ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା। ଦିନକ ପୂର୍ବରୁ ପରମ୍ପରା ଅନୁଯାୟୀ ସମଲେଇ ମନ୍ଦିରର ପାଶ୍ୱର୍ ଦେବାଦେବୀଙ୍କୁ ସିନ୍ଦୁର ଲାଗି।

96

କନକ ବ୍ୟୁରୋ: ପଶ୍ଚିମଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ସମଲେଶ୍ୱରୀ ମନ୍ଦିରରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସମସ୍ତ ପୂଜକ ଏକାଠି ହୋଇ ୧୧୫ ଜଣ ପାଶ୍ୱର୍ ଦେବାଦେବୀଙ୍କୁ ପରମ୍ପରା ଅନୁଯାୟୀ ସିନ୍ଦୁର ଲଗାଇଛନ୍ତି । ସିନ୍ଦୁର ଲଗାଇବା ପୂର୍ବରୁ ମା’ଙ୍କୁ କ୍ଷୀରରେ ଗାଧୁଆଯାଇଥିଲା । ମା ଙ୍କର ସବୁ ଅଳଙ୍କାର ଯଥା କଙ୍କଣ, ମୁକୁଟ,କର୍ଣ୍ଣାଞ୍ଚଳ,ବେଲପତ୍ର, ମାଳି, ପଦକକୁ ସଫେଇ କରାଯାଇଛି । ଏଥର ନବାନ୍ନ ପାଇଁ ସକାଳ ୧୦ଟା ୫୬ରୁ ୧୧.୧୦ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି । ମନ୍ଦିର ଓ ଅନ୍ୟ ସ୍ଥାନକୁ କଟକଣା ନଥିବାରୁ ଭକ୍ତଙ୍କ ମହଲରେ ଖୁସିର ଲହରି ଦେଖାଦେଇଛି ।

ସେପଟେ ପଶ୍ଚିମ ଓଡିଶାର ବିଭିନ୍ନ ଗାଁରେ ଲୋକେ ବଜାରକୁ ଯାଇ କୁଲା, କୁରେଇ ପତ୍ର, ପୂଜା ସାମଗ୍ରୀକୁ ଆଣିଛନ୍ତି । ଘରକୁ ସଫା କରି ସଜେଇବାରେ ବ୍ୟସ୍ତ ଘରର ମହିଳା । ପୁରା ପରିବାର ଘରକୁ ଆସିଥିବାରୁ ଉତ୍ସାହର ସହ ଏହି ପର୍ବ ପାଇଁ ପ୍ରସ୍ତୁତି ଚାଲିଛି । ଗୋଟିଏ ଦିନ ପୂର୍ବରୁ ଘରର ଇଷ୍ଟଦେବୀଙ୍କ ମୂର୍ତ୍ତୀକୁ ଧୋଇଛନ୍ତି ଗାଁ ଲୋକେ । ବଜାରରୁ ନୂଆଧାନ କିଣି ଘରକୁ ଆଣିଛନ୍ତି ସହରରେ ଥିବା ଲୋକ । ସକାଳେ ପରିବାର ବର୍ଗ ସହ ନୂଆ ଖାଇବାର ଉତ୍ସାହ ଆଜିଠାରୁ ଦେଖାଗଲାଣି ।

ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମଓଡିଶା । ଏ ପର୍ବର ମାହାତ୍ମ୍ୟ ହେଉଛି, ଏ ଦିନ ରାଗ ଅହଂକାର, ଦ୍ୱେଷ ତ୍ୟାଗ କରି ପରିବାରର ସମସ୍ତ ଲୋକ ମିଳିମିଶି ଖାଆନ୍ତି, ପିଅନ୍ତି ଓ ପରିବାର ସହ ସମୟ କାଟନ୍ତି ।