କନକ ବ୍ୟୁରୋ : ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍ । ଆମେରିକା ଫ୍ଲୋରିଡାରେ ରାତି ୮ଟାରେ ଏହି ହାଇଭୋଲଟେଜ ମ୍ୟାଚ୍ ଖେଳାଯିବ । ଗତକାଲି ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ପରେ ଆଜି ସିରିଜ୍ କବଜା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ବିରାଟ ବାହିନୀ । ଅନ୍ୟପଟେ ୱେଷ୍ଟଇଣ୍ଡିଜ୍ ପାଇଁ ‘କର ବା ମର’ ସ୍ଥିତି ସୃଷ୍ଟି ହୋଇଛି । ୩ଟିକିଆ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ବର୍ତ୍ତମାନ ୧-୦ରେ ଆଗୁଆ ରହିଛି । ତେଣୁ ଆଜିର ମ୍ୟାଚି ଜିତିଲେ ସିରିଜ୍ ହାତେଇବ ଭାରତ ।

Advertisment

ବିଶ୍ୱକପରେ ବିପର୍ଯ୍ୟୟ ପରେ ପ୍ରଥମ ବିଦେଶ ଗସ୍ତରେ ପ୍ରଥମ ମ୍ୟାଚରେ ଭାରତକୁ ମିଳିଛି ବିଜୟ । ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି ଟ୍ୱେଂଟିରେ ବିଜୟୀ ହୋଇଛି ଭାରତ । ଫ୍ଲୋରିଡାରେ ଖେଳାଯାଇଥିବା ଏହି ମ୍ୟାଚରେ ବିଜୟ ସହିତ ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ୧-୦ରେ ସିରିଜ ଆଗୁଆ ହୋଇଛି । ଟସ୍ ଜିତି ପ୍ରଥମେ ଫିଲଡିଂ ନିଷ୍ପତି ନେଇଥିବା କୋହଲି ବାହିନୀ ୱେଷ୍ଟଇଣ୍ଡିଜକୁ ୯୫ ରନରେ ଅଲଆଉଟ୍ କରିଥିଲା । ୱେଷ୍ଟଇଣ୍ଡିଜ ପକ୍ଷରୁ କିରନ ପୋଲାର୍ଡ ସର୍ବାଧିକ ୪୯ ରନ କରିଥିଲେ ।

publive-imageତେବେ ଘରୋଇ ଦଳର ୫ ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲି ପାରିନଥିଲେ । ଡେବ୍ୟୁ ମ୍ୟାଚରେ ତିନି ୱିକେଟ ନେଇଥିଲେ ଭାରତୀୟ ବୋଲର ନଭଦୀପ ସାଇନି । ନଭଦୀପ ୪ ଓଭର ବୋଲିଂ କରି ୧୭ ରନ ଦେଇ ୩ ଟି ୱିକେଟ ହାସଲ କରିଥିଲେ । ୯୬ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଭାରତ ୧୭ ଓଭର ୨ଟି ବଲରେ ୬ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା । ଭାରତ ପକ୍ଷରୁ ରୋହିତ ୨୪ ରନ, କୋହଲି ୧୯ କରିଥିଲେ । ଡେବ୍ୟୁ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିବା ନବଦୀପ୍ ସାଇନି ହୋଇଥିଲେ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ।