କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡିଶା ବନ୍ଦ ଡାକରା: ଗାଡି ଚଳାଚଳ, ଦୋକାନ ବଜାର ବନ୍ଦ ପାଇଁ ଅପିଲ କରିଛି କୋଶଳ କ୍ରିୟାନୁଷ୍ଠାନ କମିଟି

79

କନକ ବ୍ୟୁରୋ: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡିଶା ବନ୍ଦ ଡାକରା । କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ପଶ୍ଚିମ ଓଡିଶାକୁ ଅବହେଳା, ବୈମାତୃକ ମନୋଭାବ, ଭାଷାକୁ ବିରୋଧ ଅଭିଯୋଗ ଆଣି ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବି କରାଯାଉଛି । ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଏବଂ କୋଶଳାଂଚଳର ଭାବାବେଗ ପ୍ରସଙ୍ଗକୁ ନେଇ ଏହି ମହାବନ୍ଦ ଡାକରା ଦିଆଯାଇଥିବା କମିଟି ପକ୍ଷରୁ କୁହାଯାଇଛି । ବନ୍ଦ ଡାକରାରେ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲା ଓ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ସବଡିଭିଜନକୁ ବନ୍ଦ ଡାକରାରେ ସାମିଲ ପାଇଁ ଆହ୍ୱାନ ଦିଆଯାଇଛି । ଆଜି ସମସ୍ତ ସରକାରୀ, ବେସରକାରୀ ଅଫିସ, ଗାଡି ଚଳାଚଳ ଦୋକାନ ବଜାର ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ପଶ୍ଚିମ ଓଡିଶାର ସମସ୍ତ ଅଂଚଳରେ ଦୋକାନ ବଜାର ବନ୍ଦ ରଖିବା ସହ ଗାଡିଚଳାଚଳ ବନ୍ଦ ରଖି ବନ୍ଦ ଡାକରାକୁ ସଫଳ କରିବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ୱାନ ଦେଇଛି । ଓଲିଉଡ ବିବାଦ ପରେ ଅଧିକ ସକ୍ରିୟ ହୋଇଥିବା ମିଳିତ କ୍ରିୟାନୁଷ୍ଠାନ କମିଟି ପଶ୍ଚିମ ଓଡିଶା ବନ୍ଦ ଡାକରା ଦେଇଛି । ସରକାର ମଧ୍ୟ ପଶ୍ଚିମ ଓଡିଶା ପ୍ରତି ପାତର ଅନ୍ତର କରୁଛନ୍ତି । ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ, ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ, ଏମ୍ସ ହସ୍ପିଟାଲ, କଟନ କରିଡର ପ୍ରତିଷ୍ଠା ଦାବିକୁ ଆଂଚଳିକ ବୈଷମ ଯୋଗୁଁ ଅଣଦେଖା କରାଯାଉଛି । ବୈମାତୃକ ମନୋଭାବ ପୋଷଣ କରି ପଶ୍ଚିମ ଓଡିଶାର ବିକାଶ ରାଜ୍ୟ ସରକାର ଚାହୁଁନଥିବା କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି । ଆଉ ଏହାର ପ୍ରତିବାଦରେ କମିଟି ଆଜି ପଶ୍ଚିମ ଓଡିଶା ବନ୍ଦ ଡାକରା ଦେଇଛି ।