କନକ ବ୍ୟୁରୋ : ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ନୟାଗଡ଼, ଅନୁଗୁଳ, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବ । ସ୍ଥାନେ ସ୍ଥାନେ କୁହୁଡ଼ିର ମାତ୍ରା ଏତେ ରହିବ ଯେ ଭୋର ସମୟରେ ରାସ୍ତା ଠିକ୍‌ ଭାବେ ଦୃଶ୍ୟମାନ ହେବ ନାହିଁ । ଏହାକୁ ନଜରରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉକ୍ତ ଜିଲ୍ଲାଗୁଡ଼ିକ ଲାଗି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Advertisment

ଏଥିସହ ୯ରୁ ୧୧ତାରିଖ ପର୍ଯ୍ୟନ୍ତ ଯଥାକ୍ରମେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହୋଇପାରେ । ଅନ୍ୟ ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆସନ୍ତା ୩ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ପଶ୍ଚିମା ଝଡ଼ ପ୍ରଭାବରେ ଫେବ୍ରୁଆରି ୯ ଓ ୧୦ରେ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ମଧ୍ୟମଧରଣର ବର୍ଷା, ଝଡ଼, ବଜ୍ରପାତ ଓ କୁଆପଥର ବୃଷ୍ଟି ହୋଇପାରେ । ଆସନ୍ତା ୧୦ ଓ ୧୧ତାରିଖରେ ଉପକୂଳବର୍ତୀ ଅଞ୍ଚଳରେ ଝଡ଼ ସହ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହେବ । ସୋମବାରଠାରୁ ଦିନ ଓ ରାତିର ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ଥିବା ବେଳେ ବର୍ଷା ଓ ଝଡ଼ ହେବା ଯୋଗୁଁ ରାତିର ତାପମାତ୍ରା କେତେକ ସ୍ଥାନରେ କମିବାର ସମ୍ଭାବନା ରହିଛି ।