କନକ ବ୍ୟୁରୋ : ବିଶ୍ୱକପ ସେମିଫାଇନାଲରେ ପରାଜୟ ପରେ ଟିମ୍ ଇଣ୍ଡିଆକୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା । କିନ୍ତୁ ଏସବୁକୁ ଭୁଲି ଦୃଢ ମନୋବଳ ସହ ୱେଷ୍ଟଇଣ୍ଡିଜ ମାଟିରେ ସିରିଜ୍ ହାତେଇବା ପାଇଁ କାଲିଠୁ ମଇଦାନକୁ ଓହ୍ଲାଇବ ବିରାଟ ବ୍ରିଗେଡ । ଏହି ଗସ୍ତରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ୩ଟି ଟି-୨୦, ୩ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ତେବେ ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍ ଆମେରିକା ଠାରେ ଖେଳାଯିବ ।

Advertisment

କାଲିଠାରୁ ଫ୍ଲୋରିଡାର ଲୌଡରହିଲଠାରେ ଆରମ୍ଭ ହେବାକୁ ଥିବା ଇଣ୍ଡିଜ୍ ବିପକ୍ଷ ଟି-୨୦ ଶୃଙ୍ଖଳା ଲାଗି ଜୋରଦାର ଅଭ୍ୟାସ କରିଛି ଭାରତ । ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବାର ଖବର ମଧ୍ୟରେ ଦଳ ପୁଣି ଥରେ ଏକତ୍ରିତ ହେବାକୁ ଚେଷ୍ଟା ଚଳାଇଛି । ଏପରିକି ରୋହିତଙ୍କ ସହ ମତଭେଦ ଥିବା ଖବରକୁ କୋହଲି ଖଣ୍ଡନ କରିଛନ୍ତି ।

୨୦୧୯ ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାଜିତ ହେବା ପରେ କାଲି ପ୍ରଥମ ଥର ମଇଦାନକୁ ଓହ୍ଲାଇବାକୁ ଯାଉଛି ଭାରତ । ଆଉ ଏପରି ସ୍ଥିତିରେ ମ୍ୟାଚ୍ ଜିତିବା ଭାରତ ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଛି । ତେବେ ଶନିବାର ଏବଂ ରବିବାର ଦୁଇ ଦିନ ଧରି ଫ୍ଲୋରିଡାରେ ଦୁଇଟି ମ୍ୟାଚ୍ ଖେଳିବା ପରେ ଟିମ୍ ଇଣ୍ଡିଆ ଇଣ୍ଡିଜ୍ ଗସ୍ତ କରି ଗୟନାରେ ଶେଷ ଟି-୨୦ ଖେଳିବ । ତେବେ ଆସନ୍ତାକାଲି ଭାରତୀୟ ସମୟ ରାତି ୮ଟାରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବ । ଯାହାକୁ ନେଇ ଦୁଇ ଦେଶର କ୍ରୀଡାପ୍ରେମୀଙ୍କ ମନରେ ବେଶ୍ ଉତ୍କଣ୍ଠା ରହିଛି ।

ସମ୍ଭାବ୍ୟ ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ଋଷଭ ପନ୍ଥ, ମନୀଷ ପାଣ୍ଡେ, କ୍ରୁନାଲ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଖଲିଲ୍ ଅହମ୍ମଦ, ଭୁବନେଶ୍ୱର କୁମାର, ଦୀପକ ଚହର ।