ବ୍ରାଭୋଙ୍କ ବଡ ଘୋଷଣା: ଅନ୍ତର୍ଜାତୀୟ କ୍ରିକେଟରୁ ନେବେ ସନ୍ନ୍ୟାସ, ଯୁବ କ୍ରିକେଟରଙ୍କୁ ଦେବେ କ୍ରିକେଟ ମନ୍ତ୍ର ।

139

କନକ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେବାକୁ ଘୋଷଣା କଲେ ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଡ୍ୱେନ୍ ବ୍ରାଭୋ  । ବର୍ତ୍ତାନ ଦୁବାଇରେ ଚାଲିଥିବା ଟି-୨୦ ବିଶ୍ୱକପ୍ ଶେଷ ହେବା ପରେ ସେ ସନ୍ନ୍ୟାସ ନେବେ ବୋଲି ସୁନିଶ୍ଚିତ କରିଛନ୍ତି । ହେଲେ ସେ ବିଶ୍ୱର ଲାଭଜନକ ଲିଗ୍ ଅର୍ଥାତ୍ ପ୍ରିମିଅର୍ ଲିଗ୍ ଖେଳିବେ କି ନାହିଁ ତାହା ନିର୍ଦ୍ଦିଷ୍ଟ ଭାବେ କହିନାହାଁନ୍ତି । ତାଙ୍କର ଏହି ଘୋଷଣା ବାବଦରେ ପୂର୍ବରୁ ୱେଷ୍ଟଇଣ୍ଡିଜ୍ ଅଧିନାୟକ କିରନ୍ ପୋଲାର୍ଡ ସୂଚନା ଦେଇଥିଲେ ।

ଜାରିରହିଥିବା ଟି-୨୦ ବିଶ୍ୱ କପରେ ଗୁରୁବାର ଶ୍ରୀଲଙ୍କାଠାରୁ ୱେଷ୍ଟଇଣ୍ଡିଜ୍ ପରାଜୟ ବରଣ କରିବା ପରେ ବ୍ରାଭୋ ଏପରି ଘୋଷଣା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ‘ ମୁଁ ଭାବୁଛି ସମୟ ଆସିଛି । ମୋର ବହୁତ ଭଲ କ୍ୟାରିଅର ଅଛି । ୧୮ ବର୍ଷ ଧରି ୱେଷ୍ଟଇଣ୍ଡିଜକୁ ପ୍ରତିନଧିତ୍ୱ କରିବା ମଧ୍ୟରେ ଅନେକ ଉତଥାନ ପତନ ଆସିଛି । ତଥାପି କାରିବିୟନ୍ ଟିମକୁ ଅନେକ ମାତ୍ରାରେ ସଫଳ ଭାବେ ପ୍ରତିନିଧିତ୍ୱ କରିଥିବାରୁ ମୁଁ କୃତଜ୍ଞ । ଡେରେନ୍ ସାମିଙ୍କ ଅଧିନାୟକତ୍ୱରେ ମୁଁ ୩ଟି ଆଇସିସି ଟ୍ରଫି ଜିତିଛି । ଆମ ଟିମ ଏକ ସଫଳ ଟିମ୍ । ଏହାକୁ ନେଇ ଆମେ ବିଶ୍ୱ ସ୍ତରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛୁ । ଏବେ ସନ୍ନ୍ୟାସ ନେବା ପରେ ମୁଁ ପାଇଥିବା କ୍ରିକେଟ ଅଭିଜ୍ଞତାକୁ ଯୁବ କ୍ରିକେଟରଙ୍କୁ ଦେବାକୁ ଚାହୁଁଛି’ ବୋଲି କହିଛନ୍ତି ।

ସନ୍ନ୍ୟାସ ବାବଦରେ ୨୦୧୮ରେ ସୂଚନା ଦେଇଥିଲେ ବି ୨୦୧୯ ଟି-୨୦ ବିଶ୍ୱ କପରେ କିନ୍ତୁ ଖେଳିଥିଲେ । ବ୍ରାଭୋ ୧୫ଟି ଟେଷ୍ଟ, ୯୩ଟି ଦିନିକିଆ ଆନ୍ତର୍ଜାତିକ ଖେଳିଛନ୍ତି । ସବୁଠୁ ବଡ କଥା ହେଉଛି ଦୁଇଦୁଇ ଥର ଟି- ୨୦ ବିଶ୍ୱ କପ୍ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି । କଲୋମ୍ବୋ ମାଟିରେ ୨୦୧୨ରେ ଶ୍ରୀଲଙ୍କା ବିପକ୍ଷରେ  ଓ କୋଲକାତାରେ ୨୦୧୬ରେ ଇଲଣ୍ଡ ବିପକ୍ଷରେ ଖେଳି  ୨ ଥର ବିଶ୍ୱ କପ୍ ଜିତିଛନ୍ତି ।

ଏବେ ଆନ୍ତର୍ଜାତୀୟ ମ୍ୟାଚରୁ ସନ୍ନ୍ୟାସ ଘୋଷଣା କରିବା ପରେ ବି ଦୁବାଇ ଠାରେ ଚାଲିଥିବା ଟି-୨୦ ବିଶ୍ୱକପ୍ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଜିତାଇବାରେ ନିଜ ଅଭିଜ୍ଞତା ବାଣ୍ଟିବେ ବୋଲି କହିଛନ୍ତି ।