ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ! ଟିମ୍ ଇଣ୍ଡିଆକୁ ୨୮୪ ରନ ବିଜୟଲକ୍ଷ୍ୟ ଦେଲା ୱେଷ୍ଟଇଣ୍ଡିଜ, ଯଶପ୍ରୀତ ବୁମରାଙ୍କ ଜବରଦସ୍ତ କମବ୍ୟାକ୍

36

ପୁଣେରେ ଖେଳାଯାଉଥିବା ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୮୩ ରନ କରିବାକୁ ସକ୍ଷମ ହୋଇଛି । ଏହାସହ ଭାରତକୁ ବିଜୟ ପାଇଁ ୨୮୪ ରନର ଟାର୍ଗେଟ ଦେଇଛି ୱେଷ୍ଟଇଣ୍ଡିଜ । ୱେଷ୍ଟଇଣ୍ଡିଜ ପକ୍ଷରୁ ସାଇ ହୋପ ସର୍ବାଧିକ ୯୫ ରନର ଦମଦାର ଇନିଂସ ଖେଳିଥିଲେ । ତେବେ ଟପ୍ ଅର୍ଡର ବ୍ୟାଟସମ୍ୟାନଙ୍କ ବ୍ୟାଟିଂ ବିଫଳତା ଯୋଗୁଁ ବଡ ସ୍କୋର କରିବାରେ ବିଫଳ ହୋଇଛି କାରବିଆନ ଟିମ୍ ।

ପୁଣେରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା ଭାରତ । ଯାହାକୁ ସଠିକ୍ ପ୍ରମାଣିତ କରିଥିଲେ ଭାରତୀୟ ବୋଲର । ୱେଷ୍ଟଇଣ୍ଡିଜର ଟପ୍ ଅର୍ଡର ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇ ପ୍ରାରମ୍ଭିକ ବିପର୍ଯ୍ୟୟ ସୃଷ୍ଟି କରିଥିଲେ ଭାରତୀୟ ବୋଲର । ଗୋଟିଏ ପଟେ ୱେଷ୍ଟଇଣ୍ଡିଜ ଟିମ ନିୟମିତ ବ୍ୟବଧାନରେ ୱିକେଟ ହରାଉଥିବା ବେଳେ ଅନ୍ୟପଟେ ଧୈର୍ଯ୍ୟର ବ୍ୟାଟିଂ କରି ଦଳ ପାଇଁ ତ୍ରାଣକର୍ତ୍ତା ସାଜିଥିଲେ ସାଇ ହୋପ । ଶେଷ ଆଡକୁ ଆସଲେ ନର୍ସଙ୍କ ଦ୍୍ରୁତ ୪୦ ରନ ବଳରେ ୨୮୩ ରନ କରିବାକୁ ସକ୍ଷମ ହୋଇଥିଲା ୱେଷ୍ଟଇଣ୍ଡିଜ ଟିମ ।

ୱେଷ୍ଟଇଣ୍ଡିଜ ଟିମ୍ ପାଇଁ ଘାତକ ସାଜିଥିଲେ ଦଳକୁ କମବ୍ୟାକ୍ କରିଥିବା ଯଶପ୍ରୀତ ବୁମରା । ୪ଟି ୱିକେଟ ନେବା ସହ ୱେଷ୍ଟଇଣ୍ଡିଜର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ବୁମରା । ସେହିଭଳି କୁଳଦୀପ ଯାଦବ ୨ଟି ୱିକେଟ ନେବା ସହ ୱେଷ୍ଟଇଣ୍ଡିଜର ରନ ଗତିରେ ଅଙ୍କୁଶ ଲଗାଇଥିଲେ । ଅନ୍ୟପଟେ ଭୁବନେଶ୍ୱର କୁମାର, ଖଲିଲ ଅହମଦ ଓ ୟୁଜବେନ୍ଦ୍ର ଚହଲଙ୍କୁ ୧-୧ ଓ୍ଵିକେଟ ଲେଖାଏଁ ସଫଳତା ପାଇଥିଲେ ମଧ୍ୟ ଅଧିକ ରନ ବ୍ୟୟ କରିଥିଲେ ।