କନକ ବ୍ୟୁରୋ: ମାଲକାନିଗିରେ ଧର୍ମ ଓ ସଂମ୍ପ୍ରଦାୟ ନାଁରେ ଆରମ୍ଭ ହୋଇଛି ରାଜନୀତି । ଓଡିଶାରେ ଢୋଲ ବଜାଇ ଭୋଟ ଭିକ୍ଷା କଲେ ପଶ୍ଚିମବଙ୍ଗ ବିଧାୟକ ତଥା ପ୍ରସିଦ୍ଧ ପାଲା ଗାୟକ ଅଶିମ ସରକାର । ପ୍ରଚାରରେ ସାମ୍ପ୍ରଦାୟିକ ଭାଷଣକୁ ନେଇ ମାଲକାନଗିରି ଏବେ ଚର୍ଚା ଜୋର ଧରିଥିବା ବେଳେ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି । ପଶ୍ଚିମବଙ୍ଗ ବିଧାୟକଙ୍କ ଜରିଆରେ ବିଜେପି ବଙ୍ଗୀୟ ମତୁଆ ସମ୍ପ୍ରଦାୟର ଭୋଟ ହାତେଇବାକୁ ଚେଷ୍ଟା କରୁଛି । ସେପଟେ ଶାସକ ବିଜେଡି ମଧ୍ୟ ଏହି କ୍ରମରେ ପଛରେ ପଡି ନାହିଁ ।

Advertisment

ପଶ୍ଚିମବଙ୍ଗ ମେଦିଆ ଜିଲ୍ଲା ହରିନଘାଟାର ବିଜେପି ବିଧାୟକ ତଥା ପ୍ରସିଦ୍ଧ ବାଙ୍ଗଲାଲୋକ କବି ଅଶିମ ସରକାର ଢୋଲ ବଜାଇ ମାଲକାନଗିରିରେ କରୁଛନ୍ତି ପ୍ରଚାର । ଲୋକ ଗୀତ ଓ ପାଲା ଗାଇ ବିଜେପି ପ୍ରାର୍ଥୀଙ୍କ ମାଗୁଛନ୍ତି ଭୋଟ । ବଙ୍ଗୀୟ ଗାଁମାନଙ୍କରେ ପ୍ରଚାର କରିବା ବେଳେ ବିଧାୟକଙ୍କ ନିର୍ବାଚନୀ ଭାଷଣଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଅଶିମ ସରକାର ମୁହଁ ଖୋଲିବା କ୍ଷଣି ହିନ୍ଦୁ ମୁସଲିମର କଥା କରୁଛନ୍ତି । ପ୍ରତ୍ୟକ୍ଷ ଓ ପରୋକ୍ଷରେ ପଶ୍ଚିମବଙ୍ଗର ମମତା ସରକାରଙ୍କ ସହ ନବୀନ ସରକାରଙ୍କ ତୁଳନା କରିଛନ୍ତି । ତେବେ ବିଧାୟକଙ୍କ ଏପରି ଆଚରଣକୁ ନେଇ ତାରଲାକୋଟା, ଏମଭି ୨୩ ଗାଁରେ ବିରୋଧ ସହ ପଡିଆ ଅଂଚଳରେ ଉଭୟ କର୍ମୀ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି ।

ବଙ୍ଗୀୟ ଭୋଟ ହାତେଇବା ଦିଗରେ ବିଜେଡି ମଧ୍ୟ ପଛରେ ନାହିଁ । ବହୁ ପୂର୍ବରୁ ମତୁଆ ସଙ୍ଗଠନକୁ ନେଇ ଏକ ସମାବେଶ କରି ସେମାନଙ୍କୁ ଶପତ ପାଠ କରାଇବା ସହ ନାନା ପ୍ରତିଶୃତିରେ ପୋତି ପକାଇଥିଲା ବିଜେଡି । ତେବେ ମାଲକାନଗିରିରେ ସାମ୍ପ୍ରଦାୟୀକ ରାଜନୀତି ଆଦୌଂ ଶୁଭଙ୍କ ନୁହେଁ । ତେଣୁ ନିର୍ବାଚନ କମିଶନ ଏଥିରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । ମାଲକାନଗିରିରେ ୨୧୪ଟି ଗାଁରେ ପ୍ରାୟ ୨ ଲକ୍ଷ ବଙ୍ଗୀୟ ଲୋକ ବସବାସ କରନ୍ତି । ସେଇ ବଙ୍ଗୀୟ ଭୋଟରଙ୍କୁ ନେଇ ରାଜନୀତି ଏବେ ଜୋର ଧରିଛି ।