ବୋମା, ଗୁଳି ମାଡ, ହତ୍ୟା, ହିଂସାରେ ଜଳିଉଠିଛି ପଶ୍ଚିମବଙ୍ଗ । ପଂଚାୟତ ନିର୍ବାଚନ ମତଦାନ ସମୟରେ ବିଭିନ୍ନ ବୁଥରେ ଗଣ୍ଡଗୋଳ, ୧୨ରୁ ଅଧିକ ମୃତ

124

କନକ ବ୍ୟୁରୋ : କେଉଁଠି ରକ୍ତଛିଟା ତ କେଉଁଠି ଭଙ୍ଗାରୁଜା, ପୋଡ଼ାଜଳା, । ଆଉ କେଉଁଠି ବୋମାମାଡ, ଗୁଳିମାଡ ସହ ଦଙ୍ଗା, ହଙ୍ଗାମା ଗଣ୍ଡଗୋଳ । ଏହା ଦେଖିଲେ ଲାଗୁଛି ସତେ ଯେମିତି କେଉଁଠି ସାମ୍ପ୍ରଦାୟିକ ହିଂସା ଘଟିଛି କିନ୍ତୁ ତାହା ନୁହେଁ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ବେଳେ ଘଟିଥିବା ହିଂସାର କାହାଣୀ । ପଶ୍ଚିମବଙ୍ଗ ପଂଚାୟତ ନିର୍ବାଚନରେ ମତଦାନ କେନ୍ଦ୍ର ଗୁଡିକ ହିଂସା, ଉତେଜନା, ମାଡଗୋଳ, ପୋଡାଜଳାରେ ଅସ୍ଥିର ହୋଇ ଉଠିଛି । କେଉଁଠି ବାଲାଟ ବକ୍ସରେ ପାଣି ଢଳାଯାଇଛି ତ ପୁଣି କେଉଁଠି ବାଲାଟ ପେପରକୁ ନଷ୍ଟ କରିଛନ୍ତି ଉପଦ୍ରବକାରୀ । ଶନିବାର ସକାଳୁ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଏଭଳି ଚିନ୍ତାଜନକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଭିନ୍ନ ଭିନ୍ନ ସ୍ଥାନରେ ଆହତ ହୋଇଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଘଟଣାରେ ପରେ ସବୁଠି ଏବେ ଭୟର ମାହୋଲ ।

କୁଛବିହାର, ମୁର୍ଶିଦାବାଦ, ନଦିଆ, ପୂର୍ବ ବର୍ଦ୍ଧବାନ, ମାଲଦା, ଦକ୍ଷିଣ ପ୍ରଗଣା ସହ ଅନେକ ସ୍ଥାନରେ ହତ୍ୟା, ବୋମାମାଡ ଓ ଗୁଳିଘଟଣା ସାମ୍ନାକୁ ଆସିଛି । ହିଂସା ପାଇଁ ତୃଣମୂଳ କଂଗ୍ରେସ ଓ ବିଜେପି ପରସ୍ପରକୁ ଦାୟୀ କରିଛନ୍ତି  । ପଶ୍ଚିମବଙ୍ଗରେ ପଂଚାୟତ ନିର୍ବାଚନ ଘୋଷଣା ହେବା ପରଠୁ ବିଜେପି ଟିଏମସି ଓ ସିପିଆଇଏମ୍ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ଆରମ୍ଭ ହୋଇଛି । ହିଂସା ବନ୍ଦ କରିବା ଲାଗି ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ଜନତା ଓ ରାଜନୈତିକ ଦଳଙ୍କୁ ଅନୁରୋଧ କରିଛନ୍ତି ।

ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ରାଜ୍ୟରେ ମୋଟ ୧ ଲକ୍ଷ ୩୫ ହଜାର ସୁରକ୍ଷାକର୍ମୀ ମୁତୟନ ଅଛନ୍ତି । ପଂଚାୟତ ନିର୍ବାଚନ ତାରିଖ ଘୋଷଣା ହେବାପରଠୁ ପଶ୍ଚିମବଙ୍ଗରେ ଏବେ ସୁଦ୍ଧାର ୩୦ରୁ ଅଧିକ ଲୋକଙ୍କ ହତ୍ୟା ହୋଇସାରିଛି । ରାଜ୍ୟରେ ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ଥାଇ ମଧ୍ୟ ବିଭିନ୍ନ ସ୍ଥାନରେ ଦଙ୍ଗା ହଙ୍ଗାମା ଭଳି ପରିସ୍ଥିତି କାହିଁକି ଉପଜିଛି ଏନେଇ ଉଠୁଛି ପ୍ରଶ୍ନ ।