କେଉଁଠି ଅଟକିଛି ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ପ୍ରସଙ୍ଗ । ଆନ୍ଦୋଳନ ଭିତରେ ରାଜନୈତିକ ବୟାନବାଜି ଜାରି ।

ତେଜିଲା ପଶ୍ଚିମ ଓଡିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ରାଜନୀତି ! ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ, ବିଜେଡ଼ି ଦେଲା ଜବାବ ।  

97

କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ତେଜିଲା ରାଜନୀତି । ମୁହାଁମୁହିଁ ହେଲେ ଶାସକ ଓ ବିରୋଧୀ । ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ ବୋଲି କଂଗ୍ରେସ କହିଛି । କଂଗ୍ରେସ ନେତା ତାରାବାହିନୀ ପତି କହିଛନ୍ତି ଯେ, ଜୟପୁର ଓ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ହେବା ଆମର ଦାବି କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନ୍ତରିକତା ନାହିଁ ବୋଲି କହି ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି । ସେହିପରି ବିଜେପି ବିଧାୟକ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦି କହିଛନ୍ତି ଯେ, ଦୀର୍ଘଦିନ ହେବ ରାଜ୍ୟ ସରକାର ଠିକ୍ ଫର୍ମାଟ୍ ଦେଉନାହାନ୍ତି । ଯାହା ଦର୍ଶାଉଛି ଯେ, ସରକାର ଚାହୁନାହାନ୍ତି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେଉ । 

ସେପଟେ ଶାସକ ଦଳ ମଧ୍ୟ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି । ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ଏବଂ ଆଜି ପଶ୍ଚିମ ଓଡ଼ିଶାରେ ଯେଉଁ ଆଇନଜୀବୀ  ଆନ୍ଦୋଳନକୁ ଓହ୍ୱଲାଇଛନ୍ତି ସେମାନେ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ କରୁଛନ୍ତି ବୋଲି ସୂର୍ଯ୍ୟପାତ୍ର କହିଛନ୍ତି ।  ସେପଟେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନରେ ଆଜିଠାରୁ ୪୮ଘଂଟିଆ ବନ୍ଦ୍ ପାଳନ କରାଯାଉଛି । ଦୁଇଦିନିଆ ମହାବନ୍ଦରେ ସମ୍ବଲପୁର, ଝାରୁସୁଗୁଡା, ଦେବଗଡ, ସୁନ୍ଦରଗଡ ଓ ସୋନପୁର ଏକପ୍ରକାର ଠପ୍ ହୋଇଯାଇଛି । ସ୍କୁଲ-କଲେଜ୍, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ୍ ରଖିବାକୁ ଆହ୍ୱାନ ଦେଇଥିଲା କମିଟି ।  ସକାଳୁ ସକାଳୁ  ସମ୍ବଲପୁରରେ ରେଳରୋକ କରାଯାଇଥିଲା । 

ସମ୍ବଲପୁର ବନ୍ଦରେ  ବିଭିନ୍ନ ସଂଗଠନ ସହ ସ୍ଥାନୀୟ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ବି ସାମିଲ ହୋଇଥିଲେ । ଆଜି ଓ କାଲି ଦୁଇ ଦିନ ଧରି ଏହି ମହାବନ୍ଦ ପାଳନ କରାଯିବ । ଆନ୍ଦୋଳନ ସମୟରେ ରାତିରେ ମଧ୍ୟ ବନ୍ଦ ପାଳନ କରିବାକୁ ନିଷ୍ପତି ନେଇଛି ସଂଘ । ଏହି ବନ୍ଦ୍ ଡାକରାକୁ ୨ଶହରୁ ଅଧିକ ସଂଗଠନ ସମର୍ଥନ ଦେଇଛନ୍ତି । ଫଳରେ ସମ୍ବଲପୁର, ଝାରସୁଗୁଡା, ଦେବଗଡ, ସୁନ୍ଦରଗଡ, ବୈଦ୍ଧ, ସୁବର୍ଣ୍ଣପୁର, କଳାହାଣ୍ଡି ଓ ନୂଆପଡାରେ ଏହି ବନ୍ଦର ପ୍ରଭାବ ଜୋରଦାର ରହିଛି । ଗତତିନି ମାସ ହେଲା କୋର୍ଟ କାର୍ଯ୍ୟ ବନ୍ଦ ଥିବାବେଳେ ୧୯ତାରିଖରୁ କୋର୍ଟ ସାମନାରେ ପଶ୍ଚିମଓଡିଶାର ଓକିଲମାନେ ପିକେଟିଂ କରି କୋର୍ଟକୁ ସମ୍ପ୍ରୁ୍ଣ୍ଣ ବନ୍ଦ କରିଛନ୍ତି । ମହାବନ୍ଦରେ  କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ  କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।