ଶୁଭେନ୍ଦୁ ଅଧିକାରୀଙ୍କ ବୟାନକୁ ନେଇ ପଶ୍ଚିମବଙ୍ଗ ରାଜନୀତି ସରଗରମ । ଜାଣନ୍ତୁ ମମତାଙ୍କ ସରକାର ଭାଙ୍ଗି ବିଜେପି ସରକାର କରିବାକୁ କଣ କରିଛି ରଣନୀତି

209

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ମମତାଙ୍କ ସରକାର ଡିସେମ୍ବର ମାସ ସୁଦ୍ଧା ଭାଙ୍ଗିଯିବ ବୋଲି ଦାବି କରିଛନ୍ତି ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ । ଶୁଭେନ୍ଦୁ ଗୁରୁବାର ଦିନ କହିଛନ୍ତି କି ପଶ୍ଚିମବଙ୍ଗରେ ବି ଡିସେମ୍ବର ମାସ ସୁଦ୍ଧା ମହାରାଷ୍ଟ୍ର ଭଳି ବିଜେପିର ସରକାର ହେବ । କେବଳ ଶୁଭେନ୍ଦୁ ନୁହଁନ୍ତି ଏହା ପୂର୍ବରୁ ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ବି କହିଥିଲେ ଟିଏମସିର ୩୮ ଜଣ ବିଧାୟକ ବିଜେପି ସଂପର୍କରେ ରହିଛନ୍ତି । ଏହା ମଧ୍ୟରେ ଆସନ୍ତୁ ଜାଣିବା ପଶ୍ଚିମବଙ୍ଗ ସରକାର ଗଠନ କରିବାକୁ ବିଜେପି ପାଖରେ କଣ ରହିଛି ସାମ୍ଭାବ୍ୟ ରଣନୀତି ।

ଏବେ ପଶ୍ଚିମବଙ୍ଗ ବିଧାନସଭାର ମୋଟ ଆସନ ୨୯୪ ମଧ୍ୟରୁ ତୃଣମୂଳ କଂଗ୍ରେସ ପାଖରେ ରହିଛନ୍ତି ୨୨୦ ଜଣ ବିଧାୟକ । ଏହାସହ ଭାରତୀୟ ଗୋର୍ଖା ପ୍ରଜାତାନ୍ତ୍ରିକ ପାର୍ଟିର ଜଣେ ବିଧାୟକଙ୍କ ସମର୍ଥନ ବି ରହିଛି । ସେପଟେ ବିଜେପି ପାଖରେ ୭୦ ବିଧାୟକ ଅଛନ୍ତି । ଏହାସହ ଜଣେ ସ୍ୱାଧୀନ ବିଧାୟକ ଓ ଜଣେ ଆଇଏସଏଫ ପାର୍ଟିର ରହିଛନ୍ତି । ଅନ୍ୟପଟେ ଗୋଟିଏ ଆସନ ଖାଲି ପଡିଛି । ଏବେ ବିଧାନସଭାରେ ମୋଟ ୨୯୩ ଜଣ ବିଧାୟକ ରହିଛନ୍ତି । ଏଣୁ ବହୁମତ ପାଇଁ ୧୪୭ ଜଣ ବିଧାୟକଙ୍କର ଆବଶ୍ୟକତା ରହିଛି । ମମତା ବାନାର୍ଜୀଙ୍କ ସରକାରରେ ବହୁମତ ଠାରୁ ଢେର ଅଧିକ ବିଧାୟକ ରହିଛନ୍ତି ।

ପଶ୍ଚିମବଙ୍ଗ ବିଧାନସଭାରେ ବିଜେପିର ୭୦ ଜଣ ବିଧାୟକ ଅଛନ୍ତି । ଏହାସହ ବିଜେପିକୁ ଯଦି ୨ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମିଳେ ତେବେ ସରକାର ଗଠନ ପାଇଁ ବିଜେପିକୁ ଆଉ ୭୫ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ପଡିବ । ହେଲେ ଯଦି ବି ବିଜେପି ମମତାଙ୍କ ପାର୍ଟିରୁ ୭୫ ଜଣ ବିଧାୟକଙ୍କ ସମର୍ଥନ ଯୋଗାଡ କରେ ତେବେ ବି ସରକାର ଗଠନ କରିବା ସମ୍ଭବ ନୁହେଁ । କାରଣ ଏଭଳି ବିଦ୍ରୋହୀ ପରିସ୍ଥିତିରେ ୭୫ ଜଣ ବିଧାୟକଙ୍କୁ ନିର୍ବାଚନ ଆୟୋଗ ଅଯୋଗ୍ୟ ଘୋଷଣା କରିପାରନ୍ତି । ହେଲେ ମମତାଙ୍କ ସରକାରରୁ ଯଦି ୧୪୭ ଜଣ ୧୧୧ ଜଣ ବିଧାୟକ ବିଜେପିକୁ ସମର୍ଥନ କରନ୍ତି ତେବେ ବିଜେପି ସରକାର ଗଠନ କରିପାରିବ ।

୧୧୧ ଜଣ ବିଧାୟକଙ୍କ ସମର୍ଥନ ଯୋଗାଡ କରିବା ବିଜେପି ପାଇଁ କଷ୍ଟକର । ତଥାପି ଯଦି ଭାରତୀୟ ରାଜନୀତିର ଇତିହାସ ଦେଖିବା ତେବେ ଏମିତି କିଛି ଚିତ୍ର ରହିଛି ଯେତେବେଳ କି ପାର୍ଟି ବିରୋଧରେ ସମସ୍ତ ବିଧାୟକ ବିଦ୍ରୋହ କରିଛନ୍ତି । ୧୯୯୫ ରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନଟି ରାମା ରାଓ ବିରୋଧରେ ହୋଇଥିବା ବିଦ୍ରୋହ ତାର ପ୍ରମାଣ । ଏହା ବ୍ୟତୀତ ୧୯୬୯ ରାଷ୍ଟ୍ରପତି ନିର୍ବାଚନରେ ଇନ୍ଦିରା ଗାନ୍ଧୀ ହ୍ୱିପ ଜାରି କରିବା ପରେ ବି କଂଗ୍ରେସର ୧୬୩ ଜଣ ସାଂସଦ ଇନ୍ଦିରାଙ୍କ ଦ୍ୱାରା ଚୟନ କରାଯାଇଥିବା ରାଷ୍ଟ୍ରପତିଙ୍କୁ ଭୋଟ ଦେଇ ନଥିଲେ ।