ରାଷ୍ଟ୍ରୀୟ ରାଜନୀତିରେ ପ୍ରବେଶ କରିବାକୁ ମମତା ପ୍ରସ୍ତୁତ କରୁଛନ୍ତି କି ବ୍ଲୁ ପ୍ରିଣ୍ଟ । ପ୍ରଶାନ୍ତ କିଶୋରଙ୍କ ସହ ୩ ଘଂଟାର ବୈଠକ

876

କନକ ବ୍ୟୁରୋ : ବିଜେପିର କଳ, ବଳ କୌଶଳକୁ ପରାଜୟ କରି ପଶ୍ଚିମବଙ୍ଗ ବିଧାନସଭାରେ ଟିଏମସିର ବିଜୟ ପରେ ମମତା ବାନାର୍ଜୀ ବେସ୍ ଉତ୍ସାହିତ ଥିବା ଭଳି ମନେ ହେଉଛି । ଏବେ ମମତା ବାନାର୍ଜୀ ରାଷ୍ଟ୍ରୀୟ ରାଜନୀତିରେ ପାଦ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ରାଷ୍ଟ୍ରୀୟ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ମମତା ବାନାର୍ଜୀ ଶୁକ୍ରବାର ଦିନ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସହ ୩ ଘଂଟାର ବୈଠକ କରିଛନ୍ତି ।

ଶୁକ୍ରବାର ଦିନ ସନ୍ଧ୍ୟାରେ ପ୍ରଶାନ୍ତ କିଶୋର ମମତା ବାନାର୍ଜୀଙ୍କ ବାସଭବନରେ ୩ ଘଂଟା ରହିଥିଲେ । ଏହି ସମୟରେ ଟିଏମସି କିଭଳି ରାଷ୍ଟ୍ରୀୟ ରାଜନୀତିରେ ପ୍ରବେଶ କରିବ ସେ ନେଇ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ବୋଲି କୁହାଯାଇଛି । ଏହା ସହ ଏହି ବୈଠକରେ ଟିଏମସିର ଜିଲ୍ଲା ସ୍ତରୀୟ ସଂଗଠନରେ ବଡ ପରିବର୍ତ୍ତନ କରିବା ନେଇ ବି ଆଲୋଚନା ହୋଇଛି । ଏହା ସହ ଟିଏମସିର ଏକ ବ୍ୟକ୍ତି ଏକ ପଦ ବ୍ୟବସ୍ଥା ଜିଲ୍ଲା ସ୍ତରରୁ ଲାଗୁ ହେବ ବୋଲି ଅନୁମାନ କରାଯାଇଛି ।

କେବଳ ସେତିକି ନୁହେଁ ରାଷ୍ଟ୍ରୀୟ ରାଜନୀତିରେ ମୋଦୀଙ୍କ ବିରୋଧରେ ଟିଏମସି କିଭଳି ପ୍ରସ୍ତୁତ ହେବ ସେନେଇ ବି ଏହି ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି । ଅନ୍ୟପଟେ ବିଧାନସଭା ନିର୍ବାଚନ ଜିତିବା ପରେ ଟିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା କି ଏବେ ମମତା ବାନାର୍ଜୀ ରାଷ୍ଟ୍ରୀୟ ରାଜନୀତିରେ ସକ୍ରିୟ ଭୂମିକା ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏନେଇ ଟିଏମସି ପକ୍ଷରୁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି । ଯାହାକି ଜୁଲାଇ ଶେଷ କିମ୍ବା ଅଗଷ୍ଟ ପହିଲା ବେଳକୁ ସାର୍ବଜନୀନ କରାଯିବ ।