ସରିଲା ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ । ଭୋଟ ଗ୍ରହଣ ବେଳେ ଘଟିଥିବା ହିଂସାରେ ୧୩ ମୃତ

242

କନକ ବ୍ୟୁରୋ : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଥିବା ଭୋଟଗ୍ରହଣ ଶେଷ ହୋଇଛି । ଶୁକ୍ରବାର ରାତିରୁ ଶନିବାର ଭୋଟ ଗ୍ରହଣ ସରିବା ପର୍ଯ୍ୟନ୍ତ ହିଂସାରେ ୧୩ଜଣଙ୍କର ମୃତ୍ୟୁ ହୋଇଛି । ପୋଲିଂ ବୁଥ୍ ଦଖଲ ସହ ବାଲାଟ ପେପର ଲୁଟ ନେଇ ମଧ୍ୟ ଖବର ରହିଛି । ରାଜ୍ୟରେ ଜୁନ ୮ ତାରିଖରେ ପଞ୍ଚାୟତ ନିର୍ବାଚନ ନେଇ ଘୋଷଣା ହୋଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ନିର୍ବାଚନକୁ ନେଇ ହୋଇଥିବା ହିଂସାରେ ମୋଟ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ପୂରା ରାଜ୍ୟରେ ୧.୩୫ଲକ୍ଷ ଯବାନ ନିୟୋଜିତ ହୋଇଛନ୍ତି ।

ରାଜ୍ୟ ର୍ନିର୍ବାଚନ କମିଶନଙ୍କ ସୂଚନା ମୁତାବକ ରାଜ୍ୟର ୨୨ଟି ଜିଲ୍ଲାର ୬୩,୨୨୯ ଗ୍ରାମପଞ୍ଚାୟତ ଆସନ, ୯,୭୩୦ ପଞ୍ଚାୟତ ସମିତି ଓ ୯୨୮ ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଗ୍ରହଣ ହୋଇଛି । ଚଳିତମାସ ୧୧ ତାରିଖରେ ଭୋଟ ଗଣନା ହେବ । କହିରଖୁ କି ୨୦୨୪ ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଏହା ରାଜ୍ୟର ପ୍ରତିଟି ରାଜନୈତିକ ଦଳପାଇଁ ମହତ୍ୱପୂର୍ଣ୍ଣ ।

ସେପଟେ ରାଜ୍ୟରେ ନିର୍ବାଚନକୁ ନେଇ ହୋଇଥିବା ହିଂସାକୁ ନେଇ ରାଜନୀତି ଜୋର ଧରିଛି । ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟ ସରକାରଙ୍କୁ ଏନେଇ ରିପୋର୍ଟ ମାଗିଛନ୍ତି । ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ହିଂସାକୁ ନେଇ ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ସୁକନ୍ତା ମଜୁମଦାରଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ।

ଅନ୍ୟପଟେ ଆଜି ଭୋଟ ଗ୍ରହଣ ବେଳେ ହୋଇଥିବା ହିଂସା କାରଣରୁ ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟରୁ ଟିଏମସିର ୮ଜଣ କର୍ମୀ ଥିବା କଥା ଦଳ ଦାବି କରିଥିବା ବେଳେ ସିପିଆଇଏମ ଦାବି କରିଛି କି, ଦଳର ୩ଜଣ କର୍ମୀ ମୃତ୍ୟୁବରରଣ କରିଛନ୍ତି । ଏହାସହ କଂଗ୍ରେସ ଓ ବିଜେପିରୁ ଜଣେ ଲେଖାଏଁ କର୍ମୀଙ୍କର ମୃତ୍ୟୁ ହୋଇଥିବା କଥା କୁହାଯାଇଛି ।