦନ୍ତ । ତଦନ୍ତ ନିର୍ଦ୍ଦେଶ ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର, ମୃତଦେହର ବ୍ୟବଚ୍ଛେଦ କରାଯିବ

141

କନକ ବ୍ୟୁରୋ : ଅସ୍ୱାଭାବିକ ମୃତ୍ୟୁର ହେବ ତଦନ୍ତ । ତଦନ୍ତ ନିର୍ଦ୍ଦେଶ ଦେଇଛି ଜନସ୍ୱାସ୍ଥ୍ୟ ବିଭାଗ । ମୃତଦେହର ବ୍ୟବଚ୍ଛେଦ କରାଯିବ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଜନସ୍ୱାର୍ଥ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ଲୋକଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଛି ।

ସେପଟେ ମୃତକଙ୍କ ପରିବାର ପକ୍ଷରୁ ଏହାକୁ ଅଂଶୁଘାତ ଜନିତ ମୃତ୍ୟୁ ବୋଲି ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ସତ୍ୟସତ୍ୟ ଅନୁଧ୍ୟାନ ପାଇଁ ପାଇଁ ସୁନ୍ଦରଗଡରୁ ରାଉରକେଲାକୁ ଯାଇଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ମେଡିକାଲ ଅଫିସରଙ୍କ ତତ୍ୱାବଧାନରେ ଟିମ୍ ବାହାରିଛି । ଏହି ଟିମ୍ ରାଉରକେଲା ଯାଇ ସଂପୂର୍ଣ୍ଣ ଘଟଣାର ପୁଂଖାନୁପୁଙ୍ଖ ତଦନ୍ତ କରିବେ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ସୂଚନା ଥାଉ କି, ଭୀଷଣ ତାତି ଯୋଗୁ ରାଉରକେଲାରେ ଅସମ୍ଭାଳ ସ୍ଥିତି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୭ ଜଣଙ୍କର ମୃତ୍ୟୁ ହୋଇଛି । କେବଳ ଷ୍ଟିଲ୍ସିଟି ରାଉରକେଲାରେ ୧୨ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ବେଳେ ଦୁଇ ଦିନରେ ସୁନ୍ଦରଗଡର ଅନ୍ୟସ୍ଥାନରେ ୭ ଜଣଙ୍କ ଜୀବନ ଯାଇଛି । ଏବେ ବି ୩୩ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ରାଉରକେଲା ହାଇଟେକ୍ ମେଡିକାଲରେ ୧୦ ଜଣ ଓ ଆରଜିଏଚ୍ ୨୩ ଜଣଙ୍କ ଚିକିତ୍ସା ଜାରି ରହିଛି । ଗତକାଲିର ତାତି ଯୋଗୁଁ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ସରକାରୀ ସୂଚନା ଅନୁସାରେ, ଏତିକି ମୃତ୍ୟୁ ଓ ଆହାତଙ୍କ କଥା କୁହାଯାଉଥିବା ବେଳେ ବେସରକାରୀ ଭାବେ ଏ ସଂଖ୍ୟା ଆହୁରି ଅଧିକ ବୋଲି ସ୍ଥାନୀୟ ଲୋକ କହୁଛନ୍ତି । ସମଗ୍ର ପଶ୍ଚିମ ଓଡିଶାରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଚିକିତ୍ସାଧୀନ ଅଛନ୍ତି । ସମ୍ବଲପୁରରେ ୮, ଝାରସୁଗୁଡାରେ ୭, ବଲାଙ୍ଗୀରରେ ୬ ଜଣ ଏବଂ ଅନ୍ୟ ସ୍ଥାନରେ ୩ ଜଣଙ୍କର ମୃୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଝାରସୁଗୁଡା ଜୀବନ ହରାଇଥିବା ସମସ୍ତ ବ୍ୟକ୍ତି ଟ୍ରକ ଡ୍ରାଇଭର ।