କନକ ବ୍ୟୁରୋ: ଓଡ଼ିଶାରେ ସ୍ୱାଭାବିକ ହେବ ଆଳୁ ଦର । ଆଳୁ ପଠାଇବା ପାଇଁ ରାଜି ହୋଇଛି ପଶ୍ଚିମବଙ୍ଗ । ଗତକାଲି ପଶ୍ଚିମବଙ୍ଗର ସଚିବାଳୟ 'ନବାନ୍ନ'ରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯେଉଁଥିରେ ପଶ୍ଚିମବଙ୍ଗର ଆଳୁ ବ୍ୟବସାୟୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଛନ୍ତି ମମତା ସରକାର। ସପ୍ତାହକ ମଧ୍ୟରେ ପଡ଼ୋଶୀ ରାଜ୍ୟକୁ ୨ ଲକ୍ଷ ଟନ୍ ପର୍ଯ୍ୟନ୍ତ ଆଳୁ ରପ୍ତାନୀକୁ ମଞ୍ଜୁରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଫଳରେ ଓଡ଼ିଶା ସମେତ ଅନ୍ୟ ପଡୋଶୀ ରାଜ୍ୟ ଏହାଦ୍ୱାରା ଉପକୃତ ହେବେ। ପଶ୍ଚିମବଙ୍ଗ ସରକାର ଆଳୁ ରପ୍ତାନୀ ଉପରେ କଟକଣା ଲଗାଇଥିଲେ। ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଆଳୁ ବ୍ୟବସାୟୀ ମଧ୍ୟ ବିରୋଧ କରିଛନ୍ତି। ସରକାରଙ୍କ ନିଷ୍ପତି ଦ୍ୱାରା ବ୍ୟବସାୟୀ ମାନେ ଘାଟାରେ ପଡ଼ିଥିବା ଦାବି କରିଥିଲେ। ଏହାପରେ ଗତକାଲି ନବାନ୍ନରେ ବୈଠକ ବସିଥିଲା। ଆଳୁ ରପ୍ତାନୀ ଉପରେ କଟକଣା ଲଗାଯାଇଥିବାରୁ ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ଟ୍ରକକୁ ସୀମାରେ ଅଟକାଯାଉଛି। ତେଣୁ ଆଳୁ ପାଇଁ ପଡୋଶୀ ଉପରେ ନିର୍ଭର କରୁଥିବା ଓଡ଼ିଶାରେ ଆଳୁ ଦର ହୁ ହୁ ହୋଇ ବଢିଛି। ସର୍ବାଧିକ ୬୦ ଟଙ୍କା ଯାଏଁ ରାଜ୍ୟରେ କିଲୋ ପିଛା ଆଳୁ ଦର ଯାଇଛି। ଏବେ ଏହା ୪୦ ଟଙ୍କାରେ ରହିଛି। କିନ୍ତୁ ସ୍ୱାଭାବିକ ଭାବେ କିଲୋ ପିଛା ଆଳୁ ଦର ୨୦ ଟଙ୍କା ମଧ୍ୟରେ ରହିଥାଏ। ଇତି ମଧ୍ୟରେ ୟୁପିରୁ ଆଳୁ ଆଣିବାକୁ ଓଡ଼ିଶା ସରକାର ନିଷ୍ପତି ନେଇଛନ୍ତି। ଯାହା ଟ୍ରେନ ଯୋଗେ ଆସିବ। ହେଲେ ପଶ୍ଚିମବଙ୍ଗର ଆଳୁ ସହ ଓଡ଼ିଶା ଲୋକେ ଅଭ୍ୟସ୍ତ ଥିବାରୁ ୟୁପି ଆଳୁ ଲୋକଙ୍କ ଚାହିଦା ପୂରଣ କରିପାରୁନଥିଲା।

Advertisment