ପଶ୍ଚିମବଙ୍ଗ-ଓଡିଶା ସୀମାରେ ଦିଦିଙ୍କ ଦାଦାଗିରି । ଓଡିଶାର ଉଦୟପୁର ବେଳାଭୂମିରେ ବେଆଇନ୍ ପାଚେରୀ କରୁଛି ପଶ୍ଚିମବଙ୍ଗ ।

140

କନକ ବ୍ୟୁରୋ: ପଶ୍ଚିମବଙ୍ଗ-ଓଡିଶା ସୀମାରେ ଦାଦାଗିରି । ଓଡିଶାର ଉଦୟପୁର ବେଳାଭୂମିରେ ବେଆଇନ୍ ପାଚେରୀ ତିଆରି କରୁଛି ପଶ୍ଚିମବଙ୍ଗ ଜଳ ସଂପଦ ବିଭାଗ ଆଉ ଏହାକୁ ବିରୋଧ କଲେ ସ୍ଥାନୀୟ ଲୋକଙ୍କୁ ନାଲି ଆଖି ଦେଖାଇ ଭୟଭୀତ କରାଉଛି ପଡୋଶୀ ପ୍ରଶାସନ । ତେବେ ବେଳାଭୂମୀରେ ବଳପୂର୍ବକ ପାଚେରୀ ନିର୍ମାଣ ହେଉଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଭୋଗରାଇ ଅତିରିକ୍ତ ତହସିଲଦାର, କଖଡା ଆରଆଇ, ତାଳସାରି ସାମୁଦ୍ରିକ ଥାନା ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧି, ହେଲେ ଆସିନଥିଲେ ପଶ୍ଚିମବଙ୍ଗ ଜଳ ସଂପଦ ବିଭାଗର ଅଧିକାରୀ । ଶେଷରେ ସ୍ଥାନୀୟ ତହସିଲଦାର ନିର୍ମାଣ କାମ ବନ୍ଦ କରିବା ପାଇଁ ତାଳସାରି ଥାନା ଅଧିକାରୀଙ୍କୁ କହିବା ସହ ଜିଲ୍ଲାପାଳଙ୍କୁ ଘଟଣା ସଂପର୍କରେ ଅବଗତ କରାଇଛନ୍ତି ।

ସୀମାରେ ବାରମ୍ବାର ବିବାଦୀୟ କାର୍ଯ୍ୟ କରୁଛି ପଶ୍ଚିମବଙ୍ଗ । ୨୦୧୮ରେ ଉଦୟପୁର ରାସ୍ତାରେ ଏକ ଫଳକ ଲଗାଇ ବିବାଦ ଘେରରୁ ଆସିଥିଲା ବଙ୍ଗ ସରକାର । ୨୦୨୦ ମସିହାରେ ସାହାବଜୀପୁର ରାସ୍ତାରେ ଥିବା କାଜୁ ଜଙ୍ଗଲକୁ ଅଧିକାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ପଡୋଶା ରାଜ୍ୟ । ସେହିଭଳି ୨୦୧୫ରେ ଉଦୟପୁରରେ ଓଡିଶା ପକ୍ଷରୁ ଥାନା ଓ ଶୌଚାଳୟ ନିର୍ମାଣକୁ ବିରୋଧ କରିଥିଲା ପଶ୍ଚିମବଙ୍ଗ । ବାରମ୍ବାର ଦିଦି ସରକାର ଓଡିଶା ମାଟିରେ ବେଆଇନ୍ ହକ ଜାହିର କରିବାକୁ ଅପଚେଷ୍ଟା କରି ବିଫଳ ହେଉଛି ତଥାପି ବିବାଦ ସୃଷ୍ଟି କରିବାକୁ ପ୍ରୟାସ କରୁଛି । ବଙ୍ଗ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଭବେଶ କୁମାର ନାୟକ କହିଛନ୍ତି । ତେବେ ଓଡିଶା ମାଟିରେ ପଶ୍ଚିମବଙ୍ଗରେ ଏଭଳି କାର୍ଯ୍ୟକୁ ଯଦି ପ୍ରତିରୋଧ କରାନଯାଏ ତେବେ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇବାର ଆଶଙ୍କା ରହିଛି ।