କନକ ବ୍ୟୁରୋ: ଶୁଭାରମ୍ଭ, ଶିଳାନ୍ୟାସ, ଭିତିପ୍ରସ୍ତର ସ୍ଥାପନ । ବିକାଶର ବାର୍ତ୍ତା ନେଇ ଗୋଟିଏ ମଞ୍ଚରେ ଏକାଧିକ ପ୍ରକଳ୍ପର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ସରକାରୀ ବ୍ୟବସ୍ଥାକୁ ସିଧାସଳଖ ଲୋକଙ୍କ ସହ ଯୋଡ଼ିବା ପାଇଁ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ସଭାଘର କାର୍ଯ୍ୟକ୍ରମ । ପଶ୍ଚିମ ଓଡ଼ିଶାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ପଶ୍ଚିମାଞ୍ଚଳର ପ୍ରାୟ ଏକ ହଜାର ପଞ୍ଚାୟତରେ ହେବ ମୁଖ୍ୟମନ୍ତ୍ରୀ ସଭାଘର ।

Advertisment
  • ‘ନବୀନ’ ସରକାରଙ୍କ ଫୋକସରେ ପଶ୍ଚିମ ଓଡ଼ିଶା
  • ବିରୋଧୀଙ୍କ ଗଡ଼ରେ ବିଜେଡି ବାନା ଉଡ଼ାଇବାକୁ ସଜବାଜ !

ଗୋଟିଏ ଦିନରେ ୧୨୫ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀ ସଭାଗୃହ ଏବଂ ୨୪ କୋଟି ଟଙ୍କାରେ ଉନ୍ନତିମୂଳକ ପ୍ରକଳ୍ପର ଶୁଭାରମ୍ଭ ପଛରେ, ବିଜେଡିର ପଶ୍ଚିମ ଓଡ଼ିଶା ରଣନୀତି ଥିବା ଚର୍ଚ୍ଚା ହେଉଛି । କାରଣ ପଶ୍ଚିମ ଓଡ଼ିଶା ହେଉଛି ସେହି କ୍ଷେତ୍ର ଯେଉଁଠି ଶାସକ ବିଜେଡିକୁ ବିରୋଧୀ ବିଜେପି ଓ କଂଗ୍ରେସ ସହ କଡ଼ା ମୁକାବିଲା କରିବାକୁ ପଡ଼ିଥିଲା । ୨୦୧୯ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୫ରୁ ୫ ଲୋକସଭା ଆସନ ପୋଛି ନେଇଥିଲା ଭାରତୀୟ ଜନତା ପାର୍ଟି । କେବଳ ଲୋକସଭା କାହିଁକି ବିଧାନସଭା ନିର୍ବାଚନରେ ବି ବିରୋଧୀ ଦଳ ସଂଖ୍ୟା ଦୃଷ୍ଟିରୁ ଭଲ ଆସନ ପାଇଥିଲେ । ପଶ୍ଚିମ ଓଡ଼ିଶାର ମୋଟ୍ ୩୫ ବିଧାନସଭା ଆସନରୁ ବିଜେଡି ୨୩ଟି ଆସନ ପାଇଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସକୁ ମିଳିଥିଲା ୧୨ଟି ବିଧାନସଭା ଆସନ ।

ରାଜନୀତିର ୟାନବାଜି ଭିତରେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ମାତ୍ ଦେବା ପାଇଁ ବିକାଶକୁ ଅସ୍ତ୍ର କରିଥିବା କୁହାଯାଉଛି । ଏହି କ୍ରମରେ ୧୨୫ କୋଟି ଟଙ୍କାରେ ମୁଖ୍ୟମନ୍ତ୍ରୀ ସଭାଗୃହ । ୫ କୋଟି ୮୩ ଲକ୍ଷ ଟଙ୍କାରେ ୬ଟି ଉନ୍ନତିମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ୨୩ କୋଟି ୮୫ ଲକ୍ଷ ଟଙ୍କାର ଉନ୍ନତିମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।