ଆସନ୍ତାକାଲି ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ । ଚକ-ଅଖ ଜାମ୍‌ ପାଇଁ ବ୍ୟାପକ ପ୍ରସ୍ତୁତି ।

653

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ପଶ୍ଚିମ ଓଡ଼ିଶାର ସମସ୍ତ ଓକିଲ ସଂଘ ପକ୍ଷରୁ ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଆନ୍ଦୋଳନ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ଦେବଗଡ଼, ଝାରସୁଗୁଡ଼ା, ନୁଆପଡ଼ା ଓ ସୁନ୍ଦରଗଡ଼ରେ ସମ୍ପୂର୍ଣ୍ଣ ବନ୍ଦ ରହିବ । ତେବେ, କଳହାଣ୍ଡି ଓକିଲ ସଂଘର ନିଷ୍ପତ୍ତିକ୍ରମେ ସେଠାରେ ଆଂଶିକ ବନ୍ଦ ରହିବ ବୋଲି ଜଣାପଡ଼ିଛି । ସମ୍ବଲପୁରରେ ବାର ଆସୋସିଏସନ ପକ୍ଷରୁ ଉଭୟ ସିଟି ଏବଂ କ୍ଷେତରାଜପୁର ଷ୍ଟେସନରେ ରେଳରୋକ କରାଯିବ । ଏଥିସହିତ ରାଜ୍ୟ, କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଦୋକାନ, ବଜାର ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ସହିତ ଏମସିଏଲ ସମ୍ମୁଖରେ ମଧ୍ୟ ପିକେଟିଂ ହେବ ବୋଲି ସମ୍ବଲପୁର ଓକିଲ ସଂଘ ସମ୍ପାଦକ ପ୍ରବୀଣ ସିଂଦେଓ କହିଛନ୍ତି ।

ହାଇକୋର୍ଟ ବେଞ୍ଚର ବାର୍ତ୍ତା ଲୋକଙ୍କ ନିକଟକୁ ପହଞ୍ଚାଇବା ପାଇଁ ଆଇନଜୀବୀଙ୍କ ପକ୍ଷରୁ ମଙ୍ଗଳବାର ସମ୍ବଲପୁରରେ ଏକ ବାଇକ୍‌ ରାଲି ବାହାରିଥିଲା । କଚେରି ଛକରୁ ଏହା ଆରମ୍ଭ ହୋଇ ମ୍ୟୁନିସିପାଲଟି ଛକ, ବଡ଼ବଜାର, କ୍ଷେତରାଜପୁର, ରେମେଡ଼, ବରେଇପାଲି, ଅଇଁଠାପାଲି, ବୁଢାରଜା, ମୁଦିପଡ଼ା, ଜିଲ୍ଲା ସ୍କୁଲ ଛକ ଦେଇ କଚେରି ପର୍ଯ୍ୟନ୍ତ ପହଞ୍ଚିଥିଲା ।