ଟିକାକରଣ ସାର୍ଟିଫିକେଟରେ ଫଟୋକୁ ନେଇ ନୂଆ ବିବାଦ । ମୋଦିଙ୍କ ଫଟୋ ବଦଳରେ ମମତାଙ୍କ ଫଟୋ ରଖିବାକୁ ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି ।

328

କନକ ବ୍ୟୁରୋ: କରୋନା ଟିକା ନେବା ପରେ ମିଳୁଥିବା ପ୍ରମାଣ ପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି । ଏବେ ପଶ୍ଚିମବଙ୍ଗ ସରକାର ନିଷ୍ପତି ନେଇଛନ୍ତି, ରାଜ୍ୟ ତରଫରୁ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଟିକାକରଣରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ଥିବା ସାର୍ଟିଫିକେଟ ଦିଆଯିବ । ଆଗାମୀ ଦିନରେ ପଶ୍ଚିମବଙ୍ଗରେ ୧୮ରୁ ୪୪ ବର୍ଷ ବୟସକଙ୍କୁ ଟିକା ଦେବା ପରେ ମମତାଙ୍କ ଫଟୋ ଥିବା ପ୍ରମାଣପତ୍ର ଦେବାକୁ ନିଷ୍ପତି ନିଆଯାଇଛି । ପୂର୍ବରୁ ମମତା କୋଭିଡ ଟିକା ପ୍ରମାଣ ପତ୍ରରେ ମୋଦିଙ୍କ ଫଟୋକୁ ନେଇ ପ୍ରଧାନମନ୍ତ୍ରୀ ଓ ବିଜେପିକୁ ସମାଲୋଚନା କରିଥିଲେ । ଏପରି କି ମାସକ ତଳେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ଏହି ପ୍ରସଙ୍ଗକୁ ନେଇ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହୋଇଥିଲା ତୃଣମୂଳ କଂଗ୍ରେସ । ଟିକା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗିବାକୁ ଟିଏମସି ଆଚାରସଂହିତାର ଉଲ୍ଲଂଘନ ବୋଲି ମଧ୍ୟ କହିଥିଲେ ।

ଏହି ଘଟଣାକୁ ନେଇ ଟିଏମସି ନେତା ସ୍ୱାଗତ ରୟ କହିଛନ୍ତି, ଟିକା ପ୍ରମାଣପତ୍ରରେ ଫଟୋ ଲଗାଇବା ପ୍ରଥମେ ବିଜେପି ଆରମ୍ଭ କରିଛି, ତେଣୁ ଆମେ ମଧ୍ୟ କରିପାରିବୁ । ଯଦି ବିଜେପି ଟିକା ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇବ ଆମେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଫଟୋ ହଟାଇବୁ ବୋଲି କହିଛନ୍ତି ସ୍ୱାଗତ ରୟ । ଅନ୍ୟପଟେ ଏହାକୁ ବିଜେପି ମମତାଙ୍କୁ କଡା ସମାଲୋଚନା କରିଛି । ଟିଏମସି ପ୍ରଧାନମନ୍ତ୍ରୀଙ୍କ ସାମ୍ବିଧାନିକ ପଦର ମର୍ଯ୍ୟାଦା ରକ୍ଷା କରୁନାହିଁ ।  ଟିଏମସି ଏକ ସ୍ୱାଧୀନ ଦେଶ ଭଳି ବ୍ୟବହାର ଦେଖାଉଛି । ସେମାନେ ମାନିବାକୁ ରାଜି ନୁହଁନ୍ତି ଯେ ସେମାନେ ଭାରତରେ ଅଛନ୍ତି ।