କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତବେଳେ ଆରମ୍ଭ ହୋଇଥିବା ବିବାଦକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି । ମମତା କହିଛନ୍ତି କି ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପରେ ସେ ଦୀଘା ଗସ୍ତରେ ଯାଇଥିଲେ । ଏହାସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ମମତା କହିଥିଲେ କି ମୋ ବିଜୟ କେନ୍ଦ୍ର ସରକାରଙ୍କର ହଜମ ହେଉନାହିଁ । ମୁଁ ପଶ୍ଚିମବଙ୍ଗବାସୀଙ୍କ ସ୍ୱାର୍ଥ ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।
୨୪ ଘଂଟା ଚୁପ୍ ରହିବା ପରେ ମମତା ଆଜି ମୁହଁ ଖୋଲିଛନ୍ତି । ସେ ସିଧା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି କି ପରାଜୟ ଏପର୍ଯ୍ୟନ୍ତ ବିଜେପିର ହଜମ ହୋଇନାହିଁ, ତେଣୁ ଯେକୌଣସି ପ୍ରକାର ମୋତେ ବଦନାମ କରିବାକୁ ଚେଷ୍ଟା କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଡେରିରେ ପହଂଚିବାକୁ ନେଇ ସେ କହିଛନ୍ତି କି ମୋର ପୂର୍ବରୁ ଦୀଘା ଗସ୍ତ ସ୍ଥିର ହୋଇସାରିଥିଲା , ଏହାସହ ପ୍ରଧାନମନ୍ତ୍ରୀଙ୍କ ଗସ୍ତନେଇ ମୋତେ ଡେରିରେ ସୂଚନା ମିଳିଥିଲା ।
Don't insult me like this, don't defame Bengal. My CS, HS, and FS are attending meetings all the time, they are working for the Centre, when will they do the State job. Don't you think it's a political vendetta: West Bengal CM
— ANI (@ANI) May 29, 2021
ଅନ୍ୟପଟେ ବୈଠକରେ ରାଜ୍ୟ ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମମତା । ସେ କହିଛନ୍ତି କି ପ୍ରଧାନମନ୍ତ୍ରୀଙ୍କ ଗୁଜୁରାଟ ଗସ୍ତବେଳେ ସେଠିକାର ବିରୋଧୀଦଳ ନେତାଙ୍କୁ ବୈଠକରେ କାହିଁକି ସାମିଲ କରାଗଲା ନାହିଁ ? । ଏଠାରେ ଶୁଭେନ୍ଦୁ ଅଧିକାରୀ କେଉଁ ଅଧିକାରରେ ପ୍ରଧାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ଯୋଗ ଦେଇଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହୁରି କହିଛନ୍ତି କି ମୋ କାର୍ଯ୍ୟକ୍ରମ ସ୍ଥିର ହେବା ପରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ମୋତେ ସୂଚନା ମିଳିଥିଲା । ଏହାପରେ ବି ମୁଁ ତାଙ୍କୁ କଲାଇକୁଣ୍ଡା ଠାରେ ୨୦ ମିନିଟ୍ ଅପେକ୍ଷା କରିଥିଲି । ଏହାସହ ବୈଠକରେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ଅନୁମତି ନେଇ ମୁଁ ଦୀଘା ଗସ୍ତ କରିଥିଲି । ଏହାପରେ ବି ବିଜେପି ମୋତେ ବଦନାମ୍ କରିବାକୁ ଚେଷ୍ଟା କରୁଛି । ହେଲେ ପଶ୍ଚିମବଙ୍ଗବାସୀଙ୍କ ସ୍ୱାର୍ଥ ପାଇଁ ଆବଶ୍ୟକ ପଡିଲେ ମୁଁ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।