କନକ ବ୍ୟୁରୋ : ଦୀର୍ଘଦିନ ହେବ ପଶ୍ଚିମବଙ୍ଗ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଏହି ବିବାଦ ଏବେ ତୀବ୍ର ହୋଇଛି । ଶନିବାର ଦିନ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ଏକ ଆଦେଶ ଜାରି କରି ପଶ୍ଚିମବଙ୍ଗ ବିଧାନସଭା ଅଧିବେଶନକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ସ୍ଥଗିତ ରଖିଛନ୍ତି । ଏହି ଆଦେଶରେ ରାଜ୍ୟପାଳ କହିଛନ୍ତି କି, ଭାରତୀୟ ସମ୍ବିଧାନର ଧାରା ୧୭୪ ଆଧାରରେ ଫେବୃଆରୀ ୧୨ ତାରିଖରୁ ପଶ୍ଚିମବଙ୍ଗ ବିଧାନସଭା ଅଧିବେଶନକୁ ଅନିର୍ଦ୍ଧିଷ୍ଠକାଳ ପାଇଁ ସ୍ଥଗିତ ରଖାଗଲା ।
ରାଜ୍ୟପାଳଙ୍କର ଏଭଳି ଆଦେଶ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏହି ଆଦେଶରେ ସ୍ପଷ୍ଟ କରିଦିଆଯାଇଛି କି ରାଜ୍ୟପାଳଙ୍କ ବିନା ଅନୁମତିରେ ବିଧାନସଭା ଅଧିବେଶନ ଡକାଯାଇ ପାରିବ ନାହିଁ । ଏହାକୁ ଶାସକ ତୃଣମୂଳ କଂଗ୍ରେସ ପକ୍ଷରୁ ଅସମ୍ବିଧାନିକ ବୋଲି କୁହାଯାଇଛି ।
ରାଜ୍ୟପାଳଙ୍କର ଏଭଳି ଆଦେଶ ଆସିବା ପରେ ଏହାକୁ ନେଇ ତୃଣମୂଳ କଂଗ୍ରେସର ପ୍ରବକ୍ତା କହିଛନ୍ତି କି ରାଜ୍ୟପାଳ ବାରମ୍ବାର ଅସାମ୍ବିଧାନିକ କାର୍ଯ୍ୟ କରିଚାଲିଛନ୍ତି । ଏହା ଦେଶର ଏକ ଅଭୂତପୂର୍ବ ଘଟଣା ଓ ଏହା ବିରୋଧରେ ଦଳ ହାଇକୋର୍ଟକୁ ଯିବ ବୋଲି ପ୍ରବକ୍ତା କହିଛନ୍ତି ।
ସୂଚନା ଥାଉକି, ପଶ୍ଚିମବଙ୍ଗ ସରକାର ରାଜ୍ୟ ବିଧାନସଭା ଅଧିବେଶନ ଡାକିବାକୁ ପ୍ରସ୍ତୁତ ହେଉଥିବା ବେଳେ ରାଜ୍ୟପାଳ ଏଭଳି ଆଦେଶ ଜାରି କରିଛନ୍ତି । ଅନ୍ୟପଟେ ବିଭିନ୍ନ ମୁଦ୍ଦା ନେଇ ବାରମ୍ବାର ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ଦେଖାଦେଉଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରି ରାଜ୍ୟପାଳଙ୍କୁ ଫେରାଇ ନେବାକୁ କହିଥିଲେ ।
Follow Us