କନକ ବ୍ୟୁରୋ : ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଲା ୱେଷ୍ଟଇଣ୍ଡିଜ । ବ୍ରିସବେନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ୮ ରନର ରୋମାଞ୍ଚକର ବିଜୟ ହାସଲ କରିଛି ୱେଷ୍ଟଇଣ୍ଡିଜ । ସେମାର ଜୋସେଫଙ୍କ ଘାତକ ବୋଲିଂର ସାମ୍ନା କରି ନପାରି ବିଜୟ ଠାରୁ ୮ ରନ ଦୂରରେ ରହିଥିଲା ଅଷ୍ଟ୍ରେଲିଆ । ଏହି ବିଜୟ ସହ ସିରିଜ ୧-୧ରେ ଶେଷ ହୋଇଥିବା ବେଳେ ୨୭ ବର୍ଷର ଅପେକ୍ଷା ମଧ୍ୟ ଶେଷ ହୋଇଛି । ଅଷ୍ଟ୍ରେଲିଆ ମାଟିରେ ୨୭ ବର୍ଷ ପରେ ପୁଣିଥରେ ବିଜୟ ହାସଲ କରିଛି କାରବିଆନ ଟିମ୍ । ଶେଷଥର ପାଇଁ ୧୯୯୭ରେ ଅଷ୍ଟ୍ରେଲିଆ ମାଟିରେ ବିଜୟ ହାସଲ କରିଥିଲା ୱେଷ୍ଟଇଣ୍ଡିଜ ।

Advertisment

କେବଳ ଏତିକି ନୁହେଁ ଦୀର୍ଘ ୨୧ ବର୍ଷ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚରେ ବିଜୟୀ ହୋଇଛି ୱେଷ୍ଟଇଣ୍ଡିଜ । ଶେଷଥର ପାଇଁ ୨୦୦୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଜିତିଥିଲା ୱେଷ୍ଟଇଣ୍ଡିଜ ଦଳ । ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ସାମ୍ନାରେ ୨୧୬ ରନର ଟାର୍ଗେଟ ୱେଷ୍ଟଇଣ୍ଡିଜ ରଖିଥିଲା କିନ୍ତୁ ୨୦୭ ରନରେ ଅଲଆଉଟ ହୋଇଥିଲା ପୂରା ଟିମ । ଶେଷ ପର୍ଯ୍ୟନ୍ତ ଷ୍ଟିଭ ସ୍ମିଥ ଅପରାଜିତା ରହି ୯୧ ରନ କରିଥିଲେ ମଧ୍ୟ ଦଳକୁ ବିଜୟୀ କରିପାରିନଥିଲେ । ସେମାର ଜୋସେଫଙ୍କୁ ପ୍ଲେୟାର ଅଫ୍ ଦ ସିରିଜ ଓ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଥିଲା । ଏହି ବିଜୟ ପରେ କମେଣ୍ଟ୍ରି ରୁମରେ ବସିଥିବା ୱେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟର ବ୍ରାଏନ ଲାରା ଭାବବିହ୍ୱଳ ହୋଇପଡିଥିଲେ ।