ବିଜେପିକୁ ପ୍ରଶାନ୍ତ କିଶୋରଙ୍କ ଚ୍ୟାଲେଞ୍ଜ । ଟ୍ୱିଟ କରି କହିଲେ, ପଶ୍ଚିମବଙ୍ଗ ନିର୍ବାଚନରେ ଦଳ ଦୁଇ ଅଙ୍କ ଡେଇଁଲେ ଛାଡିଦେବେ କାମ

224

କନକ ବ୍ୟୁରୋ : ରାଜନୀତିରେ ନମ୍ବର ଗେମକୁ ନେଇ ଚର୍ଚ୍ଚାରେ ରହୁଥିବା ବିଶିଷ୍ଟ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏବେ ପଶ୍ଚିମବଙ୍ଗକୁ ନେଇ କରିଛନ୍ତି ଆକଳନ । ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମମତାଙ୍କ ଗଡରେ ଧସେଇ ପଶିବାକୁ ସବୁ ଉଦ୍ୟମ କରୁଛି ବିଜେପି । ଏପରି ସମୟରେ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ଆକଳନ କରି ପ୍ରଶାନ୍ତ କିଶୋର କହିଛନ୍ତି ବିଜେପି ପଶ୍ଚିମବଙ୍ଗରେ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଡେଇଁ ପାରିବନାହିଁ । ସେ ଟ୍ୱିଟ କରି ଲେଖିଛନ୍ତି, ବିଜେପି ସମର୍ଥିତ କେତେକ ଗଣମାଧ୍ୟମ ଦ୍ୱାରା ବିଜେପି ସପକ୍ଷରେ ରାଜନୈତିକ ପରିବେଶ ସୃଷ୍ଟି କରାଯାଉଛି ।

ପ୍ରକୃତରେ ପଶ୍ଚିମବଙ୍ଗରେ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଡେଇଁବାକୁ ବିଜେପିକୁ ସଂଘର୍ଷ କରିବାକୁ ପଡିବ । ଏହି ଟ୍ୱିଟକୁ ସେଭ୍ କରି ରଖନ୍ତୁ । କାରଣ ବିଜେପି ଯଦି ଭଲ ପ୍ରଦର୍ଶନ କରିବ ତେବେ ମୁଁ ସବୁଦିନ ପାଇଁ ଏହି କାମ ଛାଡିଦେବି । ପ୍ରଶାନ୍ତ କିଶୋରଙ୍କ ଏହି ଟ୍ୱିଟକୁ ସମାଲୋଚନା କରିଛି ବିଜେପି । ବରିଷ୍ଠ ନେତା କୈଳାଶ ବିଜୟବର୍ଗୀୟ ଟ୍ୱିଟ କରି ଲେଖିଛନ୍ତି, ପଶ୍ଚିମବଙ୍ଗରେ ବିଜେପିର ଯେଉଁ ସୁନାମୀ ଚାଲିଛି, ସରକାର ଗଠନ ହେଲା ପରେ ଦେଶ ଏକ ନିର୍ବାଚନ ରଣନୀତିଜ୍ଞଙ୍କୁ ହରାଇବ ।

ଆସନ୍ତାବର୍ଷ ହେବାକୁ ଥିବା ନିର୍ବାଚନରେ କ୍ଷମତା ଦଖଲ ପାଇଁ ବିଜେପି ଏବେଠୁ ରଣନୀତି ପ୍ରସ୍ତୁତ କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହା ପର୍ଯ୍ୟନ୍ତ ସମସ୍ତେ ବଙ୍ଗଳା ଦାଖଲ ପାଇଁ ଲାଗିପଡିଛନ୍ତି ।

ପଶ୍ଚିମବଙ୍ଗରେ ବିଜେପି ୨ଶହରୁ ଅଧିକ ଆସନ ଅକ୍ତିଆର କରି ସରକାର ଗଠନ କରିବ ବୋଲି ଦାବି କରିଛି । ଏପରିକି ଅମିତ ଶାହା ମଧ୍ୟ ନିକଟରେ ପଶ୍ଚିମବଙ୍ଗ ଗସ୍ତରେ ଥିବା ବେଳେ ଏହି କଥା ଦୋହରାଇଥିଲେ । ହେଲେ ବିଶିଷ୍ଟ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି ସେ ମମତାଙ୍କ ଗଡରେ ବିଜେପି ୩ଅଙ୍କ ବିଶିଷ୍ଟ ସଂଖ୍ୟା ଛୁଇଁ ପାରିବନାହିଁ ।

ଆସନ୍ତା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ସ୍ଥିତିକୁ ମଜଭୁତ କରିବା ପାଇଁ ଟିଏମସି ଓ ପ୍ରଶାନ୍ତ କିଶୋରଙ୍କ କମ୍ପାନୀ ମଧ୍ୟରେ ଚୁକ୍ତି ହୋଇଛି । ଉଭୟଙ୍କ ମଧ୍ୟରେ ୪ଶହ କୋଟିର ଚୁକ୍ତି ହୋଇଥିବା ସୂଚନା ମିଳିଛି ।

ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ବିଜେପି ଟିଏମସି । ଶାସକ ତୃଣମୂଳ କଂଗ୍ରେସର କେତେକ ଅସନ୍ତୁଷ୍ଟ ନେତା ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଅସନ୍ତୁଷ୍ଟକୁ ମନାଇବାରେ ଦଳ ବିଫଳ ହୋଇଛି । ଯାହା ଆସନ୍ତା ନିର୍ବାଚନରେ ଦଳକୁ ଭାରି ପଡିବ ବୋଲି ଆଲୋଚନା ହେଉଛି ।