ପରାଜୟରୁ ଅଭିଯାନ ଆରମ୍ଭ କଲା ପାକିସ୍ତାନ । ୭ ୱିକେଟରେ ୱେଷ୍ଟଇଣ୍ଡିଜ ଠାରୁ ମାତ୍ ଖାଇଲା ଦଳ, ମାତ୍ର ୧୩ ଓଭରରେ ବିଜୟୀ ହେଲା ଇଣ୍ଡିଜ୍ ।

172

କନକ ବ୍ୟୁରୋ : ମାତ୍ର ୩୫ ଓଭରରେ ଶେଷ ହୋଇଗଲା ପୁରା ମ୍ୟାଚ୍ । ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୧୯ର ଦ୍ୱିତୀୟ ମ୍ୟାଚରେ ପାକିସ୍ତାନକୁ ୭ ୱିକେଟରେ ମାତ୍ ଦେଇଛି ୱେଷ୍ଟଇଣ୍ଡିଜ । ୱେଷ୍ଟଇଣ୍ଡିଜ୍ ପ୍ରଥମେ ଟସ୍ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲା । ତେବେ ପ୍ରଥମେ ବ୍ୟାଟିଂ କରିବାକୁ ଆସି ଇଣ୍ଡିଜ ବୋଲରଙ୍କ ଆଗରେ ଧରାଶାୟୀ ହୋଇଥିଲେ ପାକ୍ ବ୍ୟାଟ୍ସମ୍ୟାନ । ମାତ୍ର ୨୧ ଓଭର ୪ଟି ବଲରେ ସମସ୍ତ ୱିକେଟ୍ ହରାଇ ୧୦୫ରନ୍ କରିବାକୁ ସମର୍ଥ ହୋଇଥିଲା ପାକିସ୍ତାନ ।

ତେବେ ୧୦୬ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ୱେଷ୍ଟଇଣ୍ଡିଜ୍ ଏକ ସହଜ ବିଜୟ ହାସଲ କରିବା ସହ ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି । ମାତ୍ର ୧୩ ଓଭର ୪ଟି ବଲରେ ୩ଟି ୱିକେଟ୍ ହରାଇ ଆବଶ୍ୟକୀୟ ରନ୍ ସଂଗ୍ରହ କରିନେଇଛି । ଦଳ ପକ୍ଷରୁ କ୍ରିସ୍ ଗେଲ ୩୪ଟି ବଲ ଖେଳି ୩ଟି ବିଶାଳ ଛକା ଏବଂ ୬ଟି ଚୌକା ବଳରେ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ସେହିପରି ନିକୋଲାସ ପୁରନ୍ ୧୯ଟି ବଲରୁ ୨ଟି ଛକା ଏବଂ ୪ଟି ଚୌକା ବଳରେ ୩୪ ରନ୍ ସଂଗ୍ରହ କରିଛନ୍ତି । ପାକିସ୍ତାନ ପକ୍ଷରୁ ମହମ୍ମଦ ଅମିର ୩ଟି ୱିକେଟ୍ ଅକ୍ତିଆର କରିଛନ୍ତି ।

ପ୍ରଥମରୁ ହିଁ ଖରାପ ବ୍ୟାଟିଂ ପ୍ରଦର୍ଶନ କରିଥିଲା ପାକିସ୍ତାନ । ଜଣଙ୍କ ପରେ ଜଣେ ଖେଳାଳୀ ୱେଷ୍ଟଇଣ୍ଡିଜ୍ ବୋଲରଙ୍କୁ ସାମ୍ନା କରିନପାରି ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଯାଇଥିଲେ । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଓସେନ୍ ଥୋମାସ୍ ସର୍ବାଧିକ ୪ଟି ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ଜସନ୍ ହୋଲ୍ଡର ୩ଟି ଏବଂ ଆନ୍ଦ୍ରେ ରସେଲ ୨ଟି ୱିକେଟ୍ ଅକ୍ତିଆର କରିଥିଲେ ।