ଆଜି ପଶ୍ଚିମଓଡିଶାର ଗଣପର୍ବ ନୂଆଁଖାଇ : ନବାନ୍ନ ଲାଗି ପାଇଁ ଦିନ ୧୦ଟା ୧୫ ରୁ ୧୦ଟା ୨୫ ଭିତରେ ଲଗ୍ନ ଧାର୍ଯ୍ୟ

ଇଷ୍ଟଦେବୀଙ୍କ ନିକଟରେ ଲାଗି ପରେ ନୂଆ ଖାଇବେ ସାଧାରଣ ଲୋକ

303

କନକ ବ୍ୟୁରୋ : ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ପଶ୍ଚିମ ଓଡିଶାରେ ନୂଆଖାଇ ପାଇଁ ସବୁଠି ମହକି ଉଠୁଛି ପିଠାପଣାର ବାସ୍ନା । ନୂଆଖାଇ ଏକ କୃଷି ଭିତ୍ତିକ ପର୍ବ । ମାଆ ମାଟିକୁ କୃତଜ୍ଞତା ଜଣାଇବାର ପର୍ବ । ପ୍ରଥମ ଅମଳ ଧାନକୁ ଇଷ୍ଟଦେବୀଙ୍କୁ ଭୋଗ ଲଗାଇ ନିଜେ ସେବନ କରନ୍ତି ସମସ୍ତେ । ଏଥିସହ ନୂଆଖାଇ ଏକ ଭାଇଚାରାର ପର୍ବ ହୋଇଥିବାରୁ ପରସ୍ପର ପ୍ରତି ଥିବା ସମସ୍ତ କ୍ରୋଧ, ଅସୂୟା ଭାବକୁ ପଛରେ ପକାଇ ସମସ୍ତେ ପରସ୍ପରର ଶୁଭ ମନାସିବା ସହ ଶୁଭେଛା ଜଣାଇଥାନ୍ତି । ତେଣୁ ଏହି ପର୍ବ ଅନ୍ୟ ସବୁ ପର୍ବରୁ ନିଆରା ହୋଇଥାଏ ।

ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ଶନିବାର ପୂର୍ବାହ୍ନ ୧୦ଟା ୧୦ରୁ ୧୦ଟା ୨୫ ମଧ୍ୟରେ ପ୍ରଶସ୍ତ ତୁଳା ଲଗ୍ନେ ମିଥୁନ ନବାଂଶେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ଜଗତ୍‌ଜନନୀ ମାଁ ସମଲେଶ୍ବରୀଙ୍କଠାରେ ନବାନ୍ନ ଭୋଗ ଲାଗି ହେବ । ସେହିପରି ପାଟଣାଗଡ଼ରେ ମା’ ପାଟଣେଶ୍ବରୀ, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼ରେ ମା’ ସମଲେଶ୍ବରୀ, ସୁବର୍ଣ୍ଣପୁରରେ ମା’ ସୁରେଶ୍ବରୀଙ୍କଠାରେ ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ନବାନ୍ନ ଲାଗି ହେବ। ଏହାପରେ ଲୋକେ ଅନ୍ୟ ଦେବାଦେବୀ, ଗ୍ରାମ ଦେବାଦେବୀ, କୁଳ ଦେବତାଙ୍କୁ ନୂଆ ଭୋଗ ଲାଗି କରିବେ । ଗାଁରୁ ସହର ସବୁ ସ୍ଥାନରେ ଅଧିଷ୍ଠିତ ଦେବାଦେବୀଙ୍କୁ ନବାନ୍ନ ଲାଗି ହେବ । ଏହାପରେ ପ୍ରତି ପରିବାରରେ ଇଷ୍ଟ ଦେବାଦେବୀଙ୍କଠାରେ ନବାନ୍ନ ଲାଗି ହୋଇ ନୂଆଁଖାଇ ପର୍ବ ଆରମ୍ଭ ହେବ  । ପରିବାରର ସମସ୍ତ ସଦସ୍ୟ ଗୋଟିଏ ସ୍ଥାନରେ ସମବେତ ହୋଇ ନବାନ୍ନ ଖାଇବେ ।

ନୂଆଁଖାଇ ପାଇଁ ପୁରପଲ୍ଲୀରେ ଦୋକାନ, ବଜାରରେ ଭିଡ଼ ଲାଗି ରହିଛି । ପନିପରିବା, ଫଳମୂଳରୁ ନେଇ ବସ୍ତ୍ରାଳୟ ଗୁଡ଼ିକରେ ଲୋକଙ୍କର ଭିଡ଼ ଦେଖିବାକୁ ମିଳୁ ଛି। ତିନି ଚାରି ଦିନ ହେଲା ସହରର ମୁଖ୍ୟ ବଜାର ଗୁଡ଼ିକରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି । ରନ୍ଧାବଢ଼ା ଓ ଖିଆପିଆ ନୂଆଁଖାଇର ଏକ ପ୍ରମୁଖ ଅଂଶ ହୋଇଥିବାରୁ ୩ ଦିନ ହେଲା ପରିବା ଦର ଆକାଶ ଛୁଆଁ ହୋଇଛି । ଏହା ବ୍ୟତୀତ ନୂଆଁ ଧାନ, ସାରୁ ଶାଗ, କୁରେ ପତ୍ର, କରଡ଼ି ଆଦିର ଚାହିଦା ମଧ୍ୟ ବେଶ୍‌ ବୃଦ୍ଧି ପାଇଛି। ତେବେ ନୂଆଁ ଖାଇ ସାରିବା ପରେ ଅପରାହ୍‌ଣରୁ ହିଁ ଗୁରୁଜନ, ପଡ଼ୋଶୀ, ବନ୍ଧୁବାନ୍ଧବଙ୍କୁ ନୂଆଁଖାଇ ଜୁହାର୍‌ କରାଯିବାର ପରମ୍ପରା ରହିଛି । ମାତ୍ର ଗତ ବର୍ଷ ଭଳି ଏଥର ବି ଏହି ପର୍ବ କେବଳ ପରିବାର ମଧ୍ୟରେ ସୀମିତ ରହିଛି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ହେଉଥିବା ନୂଆଁଖାଇ ଭେଟ୍‌ଘାଟ୍‌ର ସାଂସ୍କୃତିକ କାର୍ଯ୍ୟକ୍ରମ ବି ଦେଖିବାକୁ ମିଳିବନି ।